Unknown

 

 

 

 

 

 

 

 

 

 

 

ଆଶାର ଆଲୋକ

ଶ୍ରୀକାନ୍ତ କୁମାର ରାଉତରାୟ

 

 

 

 

 

 

 

 

 

 

ମୋର ସ୍ନେହମୟୀ, ଆଦରଣୀୟା ଆଈ ମା’

ତାରାମଣୀଙ୍କ କରକମଳେଷୁ

 

–ଶ୍ରୀକାନ୍ତ

 

ଏଇ ଲେଖକଙ୍କ ଅନ୍ୟାନ୍ୟ ପୁସ୍ତକ

 

ନାଟକ :

 

 

୧.

ସତ୍ୟ ଶିବ ସୁନ୍ଦର

୨.

ଜୀବନ୍ତ ସ୍ୱପ୍ନ

୩.

ଏକାନ୍ତ ସତ୍ୟ

୪.

ସେ ଏକ ବିସ୍ମିତ ଆକାଶ

୫.

ଏକାଙ୍କିକା ସୌରଭ

 

 

ଉପନ୍ୟାସ :

 

 

୧.

ଜୀବନର ପ୍ରତିଶ୍ରୁତି

 

 

ଶିଶୁ ସାହିତ୍ୟ :

 

 

୧.

ଜୀବଜନ୍ତୁଙ୍କ ମଜା କାହାଣୀ ୬ ଖଣ୍ଡ (୧ ସେଟ୍‌)

୨.

ଆସରେ ପିଲାଏ ପଢ଼ିବା ଗପ

Image

 

ନିଜ କଥା

 

ଜୀବନ ଯାତ୍ରାପଥରେ ଅନେକ ଅନୁଭୂତି ଆସେ, ଏବଂ ସେସବୁ ମାନସପଟରେ ଛବି ଆଙ୍କିଲା ଭଳି ଆଙ୍କି ହୋଇଯାଏ । ସମୟ ଆସେ ଏହି ଅନୁଭୂତି ସବୁ ମନ ଭିତରେ ବାସ୍ତବତା ସୃଷ୍ଟି କରେ ଏବଂ ମନକୁ କେତେବେଳେ ଆନନ୍ଦରେ ହସାଏ ଏବଂ କେତେବେଳେ ଦୁଃଖରେ ଭସାଏ । ବାସ୍ତବ ଅନୁଭୂତି ଅନ୍ତରକୁ ସ୍ପର୍ଶ କରେ । କହିବାକୁ ଗଲେ ବାସ୍ତବ ଅନୁଭୂତି ସୃଷ୍ଟି କରେ ଗଳ୍ପ, ଉପନ୍ୟାସ ଓ କବିତା । ନଦୀ ସମୁଦ୍ରରେ ମିଶିବା ପୂର୍ବରୁ ଅନେକ ଅନୁଭୂତି ମନରେ ଧରି ଆସିଥାଏ ଏବଂ ସମୁଦ୍ରରେ ମିଶିଲା ପରେ ଗଳ୍ପ ଆକାରରେ ତା’ ଆଗରେ ପ୍ରକାଶ କରେ । କେତେ ଗାଁ ଗଣ୍ଡା, ସହର ବଜାର, ବିଲ ବାଡ଼ି, ବଣ, ପାହାଡ଼, ଅତିକ୍ରମ କରି ବହୁ ଝଡ଼ ଝଞ୍ଜା ଭିତରେ ସେ ତା’ ପାଖକୁ ଧାଇଁ ଆସିଛି ମନ ସହିତ ମନ ମିଳାଇବାକୁ । କେତେ ଆଶା କେତେ ସ୍ୱପ୍ନ ତା’ର । ସମୁଦ୍ର କୋଳ ଭିତରକୁ ନେଇଯାଏ ଏବଂ ଅନୁଭୂତିର କାହାଣୀ ଶୁଣି କହେ, ସତରେ ଏ ପୃଥିବୀ କ’ଣ, ଆଉ ଏହା ଭିତରେ କ’ଣ ଅଛି ?

 

ଆମର ଜୀବନ ଯାତ୍ରା ନଦୀର ଜୀବନ ଯାତ୍ରା ଭଳି ଚଞ୍ଚଳ ଓ କ୍ଷିପ୍ର । ଦିନ ପରେ ଦିନ, ମାସ ପରେ ମାସ ଆଉ ବର୍ଷ ପରେ ବର୍ଷ ଗଡ଼ିଯାଏ, ଆମେ ଶିଶୁରୁ ଯୁବକ ଓ ଯୁବକରୁ ବୃଦ୍ଧ ହେଉ ଏବଂ ଏହାପରେ ସଂସାରରେ ଯେଉଁ ନିୟମ ରହିଛି ସେଥିରେ ନିଜକୁ ମିଶାଇ ଦେଇ ନିଶ୍ଚିହ୍ନ ହୋଇଯାଉ । କିନ୍ତୁ ନିଶ୍ଚିହ୍ନ ହୋଇଯିବା ପୂର୍ବରୁ ଅନେକ ଅନୁଭୂତି ଅନୁଭବ କରିଥାଉ, ସେଗୁଡ଼ିକ କେତେବେଳେ ଗଳ୍ପ ଆକାରରେ ପ୍ରକାଶ କରିଥାଉ ଆଉ କେତେବେଳେ ଉପନ୍ୟାସ ଆକାରରେ ପ୍ରକାଶ କରିଥାଉ । ବାସ୍ତବ ଅନୁଭୂତି ହିଁ ଗଳ୍ପ, ଉପନ୍ୟାସ ଓ କବିତା । ନଦୀ ଭଳି ଅନେକ ଅନୁଭୂତି ନେଇ ଆମେ ଆକାଶରେ ମିଶିଯାଉ ।

 

ଆଗରୁ ପାଞ୍ଚଖଣ୍ଡ ନାଟକ ଲେଖି ପାଠକ ପାଠିକାମାନଙ୍କ ପାଖରୁ ବହୁ ଉତ୍ସାହ ପାଇଛି ଏବଂ ସେ ଉତ୍ସାହ ମୋର ଭବିଷ୍ୟତ ଲେଖାପାଇଁ ଖୋରାକ ଯୋଗାଇଛି ଏଥିପାଇଁ ମୁଁ ମୋର ପ୍ରିୟ ପାଠକ ପାଠିକାମାନଙ୍କ ପାଖରେ ଚିର କୃତଜ୍ଞ । ମଣିଷର ଆଶା ଅନେକ, ଏହି ଆଶା ପାଇଁ ସେ ଅନେକ ବାଟ ଆଗେଇ ଯାଏ ।

 

ଆଶାର ଆଲୋକ ମୋ ଜୀବନ ଯାତ୍ରା ପଥରେ ଅନେକ ଆଶା ସଞ୍ଚାର କରିଛି, ଏଥିପାଇଁ ମୁଁ ବହୁତ ବାଟ ଆଗେଇ ଆସିଛି ଏବଂ ପାଠକ ପାଠିକାମାନଙ୍କ ପାଖରେ ନିଜର କ୍ଷୁଦ୍ର ପୁସ୍ତକଟିକୁ ଉପସ୍ଥାପନ କରୁଛି । ସେମାନେ ଏହାକୁ ପଢ଼ି ଯାହା ବିଚାର କରିବେ ସେହିମାନଙ୍କ ମତାମତ ଉପରେ ମୋର ଭବିଷ୍ୟତ ଜୀବନ ନିର୍ଭର କରେ, ମୁଁ ଆଶା ବାନ୍ଧି ବସିଛି । ଆଶା, ସେମାନେ ମୋତେ ନିଶ୍ଚୟ ସାହାଯ୍ୟ କରିବେ । ନମସ୍କାର ।

 

ରାଉତରାୟ ଭବନ

ଶ୍ରୀକାନ୍ତ କୁମାର ରାଉତରାୟ

ରାଣୀହାଟ, କଟକ-୧

 

Image

 

ସୂଚୀପତ୍ର

 

୧.

ଆଶାର ଆଲୋକ

୨.

ଲାଜ କଥା

Image

 

Unknown

ଆଶାର ଆଲୋକ

 

ସେ ଦିନ ଗୁରୁପଦ ଅଫିସରୁ ଫେରୁ ଫେରୁ ସନ୍ଧ୍ୟା ସାତଟା ବାଜିଯାଇଥିଲା । ଅଫିସଠାରୁ ବସାଟା ତିନି କିଲୋମିଟର । ସବୁଦିନେ ଚାଲି ଚାଲି ଅଫିସ ଯିବା ଓ ଚାଲି ଚାଲି ଅଫିସରୁ ଫେରିବା ତା’ ପକ୍ଷରେ ବହୁ କଷ୍ଟସାଧ୍ୟ ହେଉଥିଲେ ମଧ୍ୟ ସେ ଥିଲା ନିରୂପାୟ । କ’ଣ ବା ସେ କରିବ ? ସବୁ ଦିଗକୁ ଦୃଷ୍ଟି ଦେଇ ନ ଚଳିଲେ ତା’ର ସମସ୍ତ ଯୋଜନା ଭଣ୍ଡୁର ହୋଇଯିବ ବୋଲି ସେ ଜାଣି ଥିଲା । ସେ ନିଜକଥା ଯେତିକି ସମୟ ଭାବୁ ନ ଥିଲା, ଭାବୁଥିଲା ତା’ ଉପରେ ନିର୍ଭର କରୁଥିବା ବୃଦ୍ଧ ପିତା ମାତା ଓ ସାନ ସାନ ଭାଇ ଭଉଣୀଙ୍କ କଥା । ଗୁରୁପଦ ଉପରେ ବହୁତ ଆଶା ଏହି ବୃଦ୍ଧ ପିତା ଦୀନବନ୍ଧୁର । କଟକରେ ଚାକିରି ଖଣ୍ଡେ ପାଇବା ପରେ, ଦୀନବନ୍ଧୁ ଖୁବ୍‌ ଆନନ୍ଦର ସହିତ ଗୁରୁପଦକୁ ନିଜ କୋଳ ଉପରକୁ ଟାଣି ନେଇ ଗଦଗଦ ହୋଇ କାହିଁକି କାନ୍ଦିପକାଇ ଥିଲା, ସେ କଥା ଗୁରୁପଦର ମନେ ପଡ଼ିଲେ ଆଖିଟା ଏବେ ବି ଜକେଇ ଆସେ । ଦୁଇଧାର ଲୁହ ଥପ ଥପ ହୋଇ ବର୍ଷା ବିନ୍ଦୁଭଳି ଝଡ଼ି ପଡ଼େ ।

 

ଗୁରୁପଦ ଭଲ ଭାବରେ ଜାଣି ଥିଲା ତା’ର ପିତା ଦୀନବନ୍ଧୁ କିଭଳି କଷ୍ଟ ସହି, ମାଟି ସହିତ ମାଟି ହୋଇ ଖରା ବର୍ଷାରେ ନିଜକୁ ମିଶାଇ, ମୁଣ୍ଡ ଝାଳ ତୁଣ୍ଡରେ ମାରି, ରକ୍ତକୁ ପାଣି କରି ତା’କୁ ପାଠ ପଢ଼େଇଛି । କି ଦାରୁଣ ହାଡ଼ଭଙ୍ଗା ପରିଶ୍ରମ ତା’ ପିତା ତା’ ପାଇଁ ନ କରିଛି ? ମଣିଷ ଭଳି ମଣିଷଟିଏ ହେବାପାଇଁ ପାଠ ପଢ଼ିବା ଏକାନ୍ତ ଆବଶ୍ୟକ, ଦୀନବନ୍ଧୁ ଭଲ ଭାବରେ ହୃଦୟଙ୍ଗମ କରିଥିଲା । ସେ ଜାଣିଥିଲା ପାଠ ନ ପଢ଼ିଲେ ମଣିଷ ଭାବରେ ଗଣ୍ୟ ହେବା ସହଜ କଥା ନୁହେଁ । ପାଠ ନ ପଢ଼ି ସେ ଯେଉଁ ନିର୍ଯ୍ୟାତନା ଯନ୍ତ୍ରଣା ଭିତର ଦେଇ ଗତି କରୁଛି, ଭବିଷ୍ୟତରେ ତା’ର ପୁଅମାନେ ସେପରି ନ ଭୋଗନ୍ତୁ । ପିଲାଟି ଦିନରୁ ଦୀନବନ୍ଧୁ ଗୁରୁପଦ ପ୍ରତି ବିଶେଷ ଯତ୍ନ ନେଇଥିଲା । ତା’ ପଢ଼ିବା ପାଇଁ ଆବଶ୍ୟକ ବହିପତ୍ର, ଖାତା, ପେନସିଲ ଠିକ୍‌ ସମୟରେ ଯୋଗାଇ ଦେଇଥିଲା । ସମୟ ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଦୀନବନ୍ଧୁ ଗୁରୁପଦ ପାଠପଢ଼ା ପାଇଁ ତା’ର ସ୍ତ୍ରୀର ସମସ୍ତ ସାହୁକାର ପାଖରେ ଖୁବ୍‌ କମ୍‌ ଦରରେ ବିକ୍ରି କରିଥିଲା । ତା’ର ଗୋଟିଏ ଲକ୍ଷ୍ୟ ଥିଲା ଗୁରୁପଦ ପାଠପଢ଼ି ମଣିଷ ଭଳି ମଣିଷଟିଏ ହେଉ ।

 

ଗୁରୁପଦ ନିଜ ପିତାଙ୍କ ଅକ୍ଳାନ୍ତ ହାଡ଼ଭଙ୍ଗା ପରିଶ୍ରମ କଥା ବାଟ ସାରା ଭାବି ଭାବି ବସାରେ ଆସି ପହଞ୍ଚିଲେ । ଦୁଆର ଚାବି ଫିଟାଇ ଝରକା ଖୋଲିଲା । ଝରକା ବାଟ ଦେଇ ଚନ୍ଦ୍ରକିରଣ ଘର ଭିତରେ ପଡ଼ି ଘରକୁ କିଞ୍ଚିତ ଆଲୋକିତ କରିଦେଲା । ଏହି ଅସ୍ପଷ୍ଟତା ଭିତରେ ଯଥା ସ୍ଥାନରୁ ଲଣ୍ଠନଟା ଆଣି ଦିଆସିଲି ମାରି ଲଣ୍ଠନ ଲଗାଇଲା ଗୁରୁପଦ । ଦକ୍ଷିଣା ପବନ ଦେହରେ ମନ୍ଦ ମନ୍ଦ ବାଜୁଥାଏ, ପଥକ୍ଳାନ୍ତ ଗୁରୁପଦ ବିଶ୍ରାମ ପାଇଁ କିଛି ସମୟ ଖଟ ଉପରେ ଗଡ଼ି ପଡ଼ିଲା । ଓଃ ! କି ସୁନ୍ଦର ପବନ, ମନ ହେଉଛି ରୋଷେଇ ନ କରି ସେମିତି ଶୋଇ ପଡ଼ିବାକୁ । କିଏ ଚୁଲି ଲଗେଇବ ରୁଟି କରିବ, ତରକାରୀ କରିବ, ତା’ପରେ ଖାଇବ ? ପୁଣି ଭାବିଲା ସାମାନ୍ୟ ପରିଶ୍ରମ ପାଇଁ ସେ କାହିଁକି ରାତିଟା ଉପାସ ରହିବ ? ଉପାସ ରହିବାଟା ତା’ପକ୍ଷରେ କିଛି ବଡ଼ କଥା ନୁହେଁ । ରାତିଏ କାହିଁକି ତିନି ରାତି ସେ ଉପାସ ରହିପାରିବ । ଉପବାସ କରିବାରେ ତା’ର ଅଭ୍ୟାସ ଅଛି । ପ୍ରତି ସୋମବାରେ ସେ ନିରୋଳା ଉପାସ କରେ । ଆଜକୁ ପ୍ରାୟ ତିନିବର୍ଷ ହେବ ଉପାସ କରିଆସୁଛି । କିନ୍ତୁ ସେ ଉପାସ କଥା ଅଲଗା, ଆଜିର ଉପାସ କଥା ଅଲଗା । ଆଳସ୍ୟପରାୟଣତାକୁ ସେ ଘୃଣା କରେ । ଏ ତା’ର ପିତାଙ୍କର ନୀତି ବାଣୀ । ତା’ର ପିତା ଯଦିଓ ବିଶେଷ ପାଠ ପଢ଼ି ନାହାନ୍ତି, କିନ୍ତୁ ସେ କେତେଟା ନୀତି ବାକ୍ୟକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି-। ଯେତେ ଝଡ଼ ଝଞ୍ଜା ଆସିଲେ ମଧ୍ୟ ପିତା ତା’ର ଭାଙ୍ଗି ପଡ଼ି ନାହାନ୍ତି । କାହାର ଦାସ ହୋଇ ନାହାନ୍ତି । ନିଜର ବୁଦ୍ଧିବଳରେ ସେ ଜମିରେ ବିଭିନ୍ନ ପ୍ରକାର ଫସଲ କରି ପରିବାରଟିକୁ ସୁଖ ଦୁଃଖ ସଂସାର ଭିତରେ ବାହି ଆଣିଛନ୍ତି । ମଝିରେ ମଝିରେ ସେ ଲକ୍ଷ୍ୟ କରିଛି ମା’ ତା’ର ଯେତେବେଳେ ବେମାର ପଡ଼ନ୍ତି ପିତା ତା’ଙ୍କ ହାତରେ ରୋଷେଇ କରି ସେମାନଙ୍କୁ ଖାଇବାକୁ ଦେଇଛନ୍ତି । ସାଇ ପଡ଼ିଶା ଜ୍ଞାତି କୁଟୁମ୍ୱ ଭିତରେ ତା’ର ପିତାଙ୍କ ଅମାୟିକ ବ୍ୟବହାର ପାଇଁ ବେଶ୍‍ ସୁନାମ ଅର୍ଜ୍ଜନ କରିଛନ୍ତି । ବିପଦ ଆପଦ ବେଳେ ସାଇପଡ଼ିଶାରେ ସର୍ବ ପ୍ରଥମେ ଦାଣ୍ଡକୁ ବାହାରି ପଡ଼ନ୍ତି । ଯେତେ ଝଡ଼ଜଞ୍ଜା ଖରା ବର୍ଷା ହେଉ ପଛେ, ଅସତ୍ୟତା ବିରୁଦ୍ଧରେ ସଂଗ୍ରାମ କରି ରହିବାକୁ ପଡ଼ିବ-। ଆଳସ୍ୟତାକୁ ସବୁବେଳେ ଦୂରକୁ ଠେଲିବାକୁ ପଡ଼ିବ ଏ ତା’ର ପିତାଙ୍କର ବାଣୀ-। ଗୁରୁପଦ ଖଟ ଉପରୁ ଉଠିଲା । କୂଅରୁ ପାଣି ବାଲ୍‌ଟିଏ କାଢ଼ି ମୁହଁ ହାତ ଧୋଇଲା । ପ୍ୟାଣ୍ଟ ସାଟ୍‌ ବଦଳାଇ ଲୁଗାପଟା ପିନ୍ଧି ତା’ର ପ୍ରିୟ ଦେବତା ଶିବ ଶମ୍ଭୁଙ୍କ ପାଖରେ ଧୂପକାଠି ଜାଳି କିଛି ସମୟ ପ୍ରାର୍ଥନା କରି ଦାଣ୍ଡ ପିଣ୍ଡାକୁ ଆସିଲା । ଆକାଶକୁ ଚାହିଁଲା । ତୋଫା ଚନ୍ଦ୍ରକିରଣ ବଗିଚାରେ ବିଛାଡ଼ି ହୋଇ ପଡ଼ିଛି । ଗ୍ରୀଷ୍ମର ଆକାଶ ନିର୍ମଳ ଚନ୍ଦ୍ରମଣ୍ଡଳ ଆକାଶରେ ଅଗଣିତ ତାରା ଆଖି ମିଟି ମିଟି କରୁଛନ୍ତି-। ସମ୍ମୁଖ ପଡ଼ିଆରେ କେତେଟା ଗାଈ ଶୋଇଥିବାର ଦେଖିଲା ।

 

ଘର ମାଲିକ ଶ୍ୟାମଘନବାବୁ ଦାଣ୍ଡପିଣ୍ଡାରେ ବସି ତାଙ୍କ ଚାକର ସହିତ ଆସନ୍ତାକାଲି ପାଇଁ କ’ଣ କ’ଣ କାମହେବ ବରାଦ କରୁଛନ୍ତି । ଘରଣୀ ଫୁଲଅପା ପାଖରେ ଛିଡ଼ା ହୋଇଛନ୍ତି ।

 

ଫୁଲଅପାଟା ବେଶ୍‌ ଭଦ୍ର ମହିଳା । ବାଙ୍ଗିରି ପୃଥୁଳାକାୟୀ, କୃଷ୍ଣରୂପୀ, ହସକୁରୀ ଫୁଲଅପା । ଦେଖିଲାକ୍ଷଣି ଆସି ଘୋଷାରି ନେବ । ମୋଟେ ଛାଡ଼ିବ ନାହିଁ । ଜବରଦସ୍ତ ଖାଇବାକୁ ଦେବ । ଗୁରୁପଦ ନିଜକୁ ଲୁଚେଇ ରଖିବା ପାଇଁ ଘର ଭିତରକୁ ପଶି ଆସିଲା । କିନ୍ତୁ କେମିତି ଫୁଲଅପାର ଆଖି ପଡ଼ିଲା, ସଙ୍ଗେ ସଙ୍ଗେ ଚାକର ଦାଶିଆ ଆସି ପହଞ୍ଚିଲା । ମା’ ଡାକୁଛନ୍ତି ଆସ ।

 

ଗୁରୁପଦ କହିଲା । ମା’ ମୋତେ ଦେଖିଛନ୍ତି ?

 

ଆପଣ ଛିଡ଼ା ହୋଇଥିଲେ; ମା’ ଆପଣଙ୍କୁ ନ ଦେଖିବେ କିପରି ? ଆପଣ ଏଠାକୁ ନ ଆସିବା ପୂର୍ବରୁ ମା’ ମୋତେ କହିଛନ୍ତି, ଗୁରୁପଦ ବାବୁ ଆସିଲେ ଡାକି ଆଣିବୁ । ତାଙ୍କଠାରେ ଜରୁରୀ କାମ ଅଛି । ଆପଣ ଆସିବାର ମୁଁ ଦେଖିଛି । କିନ୍ତୁ ଭୁଲିଯାଇଥିଲି । ଯୋଗକୁ ମା’ଙ୍କ ହାବୁଡ଼ରେ ଆପଣ ପଡ଼ିଗଲେ । ଖସିବେ କୁଆଡ଼େ ?

 

ଯା’ କହିଦେବୁ ବାବୁ ରୋଷେଇ କରୁଛନ୍ତି । ହସି ହସି ଗୁରୁପଦ ଦାଶିଆକୁ କହିଲା ।

 

ମୋ ଚାକିରି ଆପଣ ଖାଇବେ ନା କ’ଣ ? ମୋତେ କୁହା ହୋଇଥିଲା, ଆଜି ଅଫିସ୍‌ରୁ ଫେରିବା ମାତ୍ରେ ଡାକି ନେବାକୁ । ଆଜି ଘରେ ଜବର ପିଠା ହୋଇଛି । ଯେମିତିଆ ପିଠା ଆପଣ ଖାଇପାରିବେ । ସାତ ଆଠ ପ୍ରକାର ପିଠା, ସରୁ ଚକୁଳି, ଆରିଶା, ପୋଡ଼ପିଠା, ଛୁଞ୍ଚିପତ୍ର, ମଣ୍ଡାପିଠା, ପୁରଦିଆ ଚକୁଳି ତା’ ସାଙ୍ଗକୁ ବାବୁ ଆଣିଛନ୍ତି ମାଂସ । ପୋଖରୀରୁ ଧରା ହୋଇଥିଲା ମାଛ । ଯାହା ଆପଣ ଖାଇ ପାରିବେ । ଏଭଳି ପରିସ୍ଥିତିରେ ମୁଁ ଯଦି କହିବି ଆପଣ ରୁଟି ଡାଲ୍‌ମା କରୁଛନ୍ତି, ମା’ ଶୁଣିଲା ମାତ୍ରେ ମୋ ଚାକିରି ଗୋଲ କରିଦେବେ । ଆପଣ ଯାହା ବୁଝିବେ । ମୁଁ ଆଉ ଅଧିକ କିଛି କହୁନାହିଁ ।

 

ଦାଶିଆର ଲମ୍ୱା ବକ୍ତୃତା ଶୁଣି, ଗୁରୁପଦ ଖୁବ୍‌ ଜୋରରେ ହସିଲା । ତୁ ଯେଭଳି ବର୍ଣ୍ଣନା Description ଦାଶିଆ କଲୁଣି, ମୁଁ ଆଜି ତୁମ ମା’ଙ୍କୁ ସାକ୍ଷାତ କରି ପାରିବି ନାହିଁ । ଯା’ କହିଦେବୁ ବାବୁ ଭୀଷଣ ଝାଡ଼ା ହେଉଛନ୍ତି । ତାଙ୍କ ଅଫିସ୍‌ରେ ଜଣେ ବାବୁ ଆଜି ବଦଳି ହୋଇଗଲେ । ତାଙ୍କ ବିଦାୟ ଭୋଜିରେ ବାବୁ ପେଟେ ଖାଇଦେଇ ବର୍ତ୍ତମାନ ଅଜୀର୍ଣ୍ଣ ରୋଗରେ ପଡ଼ିଛନ୍ତି । ଦୁଇ ଚାରିଟା ଝାଡ଼ା ହୋଇଗଲାଣି ।

 

ବାବୁ, ମୋ ଚାକିରିକୁ ରଖି ଆପଣ ଯାହା କରିବା କଥା କରନ୍ତୁ । ମା’ଙ୍କ ଆଗରେ ଆଗରୁ କେବେ ମିଛ କହିନି, ଏବେ ବି କହିପାରିବି ନାହିଁ । ଆପଣ ଆସନ୍ତୁ ଯାହା କହିବା କଥା କହି ଚାଲି ଆସିବେ । ମଝିରେ ମୋତେ ଏପଟ ସେପଟ କରାନ୍ତୁ ନାହିଁ ।

 

ହଉ ଯା’ ମୁଁ ଟିକେ ଛାଡ଼ି ଯାଉଛି । ହଁ, ଶୀଘ୍ର ଆସନ୍ତୁ । ଦାଶିଆ ଫେରି ଆସିଲା ।

 

ଦାଶିଆ ଫେରିବା ବାଟକୁ ଚାହିଁ ଗୁରୁପଦ ମୁରୁକି ମୁରୁକି ହସୁଥିଲା ।

 

ଶ୍ୟାମଘନବାବୁଙ୍କ ଘରେ ରହିବା ତା’ର ପ୍ରାୟ ପାଞ୍ଚମାସ ହୋଇଗଲାଣି । ଏହି ମାସ ପୁରିଲେ ଛଅମାସ ପୂରିବ । ଛ’ ମାସ ଭିତରେ ଗୁରୁପଦ ଶ୍ୟାମଘନବାବୁଙ୍କ ପରିବାର ସହିତ ନିଜକୁ ବେଶ୍‍ ମିଶାଇ ପାରିଛି । ପ୍ରତି ପର୍ବପର୍ବାଣୀ ଭଲ ମନ୍ଦ, ସୁଖ ଦୁଃଖ ଭିତରେ କ୍ଷୀର ସହିତ ନୀର ମିଶିଲା ଭଳି ସେ ମିଶି ଯାଇଛି । ଶ୍ୟାମଘନବାବୁ ଅଧିକାଂଶ ସମୟରେ ପାଖକୁ ଡାକି କହିଛନ୍ତି, ଗୁରୁପଦ ତୁମେ ଏଥର ଆମ ଘରେ ଖିଆପିଆ କର । ଏକା ଜାତିଭାଇ ଅସୁବିଧା ହେବନି । ଏତେଗୁଡ଼ିଏ ବାଟ ଅଫିସ ଚାଲି ଚାଲି ଯାଇ ପୁଣି ଅଫିସରୁ ଫେରି ରନ୍ଧାବଢ଼ା କରିବାକୁ ବହୁତ କଷ୍ଟ ହେଉଥିବ । ସେ ସମୟରେ ସେ କ’ଣ ଭାବିଥିଲା କେଜାଣି ରୋକଠୋକ ଶ୍ୟାମଘନବାବୁଙ୍କୁ ମନା କରିଦେଇଥିଲା । କାହାରି ଘରେ ସେ ଖାଇବାକୁ ଭଲ ପାଏନି, ଏ ତା’ର ଜନ୍ମଗତ ଦୋଷ । ସାମାନ୍ୟ ପରିଶ୍ରମ ପାଇଁ ପର ହାତକୁ ଯିଏ ଅନାଏ ସେ ମଣିଷ ଭାବରେ ଗଣା ହୁଏନି । ନିଜେ ରୋଷେଇ କରିବ, ଯେତେବେଳେ ଯାହା ମନ ହେବ ଖାଇବ । ମାଛ, ମାଂସ, ଅଣ୍ଡା, ଘିଅ, ଦୁଧ, ଯାହା ସିଏ ଯେତେବେଳେ ଚାହିଁବ । ସ୍ୱାଧୀନତା ମଣିଷକୁ ଯେଉଁ ଆନନ୍ଦ ଦିଏ ସେ ଅନୁଭୂତି ଯାହାର ଅଛି, ସେ କେବେ ପରାଧୀନକୁ ସାମାନ୍ୟ ପରିଶ୍ରମକୁ ଡରି ଆଦରି ନେବନି । ଦିନେ ପିଲାଦିନେ ତା’ ଜୀବନରେ ଘଟିଥିବା ଗୋଟିଏ କଥା ତା’ର ମନେ ପଡ଼ିଲା । ଲେଖାଯୋଖା ମାମୁଁ ଗିରିଧାରୀଙ୍କ କଥା । ଏବେ ସେ ଗାଁରେ ଝୋଟ ବ୍ୟବସାୟ କରିଛନ୍ତି । ଲାଭ ଦି’ ପଇସା କରଛନ୍ତି । ତା’ର ପିତା ଦୀନବନ୍ଧୁକୁ ଆସି କହିଲେ, ଗୁରୁପଦ ଏତେଗୁଡ଼ିଏ ବାଟ ଚାଲି ଚାଲି ସ୍କୁଲକୁ ଯାଉଛି ପୁଣି ଚାଲି ଚାଲି ଘରକୁ ଫେରୁଛି ଭାରି କଷ୍ଟ ହେଉଥିବ । ତୁ ଗୋଟେ କାମ କର । ମୋ ଘରେ ତା’କୁ ଛାଡ଼ି ଦେ । ମୁଁ ତା’ର ସବୁ ବନ୍ଦୋବସ୍ତ କରିଦେବି । ତା’ର ଖାଇବା ପିଇବା, ବହିପତ୍ର ଇତ୍ୟାଦି ଇତ୍ୟାଦି ସବୁ କିଛି । ତୋତେ କିଛି ଚିନ୍ତା କରିବାକୁ ପଡ଼ିବ ନାହିଁ । ପିଲାଟା ବାଟ ଚଲାରୁ ମୁକ୍ତି ପାଇବ । ବାପା କିନ୍ତୁ ଏକଥା ଶୁଣି ରୋକଠୋକ ମନା କରି ଦେଇଥିଲେ । ଗୁରୁପଦ ଘର ଛାଡ଼ି କାହା ଘରେ ରଡ଼ିପାରିବ ନାହିଁ । କିନ୍ତୁ ବୋଉ ତା’ର ଏଥିରେ ପ୍ରତିବାଦ କରି ବାପାଙ୍କ ଉପରେ ବିରକ୍ତ ହୋଇଥିଲା । ଖୁବ୍‌ ରାଗିଯାଇ ବାପାଙ୍କୁ କହିଲା ଯଦି ଗିରିଧାରୀ କହୁଛି ତା’ହେଲେ ଗୁରୁପଦ ଯାଇ ତା’ ଘରେ ରହି ପାଠ ପଢ଼ୁ । କ୍ଷତି କ’ଣ ? ପିଲାଟା ଖରା ବର୍ଷାରେ ଏତେଗୁଡ଼ିଏ ବାଟ ଚାଲି ଚାଲି ଯାଉଛି । ବର୍ଷାଦିନେ ଯେଉଁ ଘଡ଼ି ଘଡ଼ି ବର୍ଷା, ଖରାଦିନେ ଯେଉଁ ଉଦୁଉଦିଆ ଖରା; ସେଥିରୁ ତ ପିଲାଟା ମୁକ୍ତି ପାଇଯିବ । ଗିରିଧାରୀ ତ କିଛି ଖରାପ ଲୋକ ନୁହେଁ । କେତେ ପଇସା ତା’ ହାତରେ ଅଛି । ଆମର ତ ବର୍ଷଯାକ ଅଭାବ । ଧାନ ତ ସବୁ ଧୋଇରେ ଗଲା । କିଛି ତ ମୋଟେ ହେଲା ନାହିଁ । କରଜ ଉପରେ କରଜ, ଏପର୍ଯ୍ୟନ୍ତ ଘର ଛପର ହୋଇପାରିଲା ନାହିଁ । ଏତେଗୁଡ଼ିଏ ଅଭାବ ଅସୁବିଧା ଦେଖି ତୁମେ ମନା କରି ଦେଉଛ ? ବାପା, ବୋଉର ବକ୍ତୃତା ଶୁଣି କିଛିକ୍ଷଣ ଥମ୍‌ମାରି ବସି ଯାଇଥିଲେ । କାରଣ ସେ ଗିରିଧାରୀ ମାମୁଁଙ୍କ ଗୁଣ ଜାଣିଥିଲେ । ଗିରିଧାରୀ ଥିଲେ ମୂର୍ଖ । ପାଠ ଯାହା ପଢ଼ିଥିଲେ ଦସ୍ତଖତ ବ୍ୟତୀତ ଦି’ଧାଡ଼ି ବହି ପଢ଼ିବା ବହୁ କଷ୍ଟ । ଗୁମାସ୍ତା ରଖି କାମ ଚଳାଉଥିଲେ । ତାଙ୍କର ଯେଉଁ କାଳିଆ ଡେଙ୍ଗା ପୁଅ ଅଛି ବାପା ଠାରୁ ପୁଅ ଦି’ଗୁଣ କହିଲେ ଚଳେ । ପୁଅର ଗୁଣ ଦେଖି ଗିରିଧାରୀ ମାମୁଁ ତା’କୁ ଘରୁ ବାହାର କରି ଦେଇଛନ୍ତି । ସେ ଯାହାହେଉ ବାପା ଭଲ ଭାବରେ ଜାଣିଥିଲେ ଗିରିଧାରୀ ଗୁରପଦକୁ ନେଇ ଗୁମାସ୍ତାଗିରି କାମରେ ଲଗାଇ ଦେବ । ଏଠିକି ଯା’ ସେଠିକି ଯା’ ହୁକୁମ୍‌ ଦେବ । ତା’କୁ ମୋଟେ ପାଠ ପଢ଼େଇ ଦେବନି । ଯେତିକି ପଇସା ଖାଇବାପାଇଁ ଖର୍ଚ୍ଚ କରିବ, ତା’ର ତିନିଗୁଣ ପଇସା ସେ କାମରେ ଉଠେଇ ଦେବ-। ସେ ବେପାରି ଛୁଆ । ତାଙ୍କ ମୁହଁରେ ସଦାସର୍ବଦା ପଇସାର ହିସାବ । ବାପା ସେଦିନ ବୋଉ ଉପରେ ବିରକ୍ତ ହୋଇଥିଲେ, କିନ୍ତୁ ବୋଉ ଜିଦି ଧରି ବସିଥିଲା । ପିଲାଟା କିଛିଦିନ ପାଇଁ ଗିରିଧାରୀ ପାଖକୁ ଯାଉ । ଯଦି କିଛି ଅସୁବିଧା ହେବ ନେଇ ଆସିବା । ଉପସ୍ଥିତ ଅବସ୍ଥାରୁ ରିହାତି ପାଇବା ପାଇଁ ବୋଉର ଯୁକ୍ତି ଉପରେ ବାପା ସମ୍ମତି ଜଣାଇ ଗିରିଧାରୀ ମାମୁଁଙ୍କ ଘରେ ପଢ଼ିବାକୁ ରାଜି ହୋଇଥିଲେ କାରଣ ତା’ର ସେତେବେଳେ ଥିଲା ଅଷ୍ଟମ ଶ୍ରେଣୀ । ଖୁବ୍‌ କମରେ ବହି କିଣା ଓ ସ୍କୁଲ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଶହେ ଟଙ୍କା ଆବଶ୍ୟକ ପଡ଼ିବ । ଏହି ଶହେ ଟଙ୍କା ଯଦି ବଞ୍ଚିଯାଏ ତା’ହେଲେ ଘର ଛପରଟା ଅକ୍ଳେଶରେ ହୋଇଯିବ । ବର୍ଷା ଦିନ ଆସି ଯାଇଥାଏ । ଘର ଛପର ନ ହେଲେ ବର୍ଷାଦିନେ ଘରେ ରହିବା ଅସମ୍ଭବ ହୋଇ ପଡ଼ିବ । ସହଜେ ତ ପୁରୁଣା କାଳିଆ ଘର । ଏଣୁ ନ ଛାଇଲେ ବର୍ଷାପାଣି ପଡ଼ି ମାଟି କାନ୍ଥ ଭାଙ୍ଗି ପଡ଼ିବ । ସେତେବେଳେ ଶହେ ଜାଗାରେ ତିନିଶହ ଖର୍ଚ୍ଚ ହେବ । ମନେ ମନେ ବହୁତ ବିଚାର ପରେ ପିତାଙ୍କ କଥାକୁ ମାନି ଗିରିଧାରୀ ମାମୁଁ ଘରକୁ ପଢ଼ିବାକୁ ଯାଇଥିଲା । କିନ୍ତୁ ସେଠାକୁ ଯାଇ ଗୋଟାଏ ମାସ ପରେ ଯାହା ଦେଖିଲା ଆଉ ଅଧିକ ଦିନ ରହିବାକୁ ମୋଟେ ଇଚ୍ଛା ହେଲାନାହିଁ । ବାପାଙ୍କ କହିବା ଅନୁଯାୟୀ ଗିରିଧାରୀ ମାମୁଁ ତାକୁ ଗୁମାସ୍ତାଗିରି କାମରେ ନିଯୁକ୍ତ କରିଦେଲେ । ସକଳେ ସନ୍ଧ୍ୟାରେ ସେ ମୋଟେ ବହି ଧରିପାରିଲା ନାହିଁ । ଟଙ୍କା ହିସାବ ଦେଖିବାରେ ବ୍ୟସ୍ତ ରହିଲା । ମହରଗରୁ ଆସି କାନ୍ତାରେ ପଡ଼ିଲା ଭଳି ସେ ଅନୁଭବ କଲା । କୌଣସିମତେ ବହୁ ଝଡ଼ଝଞ୍ଜା ଭିତରେ ଗିରିଧାରୀ ମାମୁଁଙ୍କ ପାଖରୁ ଖସି ଆସି ନିଜ ଘରେ ରହିଲା । ସେହିଦିନଠାରୁ ଗିରିଧାରୀର ମାମୁଁ ଏ ପର୍ଯ୍ୟନ୍ତ ତାଙ୍କ ଘରକୁ ଆସନ୍ତି ନାହିଁ । ବାପା ତାଙ୍କୁ ପାଟି ଫିଟାଉ ନାହାନ୍ତି । ବୋଉ ତା’ ନାଁ ଶୁଣିଲା କ୍ଷଣି ଫଅଁ ଫଅଁ ହେଉଛି । ଏହିସବୁ ଅନୁଭୂତି ତା’ ଜୀବନରେ ଘଟି ଯାଇଥିବାରୁ ଶ୍ୟାମଘନବାବୁଙ୍କୁ ସେ ତାଙ୍କ ଘରେ ରହି ଖାଇବା ପାଇଁ ମନା କରି ଦେଇଥିଲା । ଶ୍ୟାମଘନବାବୁ ମଧ୍ୟ ଦ୍ୱିତୀୟ ଥର ପାଇଁ ତା’କୁ କିଛି କହି ନାହାନ୍ତି । କିନ୍ତୁ ସ୍ତ୍ରୀ ଫୁଲଅପା ଏବେ ବି କହୁଛି, ରୋଷେଇ ନ କରି ତାଙ୍କ ଘରେ ଖାଇବାକୁ ।

 

ଫୁଲଅପା ସହିତ ସାକ୍ଷାତ କରିବା ଏକାନ୍ତ ଆବଶ୍ୟକ ମନେକରି ଗୁରୁପଦ ଧୋତିଟାକୁ ଫାଲଟା ମାରି ତା’ ଉପରେ ବ୍ଳୁ ସାଟ୍‌ଟା ପିନ୍ଧି ପଦାକୁ ବାହାରି ପଡ଼ିଲା । ହାତ ଘଡ଼ିକୁ ଚାହିଁଲା, ସମୟ ସାଢ଼େ ନଅଟା ହେଲାଣି । ଭାବିଲା ଫେରୁ ଫେରୁ ରାତି ଏଗାର କିମ୍ୱା ବାର ହେବ । ତା’ ପୂର୍ବରୁ କେବେ ନୁହେଁ । ଦାଶିଆ ଆଗରେ କହି ଦେଇଛି ପେଟ ଖରାପ ହୋଇଛି, ଆଉ କେମିତି ସେ ଖାଇବାକୁ କହିବ । ଆଜି ତା’କୁ ଉପାସ ରହିବାକୁ ପଡ଼ିବ ନିଶ୍ଚୟ । ମନକଥା ମନରେ ରଖି ପଦାକୁ ପାଦ ବଢ଼ାଇଲା ଗୁରୁପଦ । ଫୁଲଅପା ପାଖରେ ପହଞ୍ଚି ଦେଖିଲା, ଶ୍ୟାମଘନବାବୁ ଖଟ ଉପରେ ଶୋଇ ପଞ୍ଚାୟତ ଆଇନ ବହି ପଢ଼ୁଛନ୍ତି । ଫୁଲଅପା ଖଟ ତଳେ ବସି ପାନ ଭାଙ୍ଗୁଛି । ଅପା କହିଲା କେତେବେଳୁ ତୋତେ ଡାକିଲେଣି । ତୁ ଏତେ ଡେରିରେ ଆସୁଛୁ । ସାଧା ପାନ ଖଣ୍ଡେ ଖା ?

 

ମୁଁ କ’ଣ ପାନ ଖାଏ, ତୁମେ ମତେ ପାନ ଖାଇବା କେବେ ଦେଖିଛ, ହସି ହସି ଗୁରୁପଦ କହିଲା ।

 

ଶ୍ୟାମଘନବାବୁ ଶୋଇଥିବା ଅବସ୍ଥାରୁ ଉଠିପଡ଼ି ଖଟ ଉପରେ ବସି କହିଲେ ଗୁରୁପଦ, ତୁମ ଅପାର ଗୋଟାଏ ଖରାପ ଅଭ୍ୟାସ । ଯାହାର ଯେଉଁଟା ଅଭ୍ୟାସ ନ ଥିବ ସେ ତା’କୁ କଳେ ବଳେ କୌଶଳେ ଅଭ୍ୟାସ କରାଇ ଦେବ । ଉଦାହରଣ ସ୍ୱରୂପ ତୁମର ପାନ ଅଭ୍ୟାସ ନାହିଁ ଅଥଚ ତୁମକୁ ପାନ ଜଚା ହେଉଛି । କ’ଣ କରିବ କହିଲ ? ଏମିତି ଭାବରେ ତୁମକୁ ଜଚା ଯିବ ଯେ ଶେଷକୁ ବାଧ୍ୟ ହୋଇ, ବଡ଼ ବିରକ୍ତ ହୋଇ ପାନ ଖଣ୍ଡକ ପାଟିରେ ପୂରାଇ ଦେବ । ତା’ପରେ ପାନ ଭିତରେ ଯେଉଁ ଚଉଷଠି ମସଲା ଦିଆଯାଇଥିବ ତାହା ତୁମେ ପାନ ଖାଇଲା ପରେ ଜାଣି ପାରିବ ଏବଂ ତା’ ପରେ ପରେ ସେମିତିକା ପାନ ଖାଇବା ପାଇଁ ଦୋକାନରେ ବରାଦ କରିବ । ଏହାଦ୍ୱାରା ତୁମର ଅଭ୍ୟାସ ହେବ । ମାସକ ଦରମାରୁ କୋଡ଼ିଏ ଟଙ୍କା ପାନରେ ଖର୍ଚ୍ଚ ହେବ ଜାଣିବ । ମୁଁ ଯେପରି ବର୍ତ୍ତମାନ ଗୁଡ଼ାଖୁ ଅଭ୍ୟାସ କରି ହରଡ଼ ଘଣାରେ ପଡ଼ିଛି, ତୁମେ ସେମିତି ପଡ଼ିବ । ନିଅ ନିଅ ଆଜି ଦିନକ ପାନଟା ଖାଇଦିଅ ।

 

ପାନ ଖିଲଟା ପାଟିରେ ପୂରାଇ ଫୁଲଅପା ଚିଲେଇ ଉଠି କହିଲେ, ଆଚ୍ଛା, ! ତୁମେ ଏତେ ମିଛ କହିପାର । ମିଛକୁ କେହି ପାରି ନାହାଁନ୍ତି, ମୁଁ କେମିତି ପାରିବି ? ତୁମେ ତ ଅଧଘଣ୍ଟାକୁ ଅଧଘଣ୍ଟା ପାଟିରେ ଗୁଡ଼ାଖୁ ନ ପୂରାଇଲେ ମୁଣ୍ଡ ତୁମର ଖରାପ ହୋଇଯାଏ । ଏ କଥା କ’ଣ କେହି ଜାଣନ୍ତି ନାହିଁ ? ମାସକୁ ତିରିଶ ଟଙ୍କାର ଗୁଡ଼ାଖୁ ତୁମର ଦରକାର, ମୁଁ ବାହାହେଲା ବେଳୁ ଦେଖି ଆସୁଛି । ଆଜି କ’ଣ ଏମିତି କହୁଛ । ଗୁଡ଼ାଖୁ ନ ଘଷିବା ପାଇଁ ଡାକ୍ତର ଯେତେ ମନା କଲେଣି ତାହା କହିବା କଥା ନୁହେଁ । ଏଇ ଗୁଡ଼ାଖୁ ପାଇଁ ତୁମର ମୋର ରାତି ପାହିଲେ ଝଗଡ଼ା । ହେ ଭଗବାନ୍‌ ! କ’ଣ ଯେ ତୁମକୁ କୁହନ୍ତି......ଛାଡ଼ । ଗୁରୁପଦଟା ଅଛି ନଚେତ୍....। ଲୋକେ ପୁଣି ଏତେ ମିଛକଥା କହନ୍ତି ! ମୁଁ ଜାଣି ନ ଥିଲି । ମୋର ଏଇ ପାନଟା ଅଭ୍ୟାସ, ଆଉ ଚା’ ନା ଗୁଡ଼ାଖୁ ଅଭ୍ୟାସ ଅଛି, ତୁମର ତ ସବୁ ଅଭ୍ୟାସ ଅଛି । ପାନ, ଚା, ଗୁଡ଼ାଖୁ, ସିଗାରେଟ୍‌, ଆଉ କ’ଣ ଥିବ ତୁମେ ଜାଣିଥିବ । ଛାଡ଼ ସେ କଥା, ଉଠ ଖାଇବ ।

 

ମୋର ଯେଉଁ ଅଭ୍ୟାସଗୁଡ଼ିକ ଅଛି ବୋଲି କହୁଛ ମୁଁ ପିଲାଦିନରୁ କରି ଆସିଛି । କିନ୍ତୁ ତୁମେ ଯେଉଁ ଅଭ୍ୟାସଟା କରିଛ ଏହି ଦୁଇ ତିନି ବର୍ଷ ହେବ । ଶ୍ୟାମଘନବାବୁ ହସି ହସି କହିଲେ, ହେଲା କ’ଣ ହେଲା । ତୁମେ ପନ୍ଦର ବର୍ଷ ହେବ ଅଭ୍ୟାସ କରିଛ । ମୁଁ ତିନି ବର୍ଷ ହେବ ଅଭ୍ୟାସ କରିଛି । ତୁମେ ଛିଡ଼ିଦିଅ, ମୁଁ ଛାଡ଼ିଦେବି ।

 

ହେଲା ମୁଁ ସବୁ ଛାଡ଼ିଦେବି । ତୁମେ ସବୁ ଛାଡ଼ିଦେବ ? ଏହି ଗୁରୁପଦ ସାକ୍ଷୀ ରହିଲା, ଶ୍ୟାମଘନବାବୁ କହିଲେ ।

 

ହଁ ଗୁରୁପଦ ତୁ ସାକ୍ଷୀ ରହିଲୁ । ଆଜି ହେଲା ଗୁରୁବାର, ଶୁକ୍ରବାରଠାରୁ ଆମର ସବୁ ଅଭ୍ୟାସ ବନ୍ଦ ।

 

ଗୁରୁପଦ ମନେ ମନେ ଖୁବ୍‌ ହସୁଥାଏ । ସ୍ୱାମୀ ସ୍ତ୍ରୀ ଭିତରେ ଏମିତି ଚାଲେ । ପରସ୍ପର ଦୋଷାରୋପରୁ ମୁକ୍ତି ପାଇବା ପାଇଁ ଯୁକ୍ତି ବାଢ଼ି ବସନ୍ତି । କିନ୍ତୁ ଫଳ କିଛି ହୁଏନି । ନିଶା ଖାଇବା ଲୋକ ଅନେକ ଥର ନିୟମ କରନ୍ତି ଏବଂ ଅନେକ ଥର ନିୟମ ଭାଙ୍ଗନ୍ତି । ଅଭ୍ୟାସରେ ପଡ଼ିଯାଇଥିବା ଜିନିଷ ସହଜରେ ଛାଡ଼ି ହୁଏନି ଏବଂ ଆପେ ଆପେ ଭାଙ୍ଗିଯାଏ । ଉପସ୍ଥିତ କ୍ଷେତ୍ରରେ ଶ୍ୟାମଘନବାବୁ ଓ ଫୁଲଅପା ଭିତରେ ଯେଉଁ ଜିଦା ଜିଦି ହୋଇ ବାଜି ରହିଲା, ଏହା କ୍ଷଣସ୍ଥାୟୀ, ଚିରସ୍ଥାୟୀ ନୁହେଁ ବୋଲି ସେ ଭଲ ଭାବରେ ଜାଣିଛି । ଠିକ୍‌ ଅଛି ମୁଁ ସାକ୍ଷୀ ରହିଲି । ଫୁଲଅପା ତୁମେ ଆଉ ପାନ ଖାଇବ ନାହିଁ । ଶ୍ୟାମଘନ ଭାଇ ମଧ୍ୟ ଆଉ ଗୁଡ଼ାଖୁ, ପାନ, ସିଗାରେଟ ଖାଇବେ ନାହିଁ । ଯିଏ ଆଗ ନିୟମ ଲଙ୍ଗନ କରିବ ସିଏ.......ତା’ ପରେ ଆଉ କିଛି ଗୁରୁପଦ କହିପାରିଲା ନାହିଁ । ନିୟମ ଲଙ୍ଘନ କଲେ କ’ଣ ଦଣ୍ଡ ଦିଆ ଯାଇ ପାରିବ ।

 

କୁହ କ’ଣ ହେବ ? ଯିଏ ନିୟମ ଲଙ୍ଘନ କରିବ ତା’ ପ୍ରତି କି ଜୋରିମାନା ହେବ ?

 

କିରେ କହୁନୁ ଗୁରୁପଦ । ଯିଏ ନିୟମ ଭାଙ୍ଗିବ ତା’ ପ୍ରତି କି ଜୋରିମାନା ହେବ ? ଫୁଲଅପା କହିଲେ ।

 

ମୁଁ କିଛି କହିପାରିବି ନାହିଁ ଅପା । ଆଜି ରାତିରେ ତୁମେ ଦୁଇଜଣ ଠିକ୍‌ କରିବ । ନିୟମ ଲଙ୍ଘନ କଲେ କି ପ୍ରକାର ଜୋରିମାନା ତୁମେ ଦେଇ ପାରିବ ।

 

ସମସ୍ତେ ଏକା ଥରକେ ହସି ଉଠିଲେ । ଶ୍ୟାମଘନବାବୁ କହିଲେ ଗୁରୁପଦ ମହା ଚାଲାଖ । ଠିକଣା ବେଳେ ଖସିଗଲା ।

 

ହସି ହସି ଗୁରୁପଦ କହିଲା ମୁଁ ଯାଉଛି । ଉଭୟ ଜୋରିମାନା ଦେବେ କେହି ଖସି ପାରିବେ ନାହିଁ । ଫୁଲଅପା କେବେ ପାନ ଛାଡ଼ି ପାରିବେ ନାହିଁ, କି ଶ୍ୟାମଘନ ଭାଇ କେବେ ପାନ, ସିଗାରେଟ୍‌ ଗୁଡ଼ାଖୁ ଛାଡ଼ି ପାରିବେ ନାହିଁ । ଆଜି ଯେଉଁ ବାଜି ମରା ହେଲା ଏହା କ୍ଷଣସ୍ଥାୟୀ । ତଥାପି ପରୀକ୍ଷା ସ୍ୱରୂପ ଗୋଟିଏ ସପ୍ତାହ ଦେଖାଯାଉ ଫଳ କ’ଣ ହେଉଛି ।

 

ଠିକ୍‌ ଅଛି । ପ୍ରଥମେ ଗୋଟିଏ ସପ୍ତାହ ଦେଖାଯାଉ, ଆସ ଖାଇବ, ଫୁଲଅପା ଡାକିଲେ-

 

ମୁଁ ଖାଇବି ନାହିଁ । ମୋ ପେଟ୍‌ ଖରାପ, ଗୁରୁପଦ କହିଲା ।

 

ଫାଜିଲାମି କଥାଗୁଡ଼ାକ ରଖିଦେ । ମିନିର ଆଜି ଜନ୍ମଦିନ ତୁ ଆଜି ପେଟ ପୂରା କରି ଖାଇବୁ । ତୋତେ ମୋଟେ ଛାଡ଼ିବି ନାହିଁ ।

 

ମିନିର ଜନ୍ମଦିନ କଥା ଆଗରୁ କାହିଁକି କିଛି କହୁ ନ ଥିଲ ତ ? ଆଜି ହଠାତ୍‌ କିପରି ମନେ ପଡ଼ିଗଲା ।

 

ତୁ ବୁଝିନୁ ଗୁରୁପଦ ! ତୋ ଭାଇ ତ ସବୁବେଳେ ଗାଁ ମାମଲତରେ ବ୍ୟସ୍ତ । ପାଞ୍ଜିଟା ନେଇ କାହାକୁ ଦେଇ ଦେଇଛନ୍ତି ଯେ, ତାଙ୍କର ମନେ ପଡ଼ୁନି । ଆଜି ସକାଳୁ ଭୂୟାଁ ଘରୁ ପାଞ୍ଜି ଆଣି ଦେଖେ ତ ମିନିର ଜନ୍ମଦିନ ଆଜି ପଡ଼ୁଛି । କ’ଣ କରିବି କିଛି ସ୍ଥିର କରିପାରିଲି ନାହିଁ । ମେଳାଟାଏ ହୋଇପାରିଲା ନାହିଁ । ପିଠା ଦି’ଚାରିଟା କରି ଦେଇଛି । ଗାଁରେ ବି କାହାକୁ ଡାକିନି । ଆମରି ଘର ଭିତରେ ସବୁ । ପୋଖରୀରୁ ମାଛ ଦି’ଟା ଧରିଥିଲି । ଯୋଗକୁ ଭାଇ ହାଟରୁ ମାଂସ କିଲେ କିଣି ଆଣିଛନ୍ତି । ମାଛଟା କାଲି ପାଇଁ ରଖିଦେଲି । ଆଜି ମାଂସ ତରକାରୀ କରିଛି । ଆ ଦି’ଟା ପିଠା ଖାଇଦେବୁ ।

 

ବହୁ ବାଧ୍ୟ ବାଧ୍ୟକତା ଭିତରେ ଗୁରୁପଦ ପିଠା ଦି’ଟା ଖାଇ ବସାକୁ ଫେରୁ ଫେରୁ ରାତି ବାରଟା ବାଜି ଯାଇଥିଲା । ବିଛଣାରେ ଗଡ଼ି ପଡ଼ିବା ସାଙ୍ଗେ ସାଙ୍ଗେ ଆଖି ଦି’ଟା ଆପେ ଆପେ ବୁଜି ହୋଇଗଲା ।

 

(ଦୁଇ)

 

ପରଦିନ ସକାଳୁ ଗୁରୁପଦ ଉଠି କାଠଯୋଡ଼ି ନଦୀକୁ ଗାଧୋଇବାକୁ ଗଲା । ଫେରିଲାବେଳେ ଦେଖାହେଲା ସେହି ଗାଁର ଅର୍ଜ୍ଜୁନବାବୁ । ବୟସ ଚାଳିଶ ପାଖାପାଖି । ପ୍ରାଥମିକ ସ୍କୁଲର ଶିକ୍ଷକ ।

 

ଏକ ଧ୍ୟାନରେ ଗୁରୁପଦ ତର ତର ହୋଇ ଫେରୁଥାଏ । ଘରେ ପହଞ୍ଚିଲେ ରୋଷେଇ କରିବ । ଖାଇ ପିଇ ଅଫିସ ଯିବ । ବାଟ ଚାଲିବାକୁ ତିନି କିଲୋମିଟର ପଡ଼ିବ । ସକାଳୁ ସକାଳୁ ବାହାରି ନ ପଡ଼ିଲେ ଅଫିସରେ ଦଶଟାରେ ପହଞ୍ଚି ହେବନି । ପ୍ରତ୍ୟେହ ଖାଇ ପିଇ ସାଢ଼େ ଆଠଟା ବେଳକୁ ଅଫିସ ବାହାରି ପଡ଼ିଲେ ଠିକ୍‌ ଦଶଟା ଭିତରେ ପହଞ୍ଚି ହେବ । ନୂଆ ଚାକିରି, ନୂଆ ଅଫିସର । ଡେରିରେ ଗଲେ କାଳେ କ’ଣ ଅସୁବିଧା ହୋଇଯିବ; ଅଫିସର କାଳେ ବିରକ୍ତ ହେବେ, ତା’ ପୂର୍ବରୁ ନିଜକୁ ନିଜେ ସାବଧାନ ହେବା ଉଚିତ । ଜଗି ରଖି କାମକଲେ କୌଣସି ଅସୁବିଧା ହେବନାହିଁ ।

 

ନମସ୍କାର ଗୁରୁପଦ ବାବୁ ! ଅର୍ଜ୍ଜୁନ ହାତ ଯୋଡ଼ି କହିଲେ । ଆପଣଙ୍କର କିଛି କ’ଣ କାମ ଅଛି ? ଗୁରୁପଦ ପଚାରିଲା ।

 

ବହୁତ କାମ ଅଛି । କାଲିଠାରୁ ଆପଣଙ୍କୁ ଖୋଜୁଛି କିନ୍ତୁ ପାଉନାହିଁ । ଆଜି ସକାଳୁ ଦୌଡ଼ି ଦୌଡ଼ି ଆସିଛି ।

 

କୁହନ୍ତୁ, ଗୁରୁପଦ ପଚାରିଲା । ଆପଣ ଆଜି ସନ୍ଧ୍ୟାରେ ଆମ ଘରକୁ ଯିବେ । ସବୁ କଥାବାର୍ତ୍ତା ସେଠି ହେବା । ଆପଣଙ୍କ କଥା ମନେ ପଡ଼ିବାରୁ କାଲି ରାତି ଠାରୁ ମୋଟେ ମୋତେ ନିଦ ନାହିଁ । ବାଟ ମଝିରେ କହି କିଛି ଲାଭ ନାହିଁ । ଆପଣ ବର୍ତ୍ତମାନ ଖାଇ ପିଇ ଅଫିସ ଯିବେ । ସନ୍ଧ୍ୟାରେ ଆସିଲେ ସବୁକଥା ।

 

ହଉ ଯାଆନ୍ତୁ, ଅଫିସରୁ ଫେରିଲେ ନିଶ୍ଚୟ ଯିବି ଆଜ୍ଞା ।

 

ଅର୍ଜ୍ଜୁନ ଫେରି ଆସିଲା । ଗୁରୁପଦ ବସାରେ ପହଞ୍ଚି ଧୋତିଟା ପିନ୍ଧି କିଛି ସମୟ ପାଇଁ ଠାକୁର ପୂଜାରେ ବସିଗଲା । ସମୟ ସାତଟା ବାଜିଯାଇଥିଲା । ଆଜି ଡେରି ହୋଇଗଲାଣି । କ’ଣ ବା ସେ କରିବ । ପ୍ରତ୍ୟେହ ଛଅଟା ପୂର୍ବରୁ ଗାଧୁଆ ପାଧୁଆ କାମ ତା’ର ସରିଯାଏ । କିନ୍ତୁ ଆଜି ଯେଉଁ ଡେରି ହେଲା, ସେଥିପାଇଁ ସେ ଫୁଲଅପା ଉପରେ ଦୋଷତକ ମନେ ମନେ ଢାଳିଦେଇ ଚୁପ୍‌ ରହିଲା । ପୂଜାପରେ ଭାବିଲା କ’ଣ ସେ ବର୍ତ୍ତମାନ କରିବ ? ଭାତ, ଡାଲି, ତରକାରୀ ଖୁବ୍‌ କମ୍‌ରେ କରିବାକୁ ହେବ । କିନ୍ତୁ ଆଜି ଏସବୁ କଲେ କାଳେ ଡେରି ହୋଇଯିବ; ଏହା ଭାବି ସ୍ଥିର କଲା, ଭାତ ଆଉ ଡାଲମାଟା କରିଦେଲେ ସବୁଠାରୁ ଭଲ । ଚୁଲି ଲଗାଇ ଭାତଟା ବସାଇ ଦେଲା-। ଡାଲି ଡବାଟା ଖୋଲି ଦେଖିଲା ଡବାଟା ଶୂନ୍‌, ପୋଷେ ବି ନାହିଁ । ତା’ର ବି ମନେ ନାହିଁ । ଗତ ରାତିରେ ରୋଷେଇ କରିଥିଲେ ପରିଶ୍ରମ ପଡ଼ିଥାନ୍ତା । କିନ୍ତୁ ଫୁଲଅପାର ନିମନ୍ତ୍ରଣ ଯୋଗୁ ସବୁ ଭଣ୍ଡୁର ହୋଇଗଲା । ହଉ ଠିକ୍‌ ଅଛି, ଭାତରେ ଦି’ଟା ଆଳୁ ପକେଇ ଦେଲେ ଚଳିବ । ସମୟ ସମୟରେ ବି ଏମିତି ହୁଏ । ଭଲ ଭଲ ଆଳୁ ଦି’ଟା ଭାତରେ ପକାଇ କିଛି ସମୟ ପାଇଁ ଖଟ ଉପରେ ବସି ପଡ଼ିଲା, ତକିଆ ପିଠିପଟେ ଦେଇ ।

 

କାଠଯୋଡ଼ି ପୋଲ ଉପରେ ଏକ ଧ୍ୟାନରେ ଗୁଣୁ ଗୁଣୁ କ’ଣଗୁଡ଼ାଏ କହି କହି ଚାଲିଛି ଗୁରୁପଦ । କାଠଯୋଡ଼ି ପୋଲଟା ପାରି ହେଲେ ମଧୁପାଟଣା ଛକ । ତା’ପରେ ଲିଙ୍କ ରୋଡ଼ ଧରିଲେ ଦୋଳମୁଣ୍ଡାଇ ଛକ । ସେହିଠାରେ ଅଫିସ୍‌ । ବେଶି ବାଟ କ’ଣ ? ଲୋକ ଗହଳି ଭିତରେ ବାଟ ଚାଲିଲେ ଲମ୍ୱା ବାଟ ସଙ୍କୁଚିତ ହୋଇଯାଏ । ସତେ ଯେପରି ଦୂରତ୍ୱଟା ଆପେ ଆପେ କମିଯାଏ । କୌଣସିମତେ ଗୋଟିଏ ବର୍ଷ କଟିଗଲେ, ବନ୍ଧକ ଜମିଟା ମୁକୁଳି ଆସିବ । ସାନ ଭାଇର ଏଥର ଏକାଦଶ ଶ୍ରେଣୀ ହେବ । ମାଟ୍ରିକ୍‌ ପାଶ୍‌ କରିବ । ତା’ପରେ ତା’କୁ ପାଖକୁ ନେଇଆସି ରେଭେନ୍‌ସା କଲେଜରେ ନା ଲେଖାଇ ଦେବ । ଦୁଇ ଭାଇ ଏକାଠି ରହିବେ । ରନ୍ଧା ବଢ଼ା କରିବାକୁ ବେଶି ଅସୁବିଧା ହେବ ନାହିଁ । ଟୋକାଟା ବି ଭଲ ପଢ଼ୁଛି । ଫାଷ୍ଟ ଡିଭିଜନ୍‌ ନିଶ୍ଚୟ-। ଚକାଡୋଳା ଯାହା ବିଚାର କରିବେ । ପଛକୁ ଚାହିଁ ଚକାଡ଼ୋଳା ଉଦ୍ଦେଶ୍ୟରେ ହାତ ଯୋଡ଼ିଲା ଗୁରୁପଦ । ଆରେ ଏ ତ ଆମ ସାହାବଙ୍କ ଗାଡ଼ି ଭଳି ଜଣା ପଡ଼ୁଛି । ଦୂରରୁ ଦେଖିପାରିଲା ଏକ୍‌ଜିକୁଟିଭ ଇଞ୍ଜିନିୟରଙ୍କ ଗାଡ଼ି ଦ୍ରୁତ ଗତିରେ ମାଡ଼ି ଆସୁଛି । ପୁନର୍ବାର ଆଗକୁ ଚାହିଁ ବାଟ ଚାଲିଲା ଗୁରୁପଦ । ସାହାବ ବୋଧେ ଟୁର୍‌ରେ ଆଜି ଯିବେ ? ସରକାରୀ କ୍ୱାଟର ନ ପାଇ ଥିବାରୁ ଏବେ ଭୁବନେଶ୍ୱରରୁ ଯିବା ଆସିବା କରୁଛନ୍ତି । ଏହାରି ଭିତରେ ଘର ମିଳିଲେ ପିଲାମାନଙ୍କୁ ନେଇଆସିବେ । ସେଦିନ ବଡ଼ବାବୁଙ୍କ ଆଗରେ କହୁଥିଲେ, ତା’ କାନରେ ବାଜିଥିଲା-। ମହାପାତ୍ର ସାହାବଙ୍କ ଇଞ୍ଜିନିୟର ମହଲରେ ନାଁ ଅଛି । ବେଶ୍‌ ଭଦ୍ରଲୋକ । ଅତି ସରଳ-। ଦୁର୍ନୀତି ଠାରୁ ଦୂରରେ ରୁହନ୍ତି ।

 

କାଠଯୋଡ଼ି ପୋଲ ପାରିହୋଇ ମହାପାତ୍ର ସାହାବଙ୍କ ଗାଡ଼ି କେତେ ଦୂରରେ ଅଛି ଜାଣିବା ପାଇଁ ପଛକୁ ଚାହିଁଲାକ୍ଷଣି ହଠାତ୍‌ ଗାଡ଼ିଟା ତା’ ଆଗରେ ବ୍ରେକ ମାରି ଛିଡ଼ା ହୋଇଗଲା । ଡ୍ରାଇଭର ତା’ ଆଡ଼କୁ ଚାହିଁ ମୁରୁକି ମୁରୁକି ହସୁଛି । ସାହେବଙ୍କୁ ସାମନାରେ ଦେଖି ଗୁରୁପଦ ଟିକେ ଇତସ୍ତତଃ ହୋଇପଡ଼ିଲା । ତରବର ହୋଇ କହି ପକାଇଲା ‘‘ସାର୍‌ ନମସ୍କାର’’ ।

 

ଆସନ୍ତୁ ଗାଡ଼ିରେ ବସନ୍ତୁ ଆପଣ କ’ଣ ନଈ ସେପାରିରେ ରହନ୍ତି ? ସାହେବ ହସି ହସି ପଚାରିଲେ ।

 

ହଁ ସାର୍‌ ।

 

ଆସନ୍ତୁ ଆଉ ଛିଡ଼ା ହେଲେ କାହିଁକି । ଚାଲି ଚାଲି ସବୁଦିନେ ଯିବା ଆସିବା କରନ୍ତି ?

 

ହଁ ସାର୍‌, ଘର ଟିକେ ସୁବିଧାରେ ପାଇ ଯାଇଛି । ଘରବାଲାଟା ଖୁବ୍‌ ଭଦ୍ରଲୋକ ସାର୍‌-! ଗୋଟିଏ ବଡ଼ ରୁମ୍‌, ଗୋଟିଏ ରୋଷେଇ ଘର, ଆଉ ବରପାଲି ପାଇଖାନାଟିଏ ଅଛି । ସବୁ ସୁବିଧା ସାର୍‌ ! ନଈରେ ଗାଧୋଇବାକୁ ମୁଁ ଟିକେ ଭଲପାଏ । ଘରଭଡ଼ା ଖୁବ୍‌ କମ୍‌ ସାର୍‌ ! ଗାଡ଼ି ଚାଲିଥାଏ । ପଛରେ ବସି ସେ ମହାପାତ୍ର ସାହାବଙ୍କୁ କହୁଥାଏ ।

 

ଗୁରୁପଦ ଉପରେ ମହାପାତ୍ର ସାହାବଙ୍କ ଅଶେଷ ଶ୍ରଦ୍ଧା । ଖାଲି ମହାପାତ୍ର ସାହାବ କାହିଁକି ଅଫିସର ଅନ୍ୟାନଙ୍କର ଶ୍ରଦ୍ଧା ମଧ୍ୟ । ଛୋଟରୁ ବଡ଼ ପର୍ଯ୍ୟନ୍ତ, ଅମାୟିକ ବ୍ୟବହାର, ହସ ହସ ମୁହଁ, ଶୃଙ୍ଖଳିତ କାର୍ଯ୍ୟ, ନିର୍ଭୁଲ କାର୍ଯ୍ୟ ପାଇଁ ସେ ପ୍ରଶଂସନୀୟ ସମସ୍ତଙ୍କ ପାଖରେ । କଫି, ଚା, ସିଗାରେଟ୍‌, ପାନଠାରୁ ଗୁରୁପଦ ଥାଏ ଅନେକ ଦୂରରେ ।

 

ସେଦିନ ଅଫିସ ସରିବା ପରେ ସାହାବ ପିଅନ ହାତରେ ଡକାଇ ପଠେଇଲେ । ସେତେବେଳକୁ ଗୁରୁପଦ ଫେରିବା ପାଇଁ ପାହାଚ ତଳକୁ ଓହ୍ଲାଇ ଆସିଥିଲା ।

 

ସାହାବ ଡାକୁଛନ୍ତି ଆସନ୍ତୁ ସାର୍‌ ! ସାହାବଙ୍କ ପିଅନ ଗୋପାଳ ଆସି ଡାକିଲା ।

 

ଆପଣ କ’ଣ ଘରକୁ ବାହାରିଲେଣି ? ମହାପାତ୍ର ସାହାବ ପଚାରିଲେ ।

 

ଆଜ୍ଞା । ତଳକୁ ମୁହଁ ପୋତି ଗୁରୁପଦ ଉତ୍ତର ଦେଲା ।

 

ରୁହନ୍ତୁ ମୋ ସାଙ୍ଗରେ ଯିବେ । ଏଥର ଆପଣ ମୁଁ ଭୁବନେଶ୍ୱରରେ ଥିବା ପର୍ଯ୍ୟନ୍ତ ମୋ ସହିତ ଅଫିସକୁ ଯିବା ଆସିବା କରିବେ । କାଠଯୋଡ଼ି ପୋଲ ମୁଣ୍ଡରେ ଛିଡ଼ା ହୋଇଥିଲେ । ମୁଁ ଆପଣଙ୍କୁ ନେଇ ଆସିବି କ’ଣ ବୁଝିଲେ ?

 

ମହାପାତ୍ର ସାହାବଙ୍କ କଥା ଶୁଣି ଗୁରୁପଦ କିଛିକ୍ଷଣ ନିରୁତ୍ତର ଭାବରେ ଛିଡ଼ା ହେଲା । କ’ଣ ବା ସେ କହିବ; କିଛି ଭାବି ପାରିଲା ନାହିଁ । ହଁ କହିବ କି ନାଁ କହିବ । ନାଁ କହିବାଟା ଅସୁନ୍ଦର ହେବ । ହଁ କହିବାଟା ବି ଅସୁବିଧା ହେବ । ବଡ଼ ବଡ଼ିଆ ଅଫିସର । କେତେବେଳେ ଆସିବେ କେତେବେଳେ ଯିବେ । ପୁଣି ତା’ ସହିତ ଅଧିକାଂଶ ଦିନ ଟୁର୍‌ । ସଦାସର୍ବଦା ଯାଇ ଅପେକ୍ଷା କରିବାକୁ ପଡ଼ିବ । ଫେରିବା ସମୟରେ ଡେରି ହୋଇପାରେ । ଅଫିସ ଆସିଲାବେଳେ ଠିକ୍‌ ସମୟରେ ଆସି ନ ପାରେ । ବିଶେଷତଃ ଅଫିସରୁ ଫେରିଲେ ତା’ ଉପରେ ଗୋଟାଏ ବଡ଼ ଦାୟିତ୍ୱ ଲଦା ହୋଇଛି ତା’ର ହାତରେ ରାନ୍ଧି ବାଢ଼ି ଖାଇବା । ସାହାବ ଯଦି ଅଫିସ ଛୁଟି ପରେ ବସି କାହା ସହିତ ଗପସପ କରନ୍ତି ତାହାହେଲେ ସେଦିନ ସେ ଉପାସ ନିଶ୍ଚୟ ବୋଲି ଧରି ନେବାକୁ ପଡ଼ିବ । ଅଧିକାଂଶ ଦିନ ସାହାବ ଆଠଟାବେଳେ ଅଫିସରୁ ଫେରନ୍ତି । ଅଫିସ ଆସିବାର ମଧ୍ୟ କିଛି ଠିକ୍‌ ଠିକଣା ନାହିଁ । କେତେବେଳେ ସକାଳ ନଅ ତ କେତେବେଳେ ଦିନ ବାର । ବଡ଼ ଅଡ଼ୁଆରେ ପଡ଼ିଲା ଗୁରୁପଦ କ’ଣ ସେ କରିବ ଠିକ୍‌ କରି ପାରିଲା ନାହିଁ । ଚୁପ୍‌ ହୋଇ ଛିଡ଼ା ହେଲା ।

 

ଆସନ୍ତୁ ଯିବା, ଛିଡ଼ା ହେଲେ କାହିଁକି ? ସାହାବ ଗାଡ଼ିରେ ଆସି ବସିଲେ ।

 

ସାହାବଙ୍କ ପଛେ ପଛେ ଗୁରୁପଦ ଗାଡ଼ିରେ ଆସି ବସିଲା ।

 

ପଛରେ କାହିଁକି ବସିଛନ୍ତି ? ଆସନ୍ତୁ ସାମନାରେ ବସନ୍ତୁ ।

 

ନାହିଁ ସାର୍‌ । ମୁଁ ଏଇଠି ବସୁଛି କିଛି ଅସୁବିଧା ହେବନି, ଗୁରୁପଦ କହିଲା ।

 

ଉଁ ହୁଁ ଜାଗା ତ ଅଛି ସେଠି କାହିଁକି ବସିବେ । ଆଗକୁ ଆସନ୍ତୁ ।

 

ବାଧ୍ୟ ହୋଇ ଗୁରୁପଦ ଆଗରେ ଆସି ବସିଲା, ଡ୍ରାଇଭର ପଛରେ ବସିଲା । ସେଦିନ ସାହାବ ନିଜେ ଗାଡ଼ି ଚଳାଇଲେ । ଗାଡ଼ି ଦୋଳମୁଣ୍ଡାଇ ଛକ ପାର ହୋଇ ଲିଙ୍କ ରୋଡ଼ ଧରିଲା ।

 

ମହାପାତ୍ର ସାହାବଙ୍କୁ ଦେଖିଲେ ତାଙ୍କ ପ୍ରତି ଅଗାଢ଼ ସ୍ନେହ ମମତା ଝରିପଡ଼େ । କେତେ ଭଦ୍ର କେତେ ସ୍ନେହୀ ଲୋକ ସେ । କି ସୁନ୍ଦର ଚେହେରା ତାଙ୍କର । ଉଚ୍ଚତାକୁ ନେଇ ଦେହର ଗଠନ ବେଶ୍‌ ପରିପୂରକ ।

 

ଆପଣ କେଉଁ ଡିଭିଜନରେ ମାଟ୍ରିକ୍‌ ପାଶ୍‌ କରିଥିଲେ ? ମହାପାତ୍ର ସାହାବ ପଚାରିଲେ-

 

ଫାଷ୍ଟ ଡିଭିଜନରେ ପାଶ୍‌ କରିଥିଲି, ଗୁରୁପଦ କହିଲା ।

 

ଫାଷ୍ଟ ଡିଭିଜନରେ ? ଆଉ କାହିଁକି ପଢ଼ିଲେ ନାହିଁ ?

 

କିପରି ପଢ଼ିବି ? ଅର୍ଥ ଅଭାବ ଆମ ଗରିବଙ୍କୁ ସଦାସର୍ବଦା ଗ୍ରାସକରି ରହିଲା । ଗାଁରେ ବାପା ଏକୁଟିଆ । ସେ ବି ବୁଢ଼ା ହେଲେଣି, ଆଉ ବେଶି ଖଟି ପାରୁ ନାହାଁନ୍ତି । ସେହି ଜମିବାଡ଼ିରୁ ସବୁକିଛି । ଜମି ବି ବେଶି ନାହିଁ, ମାତ୍ର ଚାରି ମାଣ । ସେ ପୁଣି ଧୋଇଆ । ପ୍ରତିବର୍ଷ ଧାନ ଧୋଇରେ ଯାଏ । ଏବେ ଟାଇଚୁଙ୍ଗ ଧାନରୁ କିଛି ମିଳୁଛି । କହିବାକୁ ଗଲେ ସେ କିଛି ନୁହେଁ । ତା’ରି ଉପରେ ନିର୍ଭର କରି କଟକରେ ରହି ପାଠ ପଢ଼ିବାଟା ସମ୍ଭବ ନୁହେଁ । ଗାଁରେ ବାପା, ବୋଉ, ତାଙ୍କ ସହିତ ମୋର ସାନଭାଇ ରମାପଦ ଓ ସାନ ଭଉଣୀ ନିର୍ମଳା । ପାଠ ପଢ଼ିବା ପାଇଁ ବହୁତ ଆଗ୍ରହ ଅଛି । ଭାବୁଛି ଆସନ୍ତା ବର୍ଷ ସାନ୍ଧ୍ୟ କଲେଜରେ ନାଁ ଲେଖାଇବି ।

 

ସାନ ଭାଇଟିକୁ ପାଖକୁ ନେଇ ଆସିବି । ତା’ ଉପରେ ମୋର ବହୁତ ଆଶା, ସାର୍‌ । ଭାରି ଭଲ ପିଲାଟି ସେ । ଭଲ ବି ପଢ଼ୁଛି । ତା’କୁ କୌଣସିମତେ ପାଠ ପଢ଼େଇ ମଣିଷ କରିଦେଲେ ଆମର ଅଭିଶପ୍ତ ପରିବାରଟି ଚିରଦିନ ପାଇଁ ମୁକ୍ତ ହୋଇଯିବ ବୋଲି ଭାବୁଛି । ସ୍ଥିର କରିଛି ତା’କୁ ଡାକ୍ତରୀ ପଢ଼ାଇବି । ମୋର ଇଞ୍ଜିନୟରିଂ ପଢ଼ିବା ପ୍ରାୟ ଇଚ୍ଛା ଥିଲା । ଏବେ ବି ଅଛି । କିନ୍ତୁ ମୁଁ ମୋ କଥାକୁ ଆକାଶ କଇଁଆ ଚିଲିକା ମାଛ ଭଳି ଭାବୁଛି । କିନ୍ତୁ ସାନ ଭାଇ ରମାପଦ କଥା, ଧ୍ରୁବସତ୍ୟ ଭଳି ଅନୁମାନ କରୁଛି । ପ୍ରତିଜ୍ଞା କରିଛି ତା’କୁ ନିଶ୍ଚୟ ପାଠ ପଢ଼େଇବି ।

 

ଗାଁଟା କେଉଁଠି ? ମହାପାତ୍ର ସାହାବ ପଚାରିଲେ ।

 

ଆମ ଗାଁ ନାଁ ଶିପୁରା, ବାଲିଚନ୍ଦ୍ରପୁର ପାଖରେ । ଆପଣ ଜାଣିଥିବେ କି ନାହିଁ କହିପାରୁନି । ଚଣ୍ଡିଖୋଲଠାରୁ ଅଳ୍ପ ଦୂରରେ, ବାଲିଚନ୍ଦ୍ରପୁର ହାଟ ପଛକୁ । ବିରୂପା ନଈ କଡ଼ରେ ଅବସ୍ଥିତ ।

 

ହୁଁ । ମହାପାତ୍ର ସାହାବ ଗାଡ଼ି ଅଟକାଇ ଗାଡ଼ିରେ ତେଲ ଭର୍ତ୍ତି କଲେ । ପିଲାମାନଙ୍କ ପାଇଁ କିଛି ଫଳ ଆଣିଲେ । ତା’ରି ମଧ୍ୟରେ ପୁଣି ପଚାରିଲେ, ପ୍ରତି ମାସରେ ଘରକୁ କେତେ ଟଙ୍କା ପଠାନ୍ତି ?

 

କେଉଁ ମାସରେ ଶହେ, କେଉଁ ମାସରେ ଦେଢ଼ଶହ । ତେବେ ପ୍ରତି ମାସରେ ଶହେରୁ କମ୍‌ ପଠାଏନି । ମାଟ୍ରିକ୍‌ ପରୀକ୍ଷାବେଳେ ବାପା କିଛି ଜମିବନ୍ଧା ଦେଇଥିଲେ । ଏବେ ଭାବୁଛି ତା’କୁ ମୁକୁଳେଇ ଦେବି ।

 

ଆସନ୍ତା ମାସରେ ଗାଁକୁ ଯାଇ ପ୍ରଥମେ ଏଇ କାମଟା କରିବି । ସାନ ଭଉଣୀ ନିର୍ମଳାକୁ ଟିକେ କଟକ ନେଇ ଆସିବି । ଅଷ୍ଟମ ଶ୍ରେଣୀରେ ସେ ପଢ଼ୁଛି । ତା’ର ଦାନ୍ତ ଦି’ଟା ପୋକ କାଟୁଛି । ଭାରି ବ୍ୟସ୍ତ ହେଉଛି । ଡାକ୍ତର ପାଖରେ ସେ ଦାନ୍ତ ଦି’ଟା ନ ଓପାଡ଼ିଲେ ଅନ୍ୟ ଦାନ୍ତସବୁ ଖାଇଯିବ-। ବାଧ୍ୟ ହୋଇ ସେ ଦାନ୍ତ ଦି’ଟା ଓପାଡ଼ି ଦେବି ।

 

ଆସନ୍ତା ମାସରେ ମୁଁ କ୍ୱାଟର ପାଇଯିବି । ପିଲାମାନେ ସବୁ କଟକ ଚାଲି ଆସିବେ ବାଦାମବାଡ଼ିରେ କ୍ୱାଟର ମିଳିବ । ଆପଣ ଗୋଟିଏ କାମ କରିବେ ଗୁରୁପଦ ବାବୁ ! ମୋ କ୍ୱାଟର ପଛପଟେ ଦୁଇଟି ଆଟାଚ୍‍ ରୁମ୍‌ ଅଛି । ସେଥିରେ ଆପଣ ରହିଯିବେ । କୌଣସି ଅସୁବିଧା ହେବନି-। ଅଫିସ ପାଖ ହେବ । ଏତେ ବାଟ ବି ଚାଲିବାକୁ ପଡ଼ିବ ନାହିଁ ।

 

ଗାଡ଼ି କାଠଯୋଡ଼ି ପୋଲ ପାରିହୋଇ ରାସ୍ତାର ଗୋଟିଏ ପାଖରେ ଛିଡ଼ାହେଲା । ଗୁରୁପଦ ଗାଡ଼ିରୁ ଓହ୍ଲାଇ ପଡ଼ିଲା ।

 

ଯାଆନ୍ତୁ ସୋମବାର ଦିନ ଏଇଠି ଛିଡ଼ା ହୋଇଥିବେ, ମୁୀଁ ଆସି ନେଇଯିବି ।

 

ଆଜ୍ଞା, ଗୁରୁପଦ ହାତଯୋଡ଼ି ନମସ୍କାର କଲା । ଗାଡ଼ିଟା ଆଗକୁ ଗଡ଼ି ଗଡ଼ି ଚାଲିଲା । ଘରେ ପହଞ୍ଚି ଗୁରୁପଦ କିଛି ସମୟ ପାଇଁ ଖଟ ଉପରେ ଶୋଇପଡ଼ିଲା । ଭାବିଲା କି ଅଡ଼ୁଆରେ ସେ ପଡ଼ିଲା । ବାଟରେ ଓ ଅଫିସରେ ମହାପାତ୍ର ସାହାବ ସବୁ ଯାହା କହିଲେ ସେ ତା’ ଉପରେ କିଭଳି ଡିସିସନ ନେବ କିଛି ସ୍ଥିର କରିପାରିଲା ନାହିଁ । ବଡ଼ ଅଫିସର ତାଙ୍କ କଥା ନରଖିଲେ ସେ କ’ଣ ଭାବିବେ ?

 

ପରଦିନ ଥିଲା ରବିବାର । ଗାଁକୁ ଯିବା କଥା । କିନ୍ତୁ ନ ଗଲେ ଚଳିବ । ଚାଉଳ ଅଛି, ନଡ଼ିଆ ବି ଅଛି କେବଳ ଡାଲି ସରିଯାଇଛି । ରମାପଦ ପାଖକୁ ଚିଠି ଲେଖିଲେ ସେ ନେଇ ଆସିବ-। ତା’ର ବି ଟିକେ କାମ ଅଛି । କେତେଟା ବହି କିଣିବ, ଗତ ରବିବାର ଦିନ କହିଥିଲା । ଦାଣ୍ଡ ବାରଣ୍ଡାରେ ବସି ଦାଢ଼ି କାଟିବା ସମୟରେ ଭାବୁଥିଲା ଗୁରୁପଦ । ଅର୍ଜ୍ଜୁନବାବୁଙ୍କ ଘରକୁ ଯାଇପାରିଲା ନାହିଁ । ସେ ବିଚରା ଅପେକ୍ଷା କରି ରହିଥିବେ । ତାଙ୍କୁ ସେ କହିଥିଲା ଯିବାପାଇଁ, କ’ଣ କରିବ ମହାପାତ୍ର ସାହେବ ତା’କୁ କାଲି ଅଟକାଇ ଦେଲେ । ଘରେ ପହଞ୍ଚୁ ପହଞ୍ଚୁ ଡେରି ହୋଇଗଲା । ତା’ ପରେ ବି ମହାପାତ୍ର ସାହାବ ଯୋଉଁ ପ୍ରସ୍ତାବ ତା’ ପାଖରେ ଉପସ୍ଥାପନ କଲେଣି ତା’କୁ କାହିଁକି ଟିକେ ଅଡ଼ୁଆ ଅଡ଼ୁଆ ଲାଗିଲା । ବଡ଼ ବିବ୍ରତ ଓ ଅସ୍ଥିର ମନରେ ରୋଷଇ କରି ଖାଇପିଇ ଶୋଇବା ବ୍ୟତୀତ ତା’ ପାଖରେ ଆଉ ଯେପରି କିଛି ଉପାୟ ନ ଥିଲା । ମହାପାତ୍ର ସାହାବଙ୍କ ପ୍ରସ୍ତାବରୁ ସେ ଜାଣିସାରିଲାଣି ଯେ, ଏ ଗାଁରୁ ସୂର୍ଯ୍ୟ ଆସ୍ତେ ଆସ୍ତେ ଅସ୍ତ ହେଲା ଭଳି ସେ ଅସ୍ତ ହୋଇଯାଉଛି । ଆସନ୍ତା ମାସରେ ମହାପାତ୍ର ସାହାବ ନିଶ୍ଚୟ କଟକ ସରକାରୀ ବାସଭବନକୁ ଆସିବେ ଏବଂ ତା’କୁ ତାଙ୍କ ବସାରେ ନିଶ୍ଚୟ ରହିବାକୁ କହିବେ । ଏଇଟା ଧ୍ରୁବ ସତ୍ୟ ଭଳି ସତ୍ୟ । ଫୁଲଅପା ଯଦି ଏକଥା ଶୁଣିବ ମୁହଁ ନିଶ୍ଚୟ ଫୁଲାଇବ । ଯିବାକୁ ମନା କରିବ । ଗାଁରୁ ମୋଟେ ଛାଡ଼ିବ ନାହିଁ । ଅଭିମାନ କରିବ । ତା’କୁ ସେ କ’ଣ ବୁଝାଇବ ? ଗାଁର ଯେଉଁ ପାଞ୍ଚ ସାତ ଜଣ ଯୁବକଙ୍କ ସହିତ ଘନିଷ୍ଠତା ଗଢ଼ି ଉଠୁଛି, ସେମାନେ ମଧ୍ୟ ମନା କରିବେ । ଏଇ ଗାଁ; ଏଇ ମାଟି, ଏଇ ପାଣି ପବନ ତା’କୁ ଯେ ଏତେ ଶୀଘ୍ର ନିଜର କରିଦେବ; ଏକଥା ସେ କେବେ ବିଶ୍ୱାସ କରି ନ ଥିଲା । ସାହାବଙ୍କ ଘରେ ରହିବା ନ ରହିବା ଉପରେ ବହୁ ସମୟ ଚିନ୍ତା କରି କୌଣସି ସିଦ୍ଧାନ୍ତରେ ଉପନୀତ ନ ହୋଇ ଅର୍ଜ୍ଜୁନବାବୁଙ୍କ ଘରକୁ ବାହାରି ପଡ଼ିଲା ଗୁରୁପଦ । ଗାଁ ଭିତରେ ଅର୍ଜ୍ଜୁନବାବୁଙ୍କ ଘର । ହାତ ଘଡ଼ିକୁ ଦେଖିଲା, ସମୟ ସାଢ଼େ ନଅ । ଆଜି ରବିବାର, ଅର୍ଜ୍ଜୁନବାବୁ ଘରେ ଥିବେ । ସ୍କୁଲ ଛୁଟି । ଗାଁ ଭିତରଦେଇ ଗଲାବେଳେ ବାଟରେ ଦେଖାହେଲେ ସେହି ଗାଁର ନିଶାକରବାବୁ । ଗାଁ ପୋଷ୍ଟମାଷ୍ଟର । ହାତଯୋଡ଼ି ନମସ୍କାର କଲା ଗୁରୁପଦ । ଆଜ୍ଞା ନମସ୍କାର !

 

ଆରେ ଗୁରୁପଦ ବାବୁ ଯେ ! ସକାଳୁ ସକାଳୁ କୁଆଡ଼େ ? ନିଶାକରବାବୁ ପଚାରିଲେ !

 

ଆଜି ରବିବାର କାମ କିଛି ନାହିଁ । ଅର୍ଜ୍ଜୁନବାବୁ ବସାକୁ ଡାକିବାକୁ ଯାଇଥିଲେ, ଯାଉଛି ଦେଖା କରିବାକୁ । ଆଚ୍ଛା ଆଚ୍ଛା । ମୁଁ ଯାଉଛି ଟିକେ କଟକ, ଚୌଧୁରୀ ବଜାର ଯିବି । ଲୁଗା କେଇଖଣ୍ଡ କିଣି ଆଣିବି, ନିଶାକରବାବୁ ହସି ହସି କହି ଚାଲିଗଲେ ।

 

ଗୁରୁପାଦ ଆଗକୁ ପାଦ ବଢ଼ାଇଲା । ବାଟରେ ଗଲାବେଳେ କେତୋଟି ଝିଅ ବେଣୀ ଫିଟାଇ ବସିଥିଲେ । ତା’କୁ ଦେଖି ଲାଜରେ ଘର ଭିତରକୁ ଚାଲିଗଲେ । ଫୁସ୍‌ଫାସ୍‌ ହେଲେ; ବୋଧେ କହୁଥିଲେ ଏ ଟୋକାଟା କିଏ ? ଦିବାକର ମହାନ୍ତି ପିଣ୍ଡାରେ ଆରାମ୍‌ ଚେୟାର ଉପରେ ବସିଥିଲେ । ସେ ପାଖକୁ ଡାକିଲେ ଏବଂ ବସିବା ପାଇଁ ଚେୟାର୍‌ ଦେଖାଇଲେ ।

 

ଦିବାକର ମହାନ୍ତି ଜଣେ ଅବସରପ୍ରାପ୍ତ ସରକାରୀ ବିଡ଼ିଓ । ବସିବାକ୍ଷଣି ତାଙ୍କ ଚାକିରି ସମୟରେ କିପରି ସଚୋଟ ଅଫିସର ଥିଲେ କହିବାକୁ ଆରମ୍ଭ କଲେ ଏବଂ ସରକାରୀ କର୍ମଚାରୀ କିପରି ଦୁର୍ନୀତିଗ୍ରସ୍ତ ହେଲେଣି ତା’ର ଉଦାହରଣ ଦେଲେ । ପାଠ ପଢ଼ି ପିଲାମାନେ କିପରିୁ ମୁରବୀମାନଙ୍କୁ ବେଖାତିର କରୁଛନ୍ତି ତା’ର ମଧ୍ୟ ନମୁନା ଆଣି ଥୋଇଲେ । ନିଜର ଥୋଡ଼ାଏ ବାହାଦୂରୀ ଗପିଲେ । ଗୁରୁପଦ କେବଳ ପଥକ୍ଳାନ୍ତ ବାଟୋଇ ଭଳି ସବୁ ଶୁଣି ମୁରୁକି ହସା ହସୁଥାଏ । ମନେ ମନେ କହୁଥାଏ, ସେ ଯୁଗର ଲୋକ ଏ ଯୁଗରେ କି ହୀନସ୍ତା ଭୋଗୁଛନ୍ତି ସତେ-? ସେ ଯୁଗର ଅଫିସର ଏ ଯୁଗର ଅଫିସର ଭିତରେ ଆକାଶ ପାତାଳ ପ୍ରଭେଦ । ସେ ଯୁଗର ଅଫିସରମାନେ ଲୋକମାନଙ୍କ ସେବାରେ ଥିଲାବେଳେ, ଏ ଯୁଗର ଅଫିସରମାନେ ନିଜ ସେବାରେ ଅଛନ୍ତି । ମିଛକୁ ଜାଣି ଶୁଣି ଗିଳି ପକାଉଛନ୍ତି । ସେ ଯୁଗରେ ମହାନ୍ତିବାବୁ ଟଙ୍କାରେ ଦି’ସେରେ ଗୁଆଘିଅ ଖାଉଥିଲେ । ଏ କାଳରେ ମହାନ୍ତିବାବୁ ଗୁଆଘିଅ କିଲୋ ଚାଳିଶି ଟଙ୍କା ଦେଲେ ପାଉନାହାନ୍ତି । ଗାଈ କ୍ଷୀର ସ୍ୱପ୍ନ । ଯାହା ବି ମିଳୁଛି ପାଣି ଯେତିକି କ୍ଷୀର ସେତିକି ।

 

ଦିବାକରବାବୁଙ୍କ ସହିତ ଆଲୋଚନା ସାରି ଗୁରୁପଦ ଅର୍ଜ୍ଜୁନବାବୁଙ୍କ ଘରେ ପହଞ୍ଚିଲାବେଳକୁ ସାଢ଼େ ଆଠଟା ବାଜିଯାଇଥିଲା । ଅର୍ଜ୍ଜୁନବାବୁ ଜଳଖିଆ ଖାଇ ବସିଥିଲେ ।

 

ଛୁଟିଦିନ ସ୍କୁଲଯିବାରେ ନ ଥାଏ । ଏଇ ରବିବାର ଦିନ ନିଜର ବିଲ ବାଡ଼ିରେ ଟିକେ କାମ ଦେଖିବାକୁ ସୁବିଧା ମିଳେ । ସେଦିନ ସେ ନିଜ ବାଡ଼ିରେ କେତେଟା ନୂଆ କଦଳୀ ଗଛ ଲଗାଇ ଥିଲେ । ଶାଗ ପୁଳାଏ ବୁଣିଥିଲେ । ତା’ ସହିତ ଅନ୍ୟାନ୍ୟ କିଛି ବାଡ଼ିରେ କାମ କରିଥିଲେ । ଏଥିପାଇଁ ଡେରି ହୋଇ ଯାଇଥିଲା । ଖାଇ ବସିଥିବା ସମୟରେ ପିଣ୍ଡା ଉପରେ ଗୁରୁପଦକୁ ଦେଖି ଅଧା ଖିଆରୁ ଉଠିଆସିଲେ ।

 

ଆରେ ଆସ, କାଲି ତୁମକୁ ଅପେକ୍ଷା କରିଥିଲି, କିନ୍ତୁ ଆସିଲ ନାହିଁ । ଭାବିଲି ବୋଧେ ଭୁଲି ଯାଇଛ ।

 

ଆପଣଙ୍କ କଥା କ’ଣ ଭୁଲି ହୁଏ ? କାଲି ମୁଁ ବଡ଼ ଅସୁବିଧାରେ ପଡ଼ିଯାଇଥିଲି । ଆମ ଇକ୍‌ଜ୍ୟୁକୁଟିଭ ଇଞ୍ଜିନିୟରଙ୍କ ସହିତ ଫେରୁ ଫେରୁ ରାତି ସାତଟା ବାଜି ଯାଇଥିଲା । ଏତେ ରାତିରେ କ’ଣ ଆପଣଙ୍କ ଘରକୁ ଯିବି ଭାବି, ଶୋଇପଡ଼ିଲି । ଆଜି ଆସିଲି, ବାଟରେ ନିଶାକରବାବୁ ଦେଖାହେଲେ । ତାଙ୍କ ସହିତ ଗପ କରି ଫେରିଲାବେଳେ ମହାନ୍ତିବାବୁ ଡାକିଲେ । ସେଠି ପ୍ରାୟ କିଛି ସମୟ ଡେରି ହୋଇଗଲା ।

 

ଯାଆନ୍ତ ଆପଣ ଖାଇ ଆସିବେ, ମୁଁ ଏଇ ପିଣ୍ଡାରେ ବସିଛି; ଗୁରୁପଦ ହସି ହସି କହିଲା-

 

ଇଏନା ଗୋଟାଏ କଥା ! ଅତିଥିଙ୍କୁ ବାହାରେ ବସାଇ ଘରେ ପେଟପୂଜା କରିବି ? ଆସ ଭିତରକୁ, ଆମ ଘରେ କେହି ନାହାନ୍ତି । ଆପଣ ବୋଧେ ଜାଣି ନାହାନ୍ତି, ମୋର ଛୋଟ ପରିବାରଟିଏ ।

 

ମୁଁ, ଆଉ ମୋର ଝିଅ କଲ୍ୟାଣୀ, ଆଉ ତା’ ମା’ । ପ୍ରାଥମିକ ଶିକ୍ଷକ ପକ୍ଷରେ ଏଇ ଛୋଟ ପରିବାରଟି କିଛି ମନ୍ଦ ନୁହେଁ । ଭଗବାନ୍‌ ପୁଅଟିଏ ଦେଲେନାହିଁ । ...ଛାଡ଼, ତାଙ୍କୁ ଦୋଷ ଦେଇ ଲାଭ କ’ଣ ? ପୁଅ ଯିଏ ଝିଅ ସିଏ । ଝିଅ ଯିଏ ପୁଅ ସିଏ, ଅର୍ଜ୍ଜୁନବାବୁ ହସି ହସି କହୁଥାନ୍ତି-। ବେଶ୍ ସୁନ୍ଦର ଲୋକଟିଏ । ବଡ଼ ମେଳାପି, ଗାଁରେ ହାନିଲାଭ, ଭଲମନ୍ଦରେ ନ ଥାନ୍ତି । ସମସ୍ତେ ନିଜର । ଚାକିରି ଭିତରେ ତିନିଥର ନିଜର ବଦଳି ହେଲାଣି । କିନ୍ତୁ ଗାଁ ବାଲା ଛାଡ଼ୁନାହାନ୍ତି-

 

ଏଇ ଖଟ ଉପରେ ବସ, ଚୁଡ଼ା ଦି’ଟା ଖାଅ, ଅର୍ଜ୍ଜୁନବାବୁ କହିଲେ ।

 

ନାଁ ନାଁ, ମୁଁ ବର୍ତ୍ତମାନ ଖାଇକରି ଆସିଲି । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । କୁହନ୍ତୁ କାହିଁକି ଆପଣ ଡାକିଥିଲେ । ମୋ ପାଖରେ କ’ଣ କାମ ଅଛି ଆପଣଙ୍କର ? ମୁଁ ଆପଣଙ୍କର କି ସେବା କରିପାରେ କିଛି ଭାବି ପାରୁନାହିଁ । ଆପଣ ଖାଇସାରନ୍ତୁ, ବସି ଗପସପ କରିବା । ଯାଆନ୍ତୁ ଖାଇ ଆସିବେ ।

 

ହଉ ହେଲା, ଜଳଖିଆ ସିନା ଖାଇବ ନାହିଁ, ଭାତ ଦି’ଟା ନିଶ୍ଚୟ ଖାଇବାକୁ ପଡ଼ିବ । ନ ଖୋଇ ଆଜି ଛାଡ଼ିବି ନାହିଁ । ଝିଅ କଲ୍ୟାଣୀକୁ ଡାକିଲେ–କଲ୍ୟାଣୀ, କଲ୍ୟାଣୀ ଆସିଲୁ ମା’ ।

 

କ୍ଷଣକ ଭିତରେ କଲ୍ୟାଣୀ ଆସି ଉପସ୍ଥିତ ହେଲା, ଦୁଆରବନ୍ଧ ସେପଟେ ଲୁଚି ଛିଡ଼ା ହେଲା; ଗୁରୁପଦ ପାଖକୁ ଆସିବାକୁ ବୋଧେ ଲାଜଲାଗିଲା ।

 

ଅର୍ଜ୍ଜୁନବାବୁ ପାଖକୁ ଡାକିଲେ ଆ ମା, ଲାଜ କ’ଣ କରୁଛୁ । ବାବୁ ଆଜି ଆମଘରେ ଖାଇବେ । ବୋଉକୁ କହିଦେ । ଶଙ୍କରଙ୍କୁ କହିଦେ, ପୋଖରୀରେ ଜାଲପକାଇ ମାଛଦି’ଟା ଧରୁ ।

 

ଦେଖନ୍ତୁ ଅର୍ଜ୍ଜୁନବାବୁ, ମୁଁ ମୋଟେ ଖାଇବି ନାହିଁ, ଗୁରୁପଦ କହିଲା ।

 

ମୁଁ ଜମା ଛାଡ଼ିବି ନାହିଁ, ଯେମିତି ହେଲେ ଖାଇବାକୁ ପଡ଼ିବ । ମନା ମୋଟେ କରନ୍ତୁ ନାହିଁ ।

 

ଘରଟି ବୋଧେ ନୂଆ ତିଆରି କରିଛନ୍ତି ? ଗୁରୁପଦ ପଚାରିଲା ।

 

ହଁ, ଏଇ ତିନି ଚାରିବର୍ଷ ହେବ ତିଆରି କରିଛି । ଆଗରୁ ଚାଳ ଛପର ଓ ମାଟି ଘର ଥିଲା । ତା’କୁ ଭାଙ୍ଗି ଇଟାଘର ଓ ଆଜ୍‌ବେସ୍‌ଟସ୍‌ ସିଟ୍‌ ପକାଇଲି । ଛାତ ପକାଇବାକୁ ଇଚ୍ଛା ଥିଲା । କିନ୍ତୁ ପଇସାପତ୍ର ଅଭାବରୁ ପକାଇ ପାରିନି । ଭବିଷ୍ୟତରେ ଯାହା ହେବ । କଲ୍ୟାଣୀ ବାହାଘରଟା ସରିଲାପରେ ଛାତ କଥା ଚିନ୍ତା କରିବି, ଏବେ ନୁହେଁ । କଲ୍ୟାଣୀ ଆପଣଙ୍କର ଗୋଟିଏ ଝିଅ ନାଁ ?

 

ହଁ ସେଇ ଗୋଟିଏ, ତା’ରି ପାଇଁ ସବୁ । ସେଇ ମୋର ଚନ୍ଦ୍ର, ସେଇ ମୋର ସୂର୍ଯ୍ୟ, ସେଇ ପାଣି, ଆଉ ପବନ । ଏଇଥର ମାଟ୍ରିକ୍‌ ପରୀକ୍ଷା ଦେଇଥିଲା । କିନ୍ତୁ ଇଂରାଜୀରେ ଖରାପ କରିଦେଲା, ଅଟକିଗଲା । ଆଜିକାଲି ମାଟ୍ରିକ୍‌ଟା ପାଶ୍‌ କରିବା ନିତ୍ୟାନ୍ତ ଆବଶ୍ୟକ । ମାଟ୍ରିକ୍‌ ପାଶ୍‌ ନ କଲେ କୋଉ ମଣିଷ ଭିତରେ ଗଣାହୋଇ ପାରିବ ନାହିଁ । ଯେଉଁଠି ବାହାଘର ପ୍ରସ୍ତାବ ପଡ଼ୁଚି ସେଠି ପ୍ରଥମେ ପ୍ରଶ୍ନ ଉଠୁଛି ଝିଅ ପଢ଼ିଛି କ’ଣ ? ବର ଚାହୁଁଛି ପାଠ । ଏଣୁ ପାଠକୁ ଛାଡ଼ି ଚଳି ହେବନି । ଭାବୁଛି ତା’କୁ କୌଣସିମତେ ମାଟ୍ରିକ ପାଶ୍‌ କରାଇଦେଇ, ହାତକୁ ଦି’ହାତ କରିଦେଲା ପରେ ମୁକ୍ତି । ତେଣିକି ତା’ ଭାଗ୍ୟ । ଭଲରେ ରହିଲେ ବାପ ମା’ଙ୍କୁ ଖୋଜିବ ନଇଲେ ନାହିଁ । ପଛରେ ଆମ ଦୋଷ ଦେବନି । କହିବ ନାହିଁ ଯେ ବାପ ମା’ ତାକୁ ପାଠ ନପଢ଼ାଇ ମୂର୍ଖ କରିଦେଲେ । କ’ଣ କହୁଛନ୍ତି, ଭୁଲ୍‌ କହିଲି ?

 

ନାଁ ଆପଣ ଠିକ୍‌ ବୁଝିଛନ୍ତି । ମୋ ପିତାଙ୍କର ମଧ୍ୟ ସେଇ ଧାରଣା । ସେ କହନ୍ତି ପାଠ ସବୁଠାରୁ ମୂଲ୍ୟବାନ୍‌ । ପାଠକୁ ଅକ୍ତିଆର ନକଲେ କିଛି କରି ହେବନି । ମୋର ମଧ୍ୟ ଗୋଟିଏ ଭଉଣୀ ଅଛି । ତା’ର ନାଁ ନିର୍ମଳା । ସେ ମାଟ୍ରିକ୍‌ ପଢ଼ୁଛି । ମାଟ୍ରିକ୍‌ ପାଶ୍‌ କଲାପରେ ପାଖକୁ ନେଇଆସିବି । ଇଚ୍ଛା ମୋର ଅଛି ଡାକ୍ତରୀ ପଢ଼ାଇବାକୁ । ସୁବିଧା ହେଲେ ପଢ଼ିବ । ନଚେତ୍‌ ବିଏ ପର୍ଯ୍ୟନ୍ତ ପଢ଼ାଇବି ।

 

ଗୁରୁପଦ କଥା ଶୁଣି ଅର୍ଜ୍ଜୁନବାବୁ ଭାରି ଖୁସି ହୋଇଗଲେ । ଯାହାହେଉ ଆପଣଙ୍କ ଆଶାପାଇଁ ଧନ୍ୟବାଦ । ଆଶା ଥିଲେ ମଣିଷ ସବୁକିଛି କରିପାରିବ । ଆଶା ହରାଇଲେ ମଣିଷ କିଛି କରିପାରିବ ନାହିଁ । ଯେଉଁମାନେ ଆଶା ହରାଇ ଖାମଖିଆଲ ଭାବରେ ଜୀବନ ବିତାନ୍ତି ସେମାନଙ୍କୁ ମୁଁ ଘୃଣା କରେ । ଆପଣଙ୍କ ଆଶା ନିଶ୍ଚୟ ପୂର୍ଣ୍ଣ ହେବ । ମୁଁ ଭାବୁଛି ଆପଣ ଯଦି ଏହିଭଳି କ୍ଷେତ୍ରରେ ମୋତେ ଟିକେ ସାହାଯ୍ୟ କରନ୍ତେ, କଲ୍ୟାଣୀ ମାଟ୍ରିକ୍‌ ପାଶ୍‌ କରି ଯାଆନ୍ତା ଏବଂ ତା’ ପରେ ତା’କୁ କଟକରେ ରଖି ଏମ୍‌.ଏ. ପର୍ଯ୍ୟନ୍ତ ପଢ଼ାନ୍ତି । ମୋର ଭାରି ଇଚ୍ଛା ତା’କୁ ପାଠ ପଢ଼ାଇବାକୁ କିନ୍ତୁ ଝିଅଟା ଇଂରାଜୀରେ ମୋଟେ ଭଲ କରୁନି । ସେଥିରେ ଭାରି ଦୁର୍ବଳ । ଆପଣ ଯଦି ଟିକେ ପରିଶ୍ରମ କରି ଘଣ୍ଟାଏ ଘଣ୍ଟାଏ ଆସି ଇଂରାଜୀ ପଢ଼ାଇ ଦିଅନ୍ତେ, ତାହାହେଲେ ଖୁବ୍‌ ଭଲ ହୁଅନ୍ତା । ମୋ ଜୀବନର ଆଶା ନିଶ୍ଚୟ ପୂରଣ ହୁଅନ୍ତା । କ’ଣ କହୁଛନ୍ତି ଗୁରୁପଦ ବାବୁ ?

 

ହଠାତ୍‌ ଗୁରୁପଦ କହି ପକାଇଲା ଠିକ୍‌ ଅଛି, ମୁଁ ଘଣ୍ଟାଏ ଘଣ୍ଟାଏ ଆସି ତା’କୁ ଇଂରେଜୀ ପଢ଼ାଇ ଦେବି । ତେବେ ସବୁଦିନେ ଆସି ପାରିବି କି ନାହିଁ କହିପାରୁନି । ତଥାପି ଚେଷ୍ଟା କରିବି ।

 

ଏହା ଭିତରେ କଲ୍ୟାଣୀ କାଚଗ୍ଳାସରେ ବସାଦହି ସର୍ବତ ଆଣି ଅର୍ଜ୍ଜୁନବାବୁଙ୍କ ଆଗରେ ଛିଡ଼ା ହେଲା ।

 

ଦେ, ଗୁରୁପଦ ବାବୁଙ୍କୁ । ନିଅନ୍ତୁ ଗୁରୁପଦ ବାବୁ, ସର୍ବତଟା ପିଇଦିଅନ୍ତୁ । କାଳି ଗାଈଟି ଏବେ କ୍ଷୀର ଦେଉଛି । ସକାଳେ ଦେଢ଼ ସେରେ ଦିଏ, ରାତିରେ ମଧ୍ୟ ସେଇ ଦେଢ଼ସେରେ ଦିଏ । କଲ୍ୟାଣୀ ମା’ର ଗାଈ ପ୍ରତି ବଡ଼ ସଉକ । ଗାଈ ନଖାଇଲେ ସେ ଖାଏନି । ନିଜେ ଗାଈ ଗୁହାଳ ପୋଛିବାଠାରୁ କୁଣ୍ଡା ପାଣି ଦେବା ପର୍ଯ୍ୟନ୍ତ ସେ କରେ । ଅବଶ୍ୟ କ୍ଷୀର ଟିକେ ଟିକେ ପିଏ । କିନ୍ତୁ ଯେଉଁ ଧେଡ଼ଙ୍ଗିକୁ ସେଇ ଧେଡ଼ଙ୍ଗି । ରୋଗଟା ତା’ ପାଖରେ ବାରମାସ ଥାଏ । କାମଟା ବି ତା’ ସହିତ ଲାଗି ରହିଥାଏ । ଝିଅଟାକୁ କୁଟା ଖଣ୍ଡିକ ଦିଖଣ୍ଡ କରାଇ ଦିଏନି ।

 

ଅର୍ଜ୍ଜୁନବାବୁଙ୍କୁ ବକ୍ତବ୍ୟ ଥିଲା ବେଶ୍‌ ପ୍ରାଞ୍ଜଳ ଏବଂ ରୁଚିପୂର୍ଣ୍ଣ । ଗୁରୁପଦ ଖୁବ୍‌ ଧ୍ୟାନଦେଇ ଶୁଣୁଥିଲେ ମଧ୍ୟ ଆଖି ଦି’ଟା କାହିଁକି କଲ୍ୟାଣୀ ଉପରେ ଲାଗି ଯାଇଥିଲା, କେଜାଣି ?

 

କଲ୍ୟାଣୀକୁ ଦେଖି ଗୁରୁପଦ ସ୍ନାୟୁ ଭିତରେ କାହିଁକି ନୂତନ ଆବହାଓ୍ୱା ପ୍ରଭାବିତ ହେଲା-। କ୍ଷଣକ ପାଇଁ ସେ ସ୍ତମ୍ଭୀଭୂତ ହୋଇଗଲା । ଅର୍ଜ୍ଜୁନବାବୁଙ୍କ ସହିତ କଥାବାର୍ତ୍ତା ହେଲାବେଳେ ବହୁବାର ସେ କଲ୍ୟାଣୀ ଆଡ଼କୁ ଦୃଷ୍ଟି ନିକ୍ଷେପ କଲା, ସତେ ଯେପରି ଆକାଶରୁ କେଉଁ ଏକ ଅପୂର୍ବ ରୂପସୀ ତା’ ଆଗରେ ଆବିର୍ଭୁତା ହୋଇଛି । ସେ କଲ୍ୟାଣୀ ଉପରୁ ଦୃଷ୍ଟି ଫେରାଇ ଆଣିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଫେରାଇ ପାରୁନି–ଅବୁଝା ମନକୁ ବୁଝାଇ ପାରୁନି-। ଏତେ ସୁନ୍ଦରୀ ଝିଅ ସେ ଆଗରୁ କେବେ ଦେଖି ନଥିଲା । ଏଭଳି ସୁନ୍ଦରୀ ଝିଅ ଏ ଗାଁରେ ଅଛନ୍ତି ବୋଲି ସେ କେବେ କଳ୍ପନା କରି ନ ଥିଲା ।

 

ଅର୍ଜ୍ଜୁନବାବୁଙ୍କ ସହିତ କଥାବାର୍ତ୍ତା କରିସାରିଲା ପରେ ସେଦିନ ଗୁରପଦ ମଧ୍ୟାହ୍ନ ଭୋଜନ ସାରି ଘରକୁ ଫେରୁ ଫେରୁ ସନ୍ଧ୍ୟା ହୋଇ ଯାଇଥିଲା । ଫେରିଲାବେଳେ ଲଣ୍ଠନ ଧରି ଦାଣ୍ଡ ଦୁଆରେ ଛିଡ଼ା ହୋଇଥିଲା କଲ୍ୟାଣୀ । ମନେ ହୁଏ ଅନ୍ଧକାରକୁ ଆଲୋକିତ କରି ଗୁରୁପଦକୁ ନିରାପଦରେ ପାରି କରି ଦେବା ଥିଲା ତା’ର ଉଦ୍ଦେଶ୍ୟ । ଗୁରୁପଦ ଏକା ନିଶ୍ୱାସରେ ଘରେ ପହଞ୍ଚି ଯାଇଥିଲା । କିନ୍ତୁ ବାଟ ସାରା ଭାବୁଥିଲା ସତେ ଯେପରି ସେ ଦୋହଲି ଦୋହଲି ଆସୁଛି । ଆଖି ଆଗରେ କଲ୍ୟାଣୀ ଛବିଟା ନାଚି ଉଠୁଛି । ଫେରିଲାବେଳେ ଅଜାଣତରେ ରୁମାଲଟା ତା’ର ହାତରୁ ଖସି ପଡ଼ିଥିଲା । କଲ୍ୟାଣ ନଇଁପଡ଼ି ରୁମାଲ୍‌ଟା ତଳୁ ଉଠାଇ ଗୁରୁପଦ ହାତରେ ଦେଇଥିଲା । ସେତିକିବେଳେ ଗୁରୁପଦର ହାତ କଲ୍ୟାଣୀ ହାତ ସହିତ ଲାଗିଯାଇଥିଲା । ତା’ପରେ ଗୁରୁପଦ ଦେହରେ ଯେଉଁ ଚମକ ଖେଳିଲା ତାହା ଗୁରୁପଦକୁ ସବୁ ଦିନ ପାଇଁ ଦୋହଲାଇ ଦେଇଥିଲା । ଋତୁ ପରିବର୍ତ୍ତନ ହେଲା ଭଳି ଗୁରୁପଦ ପରିବର୍ତ୍ତିତ ହୋଇଗଲା । ଆକାଶର ରଙ୍ଗ ଭିନ୍ନ । ମଣିଷର ମନ ବି ଭିନ୍ନ ? ଭିନ୍ନ ରଙ୍ଗ ଭିନ୍ନ ମନ, ମନ କିନ୍ତୁ ଏକ । କିନ୍ତୁ ଏଇ ପୃଥିବୀରେ ନାରୀର ଜନ୍ମ କେବଳ ସୃଷ୍ଟି ପାଇଁ । ତେଣୁ ସେ ସୃଷ୍ଟି ଧାତ୍ରୀ । ଏଇ ନାରୀ ପାଇଁ ଅନେକ କିଛି ପୃଥିବୀରେ ଘଟିଛି, ପରିବର୍ତ୍ତନ ହୋଇଛି । ଯୁଦ୍ଧ ଲାଗିଛି, ସମାଧାନ ହୋଇଛି । ଏବେ ବି ଇତିହାସ ତା’ର ଜ୍ୱଳନ୍ତ ପ୍ରମାଣ ରଖିଛି । ଏବଂ ରଖୁଥିବ ମଧ୍ୟ । ନାରୀ ପାଖରେ ଅସୀମ ଶକ୍ତି ଅଛି ଯାହା କି ପୁରୁଷ ପାଖରେ ନାହିଁ । ନାରୀ ସହିଷ୍ଣୁ, ପୁରୁଷ କିନ୍ତୁ ଅସହିଷ୍ଣୁ । ସୁନ୍ଦରୀଟିଏ ଦେଖିଲେ ପୁରୁଷ ମନ ଚହଲି ଯାଏ, ଲୋମ କୂପ ଟାଙ୍କୁରି ଉଠେ, ଦେହଟା ଶୀତେଇ ଉଠେ, ମନଟା ଚଞ୍ଚଳ ହୋଇଉଠେ । ସେ ଅନେକ କିଛି ଭାବି ପକାଏ ।

 

ଗୁରୁପଦ ଅନେକ ରାତିରେ ଶୋଇଲା । କାହିଁକି ଯେ ତା’କୁ ନିଦ ହେଲା ନାହିଁ ସେ ଜାଣି ପାରିଲା ନାହିଁ ଝାପ୍‌ସା ଚନ୍ଦ୍ରକିରଣ ଝରକା ଭେଦକରି ଘର ଭିତରେ ପଡ଼ିଛି । ବିଲେଇଟା ସୁଟ୍‌କେଶ ଉପରେ ନୀରବ ଗମ୍ଭୀର ଭାବେ ବସିଛି । ଆଖି ଦି’ଟା ତା’ର ଚକ୍‌ ଚକ୍‌ ମାରୁଛି । ଏହି ଶଙ୍ଖି ବିଲେଇଟା ସତରେ ଭାରି ଉପକାରୀ । ମୂଷା ବଂଶକୁ ଧ୍ୱଂସ କରି ସାରିଲାଣି । ପ୍ରଥମେ ଯେଉଁ ମୂଷାମାନେ ପ୍ରବଳ ପ୍ରତାପ ଦେଖାଉଥିଲେ ଏବେ ସେମାନେ ଶଙ୍ଖି ବିଲେଇ ପାଖରେ ଶିକାର ହୋଇଛନ୍ତି । ଶଙ୍ଖି ବିଲେଇ ସେମାନଙ୍କୁ ମାରି ତା’ ଆତ୍ମା ଶାନ୍ତି କରିଛି । ଆଉ ଯେଉଁ କେତେଟା ମୂଷା ଅଛନ୍ତି ସେମାନେ ଏ ବିଲେଇ ଭୟରେ ଘର ଭିତର ମାଡ଼ୁ ନାହାନ୍ତି । ବିଚରା ବିଲେଇ ଭାରି ହଇରାଣ ହେଉଛି । କ’ଣ ବା ସେ କରିବ ? ପେଟ ପାଇଁ ସମସ୍ତଙ୍କ ଚିନ୍ତା । ସେ ବା କେମିତି ବାଦ ଯିବ ? ସେ ବସିଥିଲା । ଗୁରୁପଦ କଡ଼ ନେଉଟାଇଲା । ଖଟ ଉପରେ କେତେଟା ମାଗାଜିନ୍‌ ବିଶୃଙ୍ଖଳିତ ଭାବରେ ପଡ଼ିଛି । ପଡ଼ିଥାଉ । ଆଖିକୁ ନିଦ ଆସୁନି । କିଛି ସମୟ ପାଇଁ ଖଟ ଉପରେ ଉଠି ବସିଲା । ଟେବୁଲ ଉପରୁ ରିଷ୍ଟ୍‌ଓ୍ୱାଚ ଆଣି ଦେଖିଲା ରାତି ସାଢ଼େ ଦୁଇଟା । ଚେୟାରଟା ଟାଣି ଆଣି ଝରକା ଆଡ଼କୁ ମୁଁହ କରି ଖୋଲା ଆକାଶକୁ ଚାହିଁଲା ଗୁରୁପଦ । ଆକାଶରେ ଜହ୍ନ । ତା’ ଚତୁଃପାର୍ଶ୍ୱରେ ଅସଂଖ୍ୟ ତାରକାମାଳ । ଏଇ ଜହ୍ନ, ଏଇ ଆକାଶ, ଏଇ ନକ୍ଷେତ୍ର,ଏଇ ପୃଥିବୀ, କେତେ ସୁନ୍ଦର । କେତେ ବିଚିତ୍ର ଦୃଶ୍ୟମାନ ଭଗବାନଙ୍କର, ଏ ବିଚିତ୍ର ସୃଷ୍ଟିର ଧରାଧାମରେ ମାନବର ସୃଷ୍ଟି ଆହୁରି ବିଚିତ୍ରମୟ । ଆକାଶରେ ଏ ଜହ୍ନମାମୁଁ ଶତାବ୍ଦୀ ଶତାବ୍ଦୀ ଧରି ରହି ଆସୁଛି । ଆକାଶର ଏ ବେଶ୍‌ ଲୋଭନୀୟ ଉପଗ୍ରହଟି । ପୃଥିବୀର ଚାରିପଟେ ଘୁରୁଛି ଅନବରତ । କ’ଣ ତା’ଠୁ ପାଉଛି ସେ ଜାଣିଛି । ସେ ପଢ଼ୁଛି, ସୂର୍ଯ୍ୟ ଚାରିପଟେ ପୃଥିବୀ ଘୁରୁଛି ଏବଂ ପୃଥିବୀ ଚାରିପଟେ ଚନ୍ଦ୍ର ଘୂରୁଛି, ନିଜର ଆଲୋକ ନଥିଲେ ମଧ୍ୟ ଅନ୍ୟଠାରୁ ଆଲୋକ ଆଣି ବିତରଣ କରୁଛି । ଦାନୀ ଖୁବ୍‌ ଦାନୀ । ପରୋପକାରୀ ଜହ୍ନମାମୁଁଟି । ଅନ୍ୟର ସେବା କରିବା ପାଇଁ ସତେ ଯେପରି ତା’ର ଜନ୍ମ । ବହୁ ଆଗରୁ ଦେଇ ଆସୁଛି ଏବଂ ଦେଇ ଆସୁଥିବ ମଧ୍ୟ । ସତେ ଯେପରି ତା’ ନିୟମରୁ ସେ ବିଚ୍ୟୁତ ହେବାକୁ ଚାହୁଁନି ? ପରଠାରୁ ମାଗି ଆଣି ଅନ୍ୟକୁ ଦେଇ ସେ ଆନନ୍ଦ ପାଇଥାଏ ।

 

ଚେୟାର ଉପରୁ ଉଠିଲା ଗୁରୁପଦ । ବିଛଣାରେ ଗଡ଼ି ପଡ଼ିଲା କେତେବେଳେ ନିଦ ଆସିଲା ଜାଣି ପାରିଲା ନାହିଁ ।

 

ଏବେ ଗୁରୁପଦ, ମହାପାତ୍ର ସାହାବଙ୍କ କ୍ୱାଟର ପଛପଟେ ଯେଉଁ ଦୁଇଟି ଆଟାଚ୍‌ ରୁମ୍‌ ଅଛି ସେଠି ରହୁଛି । କିନ୍ତୁ ମିସେସ୍‌ ମହାପାତ୍ର ଏହାକୁ ପସନ୍ଦ କରୁନାହାନ୍ତି । ଅନେକ ଥର ଗୁରୁପଦକୁ ଡାକି କହିଲେଣି ଆପଣ ଆଉ ସେଠି ରୁହନ୍ତୁ ନାହିଁ । ଆମ ପରିବାର ସହିତ ମିଶି ରୁହନ୍ତୁ-। କିଛି ଅସୁବିଧା ହେବ ନାହିଁ । ତୁମ ସାହାବଙ୍କୁ ମୁଁ ବହୁଥର କହିଲିଣି, ସେ କହିଛନ୍ତି ଗୁରୁପଦ ବାବୁଙ୍କୁ ପଚାର । ମୋର କୌଣସିଥିରେ ଆପତ୍ତି ନାହିଁ । ତାଙ୍କର ଅମାୟିକ ବ୍ୟବହାର ଏବଂ ହସ ହସ ମୁହଁ ଏବଂ ସରଳ ନିରାଡ଼ମ୍ୱର ଚାଲିଚଳନରେ ଖୁସି ହୋଇ କାଠଯୋଡ଼ି ସେପାଖରୁ ଏ ପାଖକୁ ଆଣିଲି । ତୁମେ ଏଥର ତାଙ୍କ କଥା ବୁଝ ।

 

ସେଦିନ ଗୁରୁପଦର ଆଶ୍ଚର୍ଯ୍ୟ ହୋଇଥିଲା ମିସେସ୍‌ ମହପାତ୍ରଙ୍କ କଥା ଶୁଣି । ଦିନକୁ ଦିନ ମହାପାତ୍ର ସାହାବଙ୍କ ପରିବାର ସହିତ ସେ ଯେ ଏକାନ୍ତ ଭାବରେ ମିଶିଯିବ ଏହ ନିଃସନ୍ଦେହ ବୋଲି ଭାବିଲା । ମିସେସ୍‌ ମହାପାତ୍ର ଅତ୍ୟନ୍ତ ଭାବବିହ୍ୱଳା । ଅତି ସ୍ନେହୀ ପରକୁ ଖୁବ୍‌ ଶୀଘ୍ର ସେ ଆପଣାର କରି ପକାନ୍ତି । ଆଜକୁ ଗୁରୁପଦ ଏକ ବର୍ଷ ହେବ ତାଙ୍କ ପାଖରେ ରହିଲାଣି । କୌଣସି ଦିନ ତାଙ୍କ ମୁହଁରେ ବିରସ ଭାବ ଦେଖି ନାହିଁ । ସବୁଦିନ ସେ ଚିର ସ୍ରୋତା ଗଙ୍ଗାଭଳି ଚିର ହର୍ଷିତା, ଚିର ପ୍ରଫୁଲ୍ଲା । ମନକୁ ମନ ମହାପାତ୍ର ସାହାବଙ୍କୁ କହି ସାନ୍ଧ୍ୟ କଲେଜରେ ତା’ର ନାଁ ଲେଖାଇ ଦେଲେ । ସାନ ଭାଇ ରମାପଦକୁ ରେଭେନ୍‌ସା କଲେଜରେ ନାଁ ଲେଖାଇ ଦେଲେ । ନିଜ ହାତରୁ ସବୁ ପଇସା ଦେଇଛନ୍ତି । ଗୁରୁପଦ ଯେତେ ଅନୁନ୍ୱୟ ହୋଇ ଯାଚିଥିଲେ ମଧ୍ୟ ଅଭିମାନରେ ମୁହଁ ଶୁଖେଇ ଦେଇଛନ୍ତି । ଦୁଇ ଚାରି ଦିନ କଥା କହି ନାହାନ୍ତି । କାହିଁକି ଓ କ’ଣ ପାଇଁ ଗୁରୁପଦ ବୁଝିପାରିନି । ଏ ସାହାବାଣୀଙ୍କ ମତିଗତିକୁ ଦେଖି ସେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ନୀରବ ରହିଛି ଉପାୟ କିଛି ପାଇନି । ମିସେସ୍ ମହାପାତ୍ରଙ୍କ ପାଖରେ ଛିଡ଼ା ହୋଇଛି ବୁଝେଇବା ପାଇଁ । ସାହସ ହୋଇନି । କ’ଣ ବା ବୁଝେଇବ । ମିଷ୍ଟର ମହାପାତ୍ର ଓ ମିସେସ୍‌ ମହାପାତ୍ର ବସିଲାବେଳେ ଯେଉଁ କେତେଥର ତା’କୁ ପାଖକୁ ଡାକି ଭଲ ମନ୍ଦ କଥା ପଚାରିଛନ୍ତି, ସେ କେବଳ ତଳକୁ ମୁହଁ ପୋତି ଉତ୍ତର ଦେଇଛି ସିନା ତାଙ୍କ ମୁହଁକୁ ଭଲ ଭାବରେ ଚାହିଁ ପାରିନି । ସତେ ଯେପରି ସେମାନଙ୍କ ଜ୍ୟୋତିର ରଶ୍ମୀକୁ ସେ ଭଲ ଭାବରେ ଚାହିଁ ପାରେନି । ଆଖି ତା’ର ଝିଲି ମିଲି ହୋଇଯାଏ ।

 

ଦିନେ ହଠାତ୍‌ କାହିଁକି ମିସେସ୍‌ ମହାପାତ୍ର ରମାପଦକୁ ଡାକି ପଚାରିଲେ–ପ୍ରତି ରବିବାର ଦିନ ଗୁରୁପଦ ବାବୁ କାହିଁକି କାଠଯୋଡ଼ି ସେପାରିର ଗାଁକୁ ଯାଆନ୍ତି; ସେଠି ତୁମର କିଏ ବନ୍ଧୁବାନ୍ଧବ ଅଛନ୍ତି କି ?

 

ରମାପଦ ସେଦିନ ରାତିରେ ଗୁରୁପଦକୁ ସେହି କଥା ପଚାରି ଥିଲା ।

 

ରମାପଦ କଥା ଶୁଣି ଗୁରୁପଦ ପଚାରିଲା–ତୁ କ’ଣ କହିଲୁ ?

 

ମୁଁ କହିଲି, ଭାଇ ସେଠାରେ ପ୍ରଥମେ ରହୁଥିଲା । ଚିହ୍ନାପରଚ ହୋଇଯାଇଛି ସେଥିପାଇଁ ଯାଉଥିବେ । ରମାପଦ ଉତ୍ତର ଶୁଣି ଗୁରୁପଦ ଖୁସି ହୋଇଥିଲା । ଯାହାହେଉ ଠିକ୍‌ ଉତ୍ତର ଦେଇଛି ସେ । ଆଉ ଅଧିକାଟା ବା କ’ଣ କହି ଥାଆନ୍ତା ? ଫୁଲଅପା ସ୍ନେହ ଭୁଲି ହେବନି କି ଅର୍ଜ୍ଜୁନବାବୁଙ୍କ ପରିବାର ପ୍ରତି ମମତା ଛାଡ଼ି ହେବନାହିଁ । ରାତ୍ରି ଗଭୀର ହେଲେ ନିଦ୍ରା ଦେବୀ ନିଜ କୋଳକୁ ସମସ୍ତଙ୍କୁ ଏକାନ୍ତ ଭାବରେ ଟାଣି ଧରନ୍ତି । ପାଖରୁ ମୋଟେ ଛାଡ଼ନ୍ତି ନାହିଁ । ଠିକ୍‌ ସେହିପରି ଦିନକୁ ଦିନ ଫୁଲଅପାର ସ୍ନେହ ଗୁରୁପଦକୁ ଏକାନ୍ତ ଭାବରେ ଗ୍ରାସ କଲାଣି । ଆଉ ଅର୍ଜ୍ଜୁନବାବୁଙ୍କ ମଧୁର କଥା ତା’କୁ ପାଗଳ କରି ପକାଇଲାଣି । କଲ୍ୟାଣୀ ମାଟ୍ରିକ୍‌ ପାସ୍‌ କରିବା ପରେ ଅର୍ଜ୍ଜୁନବାବୁ ଗୁରୁପଦ ପ୍ରତି ଏତେ ଆକୃଷ୍ଟ ହୋଇ ପଡ଼ିଛନ୍ତି ଯେ ବହୁବାର ଗୁରୁପଦ ଘରକୁ ଆପେ ଆପେ ମାଡ଼ି ଯାଇଛନ୍ତି । ଗୁରୁପଦ ବାପା ଦୀନବନ୍ଧୁ ସହିତ ନିବିଡ଼ ବନ୍ଧୁତ୍ୱ ସ୍ଥାପନ କରି ଦେଇଛନ୍ତି ।

 

ଏବେ କଲ୍ୟାଣୀ ମହିଳା କଲେଜ ଛାତ୍ରୀ । ବୟସର ରଙ୍ଗ ଲାଗିଛି । କୃଷ୍ଣଚୂଡ଼ା ଭଳି ସେ ଲୋଭନୀୟା ହୋଇ ଉଠିଛି । ଆଉ ରଜନୀଗନ୍ଧା ଭଳି ଶାନ୍ତ ସ୍ତବକଟି ଭଳି ଉପବନରେ ଦୋହଲୁଛି-

 

ତା’ର ଭରା ଯୌବନ ଉତ୍‌ଶୃଙ୍ଖଳିତ ଜୁଆରିଆ ନଦୀ ଭଳି ଲହଡ଼ି ଭାଙ୍ଗୁଛି ।

 

ସେଦିନ ସନ୍ଧ୍ୟାରେ ଝିପିଝିପି ବର୍ଷା ହେଉଥିଲା । ଟେବୁଲ ଉପରେ ଲଣ୍ଠନଟା ମିଞ୍ଜି ମିଞ୍ଜି ଜଳୁଥିଲା । ଗୋଟିଏ ପାର୍ଶ୍ୱରେ ବସିଥିଲା ଗୁରୁପଦ । ଅପର ପାର୍ଶ୍ୱରେ ବସିଥିଲା କଲ୍ୟାଣୀ ।

 

ମୁଁ କିଛି ଦିନ ପାଇଁ ଗାଁକୁ ଯିବି । ଏବେ ଆଉ ଆସିବି ନାହିଁ । ଗୁରୁପଦ କଲ୍ୟାଣୀ ଉଦ୍ଦେଶ୍ୟରେ କହିଲା ।

 

ଏବେ ଆସିବେ ନାହିଁ ନା ଆଉ କେବେ ଆସିବେ ନାହିଁ ? ଭାରି ଠକ ତୁମେ । ଠକାମି ଶିଖିବା ପାଇଁ ହେଲେ ତୁମଠାରୁ ପ୍ରଥମେ ଟ୍ରେନିଂ ନେବା ଆବଶ୍ୟକ, କଲ୍ୟାଣୀ ହସି ହସି କହିଲା ।

 

ମୁଁ ତ କୌଣସି କଥାରେ ତୁମକୁ ଠକିନି ?

 

ଠକି ନାହାନ୍ତି ? ମନପକାଇଲେ, ସେଦିନ କହିଥିଲେ ନାଁ ଚଣ୍ଡୀମନ୍ଦିର ପାଖରେ ଅପେକ୍ଷା କରିବା ପାଇଁ, ମୁଁ ଅପେକ୍ଷା କରିଥିଲି, ଯାଇଥିଲେ ?

 

ଓଃ, ସେଦିନ ଭୁଲିଯାଇଛି । ଅଫିସ୍‌ ସାରି ପଦାକୁ ବାହାରିଛି, ମିସେସ ମହାପାତ୍ର କ’ଣ ପାଇଁ ମାତେ ଡାକି ତାଙ୍କ କାର୍‌ରେ ବସାଇ ଚୌଧୁରୀ ବଜାର ନେଇ ଆସିଲେ । ଅବଶ୍ୟ ତୁମ କଥା ମନେ ପଡ଼ିଥିଲା, କିନ୍ତୁ ମିସେସ୍‌ ମହାପାତ୍ରଙ୍କ ଆଗରେ କିଛି କହି ହେଲାନି । ଲାଜ ମାଡ଼ିଲା, ଗୁରୁପଦ କହିଲା ।

 

କଲ୍ୟାଣୀ କହିଲା, ହଁ ସେମିତି ଗୋଟାଏ କ’ଣ ହେଇଥିବ । ତୁମ ପାଖେ ପାଖେ ତ ଲାଜ ସବୁବେଳେ ଥାଏ ସୁବିଧା ଦେଖି କେତେବେଳେ ଧରି ନେଇଥିବ ।

 

ଗୁରୁପଦ ଖୁବ୍‌ ଜୋର୍‌ରେ ହସି ଉଠିଲା ।

 

କି ଲୋକ ତୁମେ ! କଥା ବେଶ୍‌ କହି ଜାଣ । ପ୍ରଥମରୁ ଭାବିଥିଲି, ଭାରି ଶାନ୍ତି ଶିଷ୍ଟ ହୋଇଥିବ । ମାଛିକୁ ମ’ କହୁ ନ ଥିବ । କିନ୍ତୁ ଏବେ ଯାହା ଦେଖୁଛି, ସବୁ ଗୁଣରେ ପରିପୂର୍ଣ୍ଣ । ନୀଳକଣ୍ଠ ।

 

ଭାବୁଛ ମିଛ କହୁଛି ? ଗୁରୁପଦ କହିଲା ।

 

ମୋ ଆଗରେ ତ କେବେ ସତ କହି ନାହାନ୍ତି, ଏବେ ବା କହିବେ କିମିତି । ସମସ୍ତଙ୍କ ଆଗରେ ସତ କହନ୍ତି ମିଛଟା ମୋରି ଆଗରେ କହନ୍ତି । ଚାହିଁଲେ ମୋ ଆଡ଼କୁ, କ’ଣ ଭୁଲ୍‌ କହିଲି-? ସେଦିନ ବାପାଙ୍କ ଆଗରେ କହିଥିଲେ ନାଁ ମୋ ପାଇଁ ଗୋଟିଏ ଭଲ ବରପାତ୍ର ଠିକ୍‌ କରିଛନ୍ତି । କ’ଣ ଠିକ୍‌ ତୁମେ କହିଲ ବାପାଙ୍କୁ, ବାପା କହିଲେ ବୋଉକୁ । ବୋଉ ବାପାଙ୍କ କଥା ଶୁଣି ଏକାଥରକେ ସ୍ୱର୍ଗରେ ଯାଇଁ ବସି ପଡ଼ିଲା । ଭାବିଲା ଯାହାହେଉ ବରପାତ୍ର ପାଇଁ ସେ ଯେଉଁ ଧନ୍ଦାଳି ହେଉଥିଲା, ଏବେ ତା’ର ସମାପ୍ତି ଘଟିଲା ।

 

ତୁମେ ଏ କଥା ଶୁଣି ଭାରି ଖୁସି ହୋଇଥିବ ନିଶ୍ଚୟ, ଗୁରୁପଦ କହିଲା ।

 

ଖାଲି ଖୁସି ନୁହେଁ ତ ? ଏ କଥା ଶୁଣିବାମାତ୍ରେ କଲେଜରୁ ସିଧା ଚଣ୍ଡୀମନ୍ଦିର ଯାଇଁ ଦଶ ଟଙ୍କାରେ ଭୋଗକରି ଘରକୁ ରାତି ଆଠଟାରେ ଫେରିଲି । ମା’ ଚଣ୍ଡୀକୁ ଖୁବ୍‌ ମୁଣ୍ଡିଆ ମାରିଲି । ଏ ବରପାତ୍ର ପାଇଁ କେତେ ଡହଳ ବିକଳ ମୁଁ ହେଉଥିଲି ସତେ ? କିଏ କ’ଣ ମୋ କଥା ବୁଝୁଥିଲା । ସମସ୍ତେ ଉପରେ ଉପରେ ହୁଁ ମାରୁଥିଲେ । ବାପାଙ୍କ ପାଖରୁ ଦିବ୍ୟ ଭୋଜନ ପକାଉଥିଲେ, ବାଟେ ବାଟେ ସିଧା ଘରକୁ ଯାଉଥିଲେ । କିନ୍ତୁ ତୁମେ ଯେ ମୋ କଥା ଏତେ ଶୀଘ୍ର ବୁଝିଦେବ କଳ୍ପନା କରି ପାରି ନ ଥିଲି । ଯାହାହେଉ ଏବେ ତ ମୋ କଥା ସରିଲା । ବାକି ରହିଲା ତୁମ କଥା । ଚଣ୍ଡୀମନ୍ଦିରରେ ଭୋଗ ଯାଚିଛି ତୁମପାଇଁ ଗୋଟିଏ ଭଲ ପାତ୍ରୀ ପାଇବାକୁ ।

 

ଗୁରୁପଦ କିରି କିରି ହୋଇ ହସି ଉଠିଲା । ଏହା ଭିତରେ ଗୁରୁପଦ କଲ୍ୟାଣୀ ଇଂରାଜୀ ଖାତା ଉପରେ ଗୋଟିଏ ସୁନ୍ଦରୀ ଝିଅର ଛବି ଆଙ୍କି ସାରିଥିଲା । ଏଇଟା ଯେ କଲ୍ୟାଣୀର କ୍ଳାସ୍‌ ନୋଟ୍‌ବୁକ୍‌ ତା’କୁ ଜଣା ନଥିଲା । କଥାବାର୍ତ୍ତା ଭିତରେ କଲ୍ୟାଣୀ ବି ଲକ୍ଷ୍ୟକରି ନ ଥିଲା । ଉଭୟ ଏକା ନାଆରେ ଭାସୁଥିଲେ ।

 

ଯାହାହେଉ ମୋ ପାଇଁ ଯଦି ଝିଅ ବୁଝିବ, ଏଇ ଛବିଟି ଦେଖ, ଠିକ୍‌ ଏହାରି ଭଳି ବାଛିବ-

 

ଇଂରେଜୀ ନୋଟଖାତାରେ ଗୁରୁପଦର ଅଙ୍କିତ ନାରୀ ଛବିଟି ଦେଖି କଲ୍ୟାଣୀ ମୁଣ୍ଡରେ ହାତଦେଇ କହିଲା, ଏ...ମା...କ’ଣ ତୁମେ କଲ । ଇଂରେଜୀ ନୋଟଖାତାରେ ଛବିଟି ଆଙ୍କିଦେଲ । ହେ.....ଭଗବାନ୍‌ ? ଛବିଟାକୁ ହାତରେ ଧରି କଲ୍ୟାଣୀ ତନ୍ନ ତନ୍ନ କରି ଦେଖି ମନେ ମନେ ହସିଲା-। ଛବିଟି ତା’ ଆଖିକୁ ଭାରି ଭଲ ଦେଖାଗଲା । ଗୁରୁପଦ ଏଭଳି ଛବି ଆଙ୍କିପାରେ ବୋଲି ତା’କୁ ଜଣା ନଥିଲା ।

 

ବେଶ୍‌ ତ ରସିକ ଲୋକ ତୁମେ ? ଝିଅମାନଙ୍କ ଫଟୋ ଆଙ୍କିବାକୁ ଖୁବ୍‌ ଭଲ ପାଅ, ନୁହେଁ ?

 

ଯାହାର କାଗଜ କଲମରେ ଏମିତି ଢଙ୍ଗ ବାହାରୁଛି, ତା’ର ପ୍ରାକ୍‌ଟିକାଲ ଫିଲ୍‌ଡ଼୍‌ରେ କ’ଣ ନ ଥିବ....

 

ଆଚ୍ଛା ଏ ଛବିଟି କାହାର ?

 

ହଠାତ୍‌ ଗୁରୁପଦ ପାଟିରୁ ବାହାରି ପଡ଼ିଲା, ତୁମର ।

 

ନିଜର ପ୍ରଶଂସା ଗୁରୁପଦ ପାଟିରୁ ଶୁଣି କଲ୍ୟାଣୀ ଜୋର୍‌ରେ ହସି ପକାଇଲା । ହଠାତ୍‌ ଦୁଲୁକାଏ ପବନ ଝରକାବାଟେ ଆସି ଲଣ୍ଠନଟାକୁ ଲିଭାଇ ଦେଲା । କ୍ଷଣକ ଭିତରେ ଘରଟା ଅନ୍ଧକାର ହୋଇଗଲା । ଆରେ ଏ କ’ଣ ହେଲା, କଲ୍ୟାଣୀ କହିଲା ।

 

ଅନ୍ଧାର । ତୁମେ କ’ଣ ଅନ୍ଧାରକୁ ଭଲପାଅନି ?

 

ସେହି ଅନ୍ଧକାରରର ଅସ୍ପଷ୍ଟତା ମଧ୍ୟରେ ଦାନ୍ତ ଚିପି କଲ୍ୟାଣୀ ଉତ୍ତର ଦେଲା, ମୁଁ କାହିଁକି ତୁମେ କ’ଣ ଭଲପାଅନି ?

 

ଅନ୍ଧାର ମିଠା ଆଲୁଅ ପାଖରେ ନାହିଁ କି ଆଲୁଅର ସ୍ୱାଦୂ ଅନ୍ଧାରରେ ନାହିଁ । କ’ଣ ବୁଝିପାରିଲ ? ବସିଥାଅ ଦିଆସିଲିଟା ଆଣେ । ଆରେ ଆରେ ଛାଡ଼ ଏ କ’ଣ ବୋଉ ରୋଷେଇ ଘରୁ ଚାଲିଆସିବ । ସେ କ’ଣ ଭାବିବ, ପିଲାଳିଆ ଢଙ୍ଗ ଏବେ ବି ଛାଡ଼ିନା । ଆରେ ହାତଟା ଚିମୁଟି ଦେଉଛ, ଭାରି କଷ୍ଟ ହେଉଛି । ଆରେ ଛାଡ଼, ମୁଁ ଦିଆସିଲିଟା ନେଇ ଆସେ ।

 

ଅନ୍ଧାର ମିଠା ଆଲୁଅରେ ମିଳେନି କଲ୍ୟାଣୀ, ତୁମେ ବର୍ତ୍ତମାନ କହିଥିଲ ନାଁ ?

 

ଓଃ, ପ୍ରାକ୍‌ଟିକାଲ୍‌ ଦ୍ୱାରା ମୋତେ ଚଖେଇ ଦେଉଛ । ଭାରି ଚାଲାଖ ତୁମେ । ଆଚ୍ଛା ହେଉ ଏବେ ତ ଅନ୍ଧାର ମିଠା ଚାଖିଲ ଆଲୁଅ ମିଠା ଟିକେ ଚାଖ । ଆରେ ଛାଡ଼ ? ହାତଟା ମୋର ଛିଡ଼ିଯିବ । ହେ ଭଗବାନ୍‌ ତୁମେ....ବଡ଼..... । ଗୁରୁପଦର ହାତଟା ଛିଞ୍ଚାଡ଼ି ଦେଇ ଦିଆସିଲି ପାଇଁ ଦୌଡ଼ି ଆସିଲା କଲ୍ୟାଣୀ ।

 

ସେହି ଅନ୍ଧକାରର ଚାରିକାନ୍ଥ ଭିତରେ କ୍ଷଣିକ ପାଇଁ ବସି ଚାହିଁଲା ଗୁରୁପଦ । ତା’ର ଦୁଇ ନାସାନ୍ଦ୍ର ଭିତରୁ ଖାଲି ଘନ ଘନ ନିଶ୍ୱାସ ପଦାକୁ ଯିବା ଆସିବାରେ ଲାଗିଲା । ସତେ ଯେପରି ସେ ଅନେକ ବାଟ ଦୌଡ଼ି ଦୌଡ଼ି ଆସି କ୍ଳାନ୍ତ ହୋଇ ପଡ଼ିଛି । ଦେହରୁ ଗମ୍‌ ଗମ୍‌ ଝାଳ ବାହାରି ପଡ଼ିଲା । ସତେ ଯେପରି ସେ ନୀରବ ନିସ୍ତେଜ ଭଳି ଶକ୍ତିହୀନ ହୋଇ ପଡ଼ୁଛି ।

 

କିଛି ସମୟ ପରେ ଦିଆସିଲି ଧରି ପ୍ରବେଶ କଲା କଲ୍ୟାଣୀ । ଲଣ୍ଠନ ଲଗାଇଲା । ଗୁରୁପଦ ଟେବୁଲ୍‌ ଉପରେ ମୁହଁମାଡ଼ି ବସିଥିଲା । ସତେ ଯେପରି ତା’ ଆଖିରେ ଆଖିଏ ନିଦ ଢାଙ୍କି ଯାଇଛି ।

 

ଅସଞ୍ଜତ କେଶ ଉପରେ ହାତ ରଖି କଲ୍ୟାଣୀ ଧୀରେ ଧୀରେ କହିଲା, ଏ; କ’ଣ ଭାବୁଛ, ଭୟ କରୁଛ କି ? ଉଠି ଚାହିଁଲ ମୋତେ ?

 

ଗୁରୁପଦକୁ ଭାରି ଲାଜ ମାଡ଼ିଲା, ମୁହଁକୁ ଉପରକୁ ଟେକି ପାରିଲା ନାହିଁ । ଭାବିଲା କଲ୍ୟାଣୀ ପାଖରେ ସେ ଏକାନ୍ତ ଭାବରେ ଦୋଷୀ । କ୍ଷଣକ ଅନ୍ଧକାର ଭିତରେ ସେ କ’ଣ ନକଲା ସତେ ? ସେ କ’ଣ ଜାଣିଥିଲା ଏମିତି ଗୋଟାଏ ଆକସ୍ମିକ ଝଡ଼ ବହିବ ବୋଲି ? ଛାତିଟା ଏପର୍ଯ୍ୟନ୍ତ ବି ତା’ର ଧପ୍‌ ଧପ୍‌ ଦେଉଛି । ମୁହଁଟା ତା’ର କାହିଁକି ରଙ୍ଗା ପଡ଼ିଯାଇଛି ।

 

କଲ୍ୟାଣୀ କୁତୁ କୁତୁ କଲା । ତୁମକୁ ଆଉ ପାରି ହେବନି । ଥଟ୍ଟାରେ କଲ୍ୟାଣୀ ହସି ହସି କହିଲା, ଯେଉଁ ଲୋକ ଅନ୍ଧାର ଭିତରେ ସିଂହ ଭଳି ଆକ୍ରମଣ କରେ, ସେହି ଲୋକ ଆଲୁଅ ଦେଖି ଶୃଗାଳ ପାଲଟି ଯାଏ ବୋଲି ମୁଁ ଜାଣିନି । ଆରେ ଉଠ, କ’ଣ ଶୋଇ ପଡ଼ିଲ ନାଁ କଣ । ଦେଖିଲ ମୋ ହାତରୁ କିମିତି ରକ୍ତ ବାହାରୁଛି । ନିଅ ଏ ଅଏଣ୍ଟମେଣ୍ଟଟା ମାରିଦିଅ ।

 

ହାତରୁ ରକ୍ତ ବାହାରିବା କଥା ଶୁଣି ଗୁରୁପଦ ଉପରକୁ ମୁଣ୍ଡ ଟେକିଲା । ଆଖି ଆଗରେ ଚିର ହର୍ଷିତା ଚନ୍ଦ୍ରମୁଖୀ କଲ୍ୟାଣୀକୁ ଦେଖି କାହିଁକି ଟିକେ ଲାଜେଇଗଲା ।

 

ଦେଖିଲ ହାତରୁ କେମିତି ରକ୍ତ ବାହାରୁଛି । ହାତ ଦେଖାଅ ମୁଁ ତୁମ ନଖ କାଟିଦିଏ ।

 

ଗୁରପଦ ଭାବିପାରିଲା ନାହିଁ ଯେ କଲ୍ୟାଣୀ ଏତେ ସରଳ, ଏତେ ଶାନ୍ତ ହୋଇଥିବ ବୋଲି । ସତେ ଯେପରି ସେ ତା’ ଆଗରେ ଏକ ଅବୁଝା ଶିଶୁ । ପିଲାଦିନେ ମା’ ଯେମିତି କୋଳକୁ ଭିଡ଼ିଆଣି ଗେଲେଇ ଗେଲେଇ କଥାକହି ନଖ କାଟି ଦେଉଥିଲା, ଆଜି ସେ ଏକ ପରିପୂର୍ଣ୍ଣ ଯୁବକ ଅବସ୍ଥାରେ ଥାଇ ଏକ ରୂପସୀ ତରୁଣୀ ପାଖରେ ସେହି ଅବସ୍ଥା ଲକ୍ଷ୍ୟ କରୁଛି । କ୍ଷଣକ ପାଇଁ ସେ ତା’କୁ ନିର୍ବାକ ଭାବରେ ଚାହିଁ ରହିଲା ।

 

ଆରେ କ’ଣ ଦେଖୁଛ ? ଆଲୁଅ ବୋଧେ ତୁମକୁ ଭଲ ଲାଗୁନି, ଲଣ୍ଠନଟା ଲିଭାଇ ଦେବି ? ଥଟ୍ଟାରେ କଲ୍ୟାଣୀ କହିଲା ।

 

କଲ୍ୟାଣୀ.......ଗୁରୁପଦ ଛିଡ଼ାହୋଇ ଦୁଇ ପାପୁଲି ଭିତରେ କଲ୍ୟାଣୀ ମୁହଁକୁ ଟେକିଧରି ଚାହିଁଲା ।

 

ଗୁରୁପଦ ଆଖିର ଜ୍ୟୋତିରେ ଆକର୍ଷିତ ହୋଇ କଲ୍ୟାଣୀ ନିଜକୁ ଅସହାୟ ମନେକରି କ୍ଷଣକ ପାଇଁ ତା’ ଛାତିରେ ଲୋଟିପଡ଼ିଲା ।

 

ତା’ ପରେ......

 

ମୁଁ ଯାଉଛି ଆର ରବିବାର ଆସିବି, ଗୁରୁପଦ କହିଲା–

 

ଏତେ ରାତିରେ ନ ଗଲେ ଚଳିବ ନାହିଁ ? ରହିଯାଅ, କାଲି ସକାଳେ ଯିବ ।

 

ନାଁ କେତେବାଟ ଯେ ଖୁବ୍‌ ବେଶି ହେଲେ ପନ୍ଦର ମିନିଟ୍‌ । ବର୍ଷା କମିଯାଇଛି ।

 

ମନ ବି ଭାଙ୍ଗି ଯାଇଛି...ନୁହେଁ ? ମୁଁ ଜାଣେ, ଏଇଟା ପ୍ରତି ପୁରୁଷର ଲକ୍ଷଣ । ତୁମେ ବା କେମିତି ବାଦ ପଡ଼ିବ । ଚନ୍ଦ୍ରକୁ ଚାହିଁ କୁମୁଦିନୀ ହସିଲା ଭଳି ଗୁରୁପଦକୁ ଚାହିଁ କଲ୍ୟାଣୀ ହସିଥିଲା । ସେ ହସ ଭିତରେ କହିଲା ଧନ୍ୟରେ ପୁରୁଷ, ଧନ୍ୟ ତା’ର ମନ ।

 

ଗୁରୁପଦ ସାଇକଲଟ ପଦାକୁ କାଢ଼ିଲା । ହାତରେ ଟର୍ଚ୍ଚ ଧରି ଆଗକୁ ଲାଇଟ୍‌ ପକାଇଲା-। ବର୍ଷା ପାଣି ରାସ୍ତାରେ ଜମି ଯାଇଛି । ବେଙ୍ଗ ବେଙ୍ଗୁଲି ସିଜୁବୁଦା ମୂଳେ ବସି ପ୍ରେମାଳାପ କରୁଛନ୍ତି-। ଏମାନଙ୍କୁ ଦେଖି ଗୁରୁପଦ କଲ୍ୟାଣୀ ଉଦ୍ଦେଶ୍ୟରେ କହିଲା, ଏ ସିଜୁବୁଦା ମୂଳକୁ ଚାହିଁ ଦେଖିଲ ସେମାନେ କ’ଣ କରୁଛନ୍ତି ।

 

କଲ୍ୟାଣୀ ହସି ହସିକା କହିଲା ତୁମେ ଯାହା କରୁଥିଲ ସେମାନେ ସେଇଆ କରୁଛନ୍ତି । ଏ ସଂସାର ତିଷ୍ଠି ରହିବା ପାଇଁ ଯାହା ଏକାନ୍ତ ପ୍ରୟୋଜନ ସମସ୍ତେ ତା’ରି ପଛରେ ଗୋଡ଼ାଉଛନ୍ତି । ସବୁ ମନ ସମାନ । କି ମଣିଷ, କି ପଶୁ, କି ପକ୍ଷୀ; ପ୍ରେମ ସମସ୍ତଙ୍କର ଆବଶ୍ୟକ ।

 

ଗୁରୁପଦ ହସି ହସି ସାଇକଲରେ ବସି ପେଡ଼ାଲ ମାରିଲା । କଲ୍ୟାଣୀ ମୁରୁକି ମୁରୁକି ହସି ହସି ତା’ ଯିବା ପଥକୁ ଚାହିଁ ରହିଲା ।

 

ଏହା ଭିତରେ ଚାରିବର୍ଷ ବିତି ଯାଇଥିଲା । ଗୁରୁପଦ ବି.ଏ. ପାସ୍‌ କରିଥିଲା । କଲ୍ୟାଣୀ ମଧ୍ୟ । ମହାପାତ୍ର ସାହାବଙ୍କ ଏକମାତ୍ର ପୁଅ ଶୀତାଂଶୁ ବାଙ୍ଗାଲୋରରୁ ଇଞ୍ଜିନିୟରିଂ ପାସ୍‌ କରି ଫେରିଥାଏ । ଚାକିରି ପାଇଁ ବିଭିନ୍ନ ଆଡ଼େ ଇଣ୍ଟରଭିଉ ଦେଉଥାଏ । କେଉଁଠି ସ୍ଥିର ହୋଇ ନ ଥାଏ-। ଏହାରି ଭିତରେ ବୋଧେ ହୋଇଯିବ । ଯଦି ନ ହୁଏ, ମହାପାତ୍ର ସାହାବଙ୍କ ଇଚ୍ଛା ଶୀତାଂଶୁକୁ କିଛି ଦିନ ପାଇଁ ଜାପାନ ପଠାଇବେ । ଗୋଟିଏ ମାତ୍ର ପୁଅ । ସେ ତାଙ୍କର ସବୁକିଛି । ଇଞ୍ଜିନିୟରିଂ ଉପରେ ଉଚ୍ଚ ଶିକ୍ଷା ପାଇବା ପାଇଁ ଜାପାନ୍‌ ଯିବାକୁ ଶୀତାଂଶୁ ମହାପାତ୍ର ସାହାବଙ୍କୁ କହିଥିଲା । ମହାପାତ୍ର ସାହାବ ରାଜି ହୋଇଥିଲେ; କିନ୍ତୁ ମିସେସ୍‌ ମହାପାତ୍ର ଟିକେ ପଛେଇ ଥିଲେ କ’ଣ ନା ତାଙ୍କର ଇଚ୍ଛା ଥିଲା, ଶୀତାଂଶୁକୁ ବିଭା ଦେଇ ସାରିବା ପରେ ଜାପାନ୍‌ ପଠାଇବେ । ବର୍ତ୍ତମାନ ମିଷ୍ଟର ମହାପାତ୍ର ଓ ମିସେସ୍‌ ମହାପାତ୍ର କନ୍ୟା ଖୋଜିବାରେ ବ୍ୟସ୍ତ ଥାନ୍ତି । ମନ ଲାଖି ଝିଅଟିଏ ପାଇଲେ ଶୀତାଂଶୁକୁ ହାତକୁ ଦି’ହାତ କରିଦେବେ । କିନ୍ତୁ ବୁଲି ବୁଲି ମନଲାଖି ଝିଅଟିଏ ଏପର୍ଯ୍ୟନ୍ତ ପାଇଲେ ନାହିଁ । ମହାପାତ୍ର ସାହାବ ଭାରି ବ୍ୟସ୍ତ ହୋଇପଡ଼ିଲେ । ମିସେସ୍‌ ମହାପାତ୍ର ମଧ୍ୟ । କ’ଣ ବା ସେ କରିବେ ? ଯେଉଁଠୁ ପ୍ରସ୍ତାବ ଆସୁଛି କେଉଁଠି ମନକୁ ପାଉନାହିଁ । ଧନ ଆବଶ୍ୟକ ନାହିଁ, ଆବଶ୍ୟକ ସୁନ୍ଦରୀ, ରୂପସୀ ବଧୂଟିଏ ।

 

ସେଦିନ ଅଫିସରୁ ଫେରି ଗୁରୁପଦ କୁଆଡ଼େ ବାହାରି ଥାଏ । ମିସେସ୍‌ ମହାପାତ୍ର ଡାକିଲେ । କ୍ଷଣକ ଭିତରେ ଗୁରୁପଦ ଆସି ସମ୍ମୁଖରେ ଠିଆ ହେଲା । ମିସେସ୍‌ ମହାପାତ୍ର ହସି ହସି ପଚାରିଲେ, ମୁଁ ସବୁ ଜାଣିଲିଣି ଯେ, ମୋତେ ଆଉ ଲୁଚାଇ ପାରିବନି । କଥାଟା ବି ଆଉ ଲୁଚି ରହିପାରିବ ନାହିଁ ।

 

ଗୁରୁପନ ମିସେସ୍‌ ମହାପାତ୍ରଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା । ମନେ ମନେ ବଡ଼ ଭୟ କଲା । କିଛି ସେ ବୁଝି ପାରିଲା ନାହିଁ । ଭାବିଲା ସେ କ’ଣ କିଛି ଗୁରୁତର ଅପରାଧ କରି ପକାଇଛି କି ? ଯାହାକି ସେ ଜାଣି ପାରୁନି । ପଇସାପତ୍ର ସେ ତ କାହାରିଠାରୁ ନିଏନି । କଣ୍ଟ୍ରାକ୍ଟରମାନେ ବହୁତ ପରସେଣ୍ଟଜ ଯାଚନ୍ତି, ସେ ସବୁ ଫେରାଇ ଦିଏ । ପାନ ଖଣ୍ଡେ କାହାଠାରୁ ନିଏ ନାହିଁ । ତେବେ ତା’ର ଭୁଲ୍‌ ରହିଲା କେଉଁଠି ? କିଏ ମିଛ ସତ ଯୋଡ଼ି ତା’ ନାଁରେ ସାହାବଙ୍କୁ କହିଛି କି ? କହିଥିବ, ଅସମ୍ଭବ ନୁହେଁ ଏ ଯୁଗରେ ସବୁ ସମ୍ଭବ । କିନ୍ତୁ ମହାପାତ୍ର ସାହାବ କଣ୍ଟ୍ରାକ୍‌ଟର କଥାରେ ଭାସି ଯାଇଥିବେ ବୋଲି ସେ କାହିଁକି ବିଶ୍ୱାସ କଲାନି । ତେବେ ମିସେସ୍‌ ମହାପାତ୍ର ଏକଥା କହିଲେ କାହିଁକି ? କିଛି ସମୟ ସ୍ଥିର ହୋଇ ଛିଡ଼ା ହୋଇ ରହିଲା ଗୁରୁପଦ ।

 

ମିସେସ୍‌ ମହାପାତ୍ର ପୁଣି କହିଲେ କ’ଣ ଗୁରୁପଦ ବାବୁ ଆମକୁ କେତେ ଦିନ ଲୁଚାଇବ-। ସାହାବ ଦେଖି ସାରିଲେଣି ଶୀତାଂଶୁ ମଧ୍ୟ ଦେଖିଛି । ଅଫିସର ଲକ୍ଷ୍ମୀଧରବାବୁ, ଷଢ଼ଙ୍ଗୀବାବୁ, ଦାମବାବୁ ସମସ୍ତେ ଜାଣିଛନ୍ତି । ଆଉ ମଧ୍ୟ ଦେଖିଛନ୍ତି । ମୁଁ କେବଳ ବାକି ଅଛି, ମୋତେ ଦେଖାଇଦେଲେ ସବୁ ସରିଯିବ ଏବଂ ତା’ର ସମାପ୍ତି ମଧ୍ୟ ଘଟିବ । ଆଶ୍ଚର୍ଯ୍ୟ ହେଲା ଗୁରୁପଦ କ’ଣ ସେ ଉତ୍ତର ଦେବ ? ତା’ କଥା ସମସ୍ତେ ଜାଣିଲେ, ସେ ନିଜେ କିନ୍ତୁ ଜାଣିପାରିଲା ନାହିଁ । ଆଶ୍ଚର୍ଯ୍ୟ ଜଣାଯାଉଛି, କଥାରେ କିଛି ଗୋଟାଏ ମାହାତ୍ମ୍ୟ ଅଛି । ଏହାକୁ ଖୋଜି ପାଇବା ପାଇଁ ଟିକିଏ ସମୟ ଦରକାର । ପୁନର୍ବାର ଚିନ୍ତାକରି ସେ ଛିଡ଼ା ହେଲା ।

 

ମିସେସ୍‌ ମହାପାତ୍ର ପୁଣି ପଚାରିଲେ, କ’ଣ କହୁଛନ୍ତି ? ମୋତେ ଦେଖାଇବେ ନାହିଁ ? ତାଙ୍କୁ ଟିକେ ସାଙ୍ଗରେ ନେଇ ଆସନ୍ତୁ ଯଦି ଘରକୁ ଆସିଲେ ଲାଜ ଲାଗିବ ତେବେ ଚଣ୍ଡୀମନ୍ଦିରକୁ ଡାକି ଆଣନ୍ତୁ ।

 

କାହା କଥା ଆପଣ କହୁଛନ୍ତି ? ଗୁରୁପଦ ପଚାରିଲା ।

 

କଲ୍ୟାଣୀ କଥା । ଆଉ କାହା କଥା ଆପଣଙ୍କୁ ପଚାରିବି ?

 

ମିସେସ୍‌ ମହାପାତ୍ରଙ୍କ କଥାଶୁଣି ଗୁରପଦ ହସିଲା । କ’ଣ ବା ଆଉ ସେ କହିବ । ତା’କୁ ବଡ଼ ଲାଜ ଲାଗିଲା । ସତ କଥାକୁ ସେ ମିଛରେ ପରିଣତ କରିବାକୁ ଚାହିଁଲା ନାହିଁ । ଅପରାଧୀଟି ଭଳି ଛିଡ଼ା ହେଲା ।

 

ଆପଣ ନ ଦେଖାଇଲେ ମୁଁ ନିଜେ ଯାଇ ଦେଖିଆସିବି । ସାହାବ ଆଉ ଶୀତାଂଶୁ କହୁଥିଲେ, ଝିଅଟି ଦେଖିବାକୁ ଭାରି ସୁନ୍ଦରୀ । ବି.ଏ. ପାସ୍‌ କରିଛି । ଆମ୍ଭମାନଙ୍କର କେବେଠୁଁ ଭୋଜିଭାତଟା ବାକି ଅଛି । ଆମେ ପେଟ ଖାଲିକରି ବସିଛୁ । ଦେଖାଯାଉ କେବେ ମିଳିବ ?

 

ଗୁରୁପଦ ଛିଡ଼ା ହୋଇ ହସୁଥାଏ, ମିଷ୍ଟର ମହାପାତ୍ର ଆଉ ମିସେସ୍‌ ମହାପାତ୍ର ତା’ ଜୀବନଯାତ୍ରା ପଥରେ କେତେ ଯେ ସହାୟକ ହୋଇଛନ୍ତି, ସେ କ’ଣ କେବେ ଭୁଲିପାରିବ ! ତା’ ଜୀବନର ଗତି ପଥର ଷ୍ଟିଅରିଂକୁ ଧରି ସେହି ମହନୀୟ ମହନୀୟା ଦମ୍ପତିଦ୍ୱୟ ବହୁ ଖାଲି ଢିପ ପଥର ପାହାଡ଼ ଚଢ଼ାଇ ତା’କୁ ଦୂରକୁ ନେଇ ଆସିଛନ୍ତି । ସତରେ ସେ ମହାନୀୟ ଦମ୍ପତ୍ତି ଦ୍ୱୟ କେତେ ଚିର ସ୍ମରଣୀୟ ତାହା କଳ୍ପନାତୀତ ।

 

କଥାଟାକୁ ବୁଲାଇଦେଇ ଗୁରୁପଦ କହିଲା, ଆପଣଙ୍କ ଯିବା କଥା ମୁଁ ବାପାଙ୍କ ପାଖକୁ ଖବର ଦେଇଛି ।

 

ମିସେସ୍‌ ମହାପାତ୍ର କିନ୍ତୁ କହିଲେ, ଖବର ଦେଇଥିବ ନିଶ୍ଚୟ ! ଏହା ନିଃସନ୍ଦେହ । ଆମେ ନିଶ୍ଚୟ ଯିବୁ । ତୁମ ଘର ଗାଁ ଦେଖିଆସିବୁ । ଏବେ କୁଆଡ଼େ ତୁମେ ନୂଆଘର କରିଛ, ସାହାବ କହୁଥିଲେ । ଆଚ୍ଛା ଛାଡ଼ ସେ କଥା, ତୁମ ଗାଁକୁ ଗଲେ ସେ ସବୁ ସହଜରେ ଦେଖିହେବ । ବର୍ତ୍ତମାନ କଥା ହେଉଛି, ମୁଁ କଲ୍ୟାଣୀକୁ କିପରି ଦେଖିବି । ମୋର ତା’କୁ ଦେଖିବାକୁ ଭାରି ଇଚ୍ଛା ହେଉଛି । ସମସ୍ତେ ଦେଖି ସାରିଲେଣି, ମୁଁ କେବଳ ବାକି ଅଛି । ଭିତରେ ଭିତରେ ଆପଣ ଏତେ କାମ କରି ସାରିଲେଣି, ମୋତେ ମାଲୁମ୍‌ ନାହିଁ । କ’ଣ ତା’କୁ ଆପଣ ଆମ ଘରକୁ ଆଣିବେ ନା ନାହିଁ । ଯଦି ନ ଆଣନ୍ତି ଆମେ ଆପଣଙ୍କ ଗାଁକୁ ଯିବୁ ନାହିଁ ।

 

ଆସିବ, ନିଶ୍ଚୟ ଆସିବ । ଆପଣ ଯେଉଁଦିନ କହିବେ ସେଦିନ ଡାକି ଆଣିବି, ଗୁରୁପଦ କହିଲା ।

 

ଆସନ୍ତା କାଲିକୁ ଡାକି ଆଣନ୍ତୁ, ମିସେସ୍‌ ମହାପାତ୍ର କହିଲେ ।

 

ଠିକ୍‌ ଅଛି ଡାକି ଆଣିବି । ଏଥର କୁହନ୍ତୁ ଆପଣମାନେ କେବେ ଆମ ଗାଁକୁ ଯିବେ ?

 

କଲ୍ୟାଣୀକୁ ଦେଖି ସାରିବା ପରେ ସ୍ଥିର କରିବି, ମିସେସ୍‌ ମହାପାତ୍ର କହିଲେ ।

 

କଲ୍ୟାଣୀକୁ ନ ଦେଖିବା ପୂର୍ବରୁ ଆମ ଗାଁକୁ ଥରେ ଯାଇ ବୁଲି ଆସନ୍ତୁ । ମୁଁ ରମାପଦ ହାତରେ ଖବର ପଠାଇ ଦେଇଛି, ଆସନ୍ତା କାଲିକୁ ବାପା ବୋଉ ଆପଣଙ୍କୁ ଗାଁରେ ଅପେକ୍ଷା କରିଥିବେ । କାଲି ଅଫିସ୍‌ ଛୁଟି ଅଛି, କୌଣସି ଅସୁବିଧା ହେବ ନାହିଁ ।

 

ଠିକ୍‌ ଅଛି କାଲି ସାଙ୍ଗହୋଇ ଯିବା ମୁଁ ସାହାବଙ୍କୁ ଆଜି କହିଦେବି । ସେ ମଧ୍ୟ ଯିବାକୁ ବହୁଥର କହିଲେଣି । ତେବେ ମୁଁ କ’ଣ କହୁଛି କି, କଲ୍ୟାଣୀକୁ ଦେଖି ସାରିଥିଲେ ଆପଣଙ୍କ ବାପାଙ୍କ ସହିତ କଥାଟା ପକ୍‌କା କରି ଆସିଥାନ୍ତି । ପଛକୁ ଅସୁବିଧା କିଛି ନଥାନ୍ତା ମିସେସ୍‌ ମହାପାତ୍ର ହସି ହସି କହିଲେ ।

 

ଭାବୁଛି କୌଣସି ଅସୁବିଧା ହେବ ନାହିଁ, ରମାପଦ ଘରେ ସବୁକଥା କହିଦେଇଛି, କଲ୍ୟାଣୀ ବାପା ମଧ୍ୟ ଗାଁକୁ ଯାଇ ସବୁକଥା କହି ଦେଇଛନ୍ତି ଗୁରୁପଦ କହିଲା ।

 

ସତେ, କଥା ତାହାହେଲେ ବହୁତ ଆଗେଇ ଯାଇଛି, ହଉ ଠିକ୍‌ ଅଛି କାଲି ଗାଁକୁ ଗଲେ ସବୁ ଜଣାପଡ଼ିବ । ହଉ ଆପଣ ଯାଆନ୍ତୁ କାଲି ସକାଳୁ ଗାଁକୁ ବାହାରି ପଡ଼ନ୍ତୁ, ମିସେସ୍‌ ମହାପାତ୍ର କହିଲେ ।

 

ଆଜ୍ଞା ମୁଁ ଯାଉଛି, ନମସ୍କାର ।

 

ଗୁରୁପଦ ମିସେସ୍‌ ମହାପାତ୍ରଙ୍କ ପାଖରୁ ଆସି ଖଟ ଉପରେ ଲମ୍ୱ ହୋଇ ଶୋଇପଡ଼ିଲା-

 

ପରଦିନ ସକାଳେ ମିଷ୍ଟର ମହାପାତ୍ର ମିସେସ୍‌ ମହାପାତ୍ର ଓ ଶୀତାଂଶୁକୁ ଧରି ଗାଁରେ ପହଞ୍ଚିଲାବେଳକୁ ସମୟ ୧୨ ଟା ପାଖାପାଖି ହୋଇଯାଇଥିଲା । ଆଗରୁ ଖାଇବା ପିଇବାର ସବୁ ବନ୍ଦୋବସ୍ତ ହୋଇସାରିଥିଲା । ଖାଇପିଇ ସମସ୍ତେ ବିଶ୍ରାମ କଲେ, ରାତ୍ରି ଭୋଜନ ପାଇଁ ଗୁରୁପଦ ବାଲିଚନ୍ଦ୍ରପୁର ହାଟରୁ ଗୋଟିଏ ବଡ଼ମାଛ ଧରି ଘରେ ପହଞ୍ଚିଲା ।

 

ଗୁରୁପଦ ହାତରେ ବଡ଼ ମାଛଟା ଦେଖି ମିସେସ୍‌ ମହାପାତ୍ର କିରି କିରି ହସିଉଠିଲେ । ନିର୍ମଳା ପାଖରେ ଛିଡ଼ା ହୋଇଥାଏ । ତା’ ସାମନାରେ ଛିଡ଼ା ହୋଇଥାଏ ଶୀତାଂଶୁ । ଦୀନବନ୍ଧୁ ବାରିପଟ କବାଟ ପାଖରେ ଛିଡ଼ା ହୋଇଥାନ୍ତି । ଶୀତାଂଶୁ ମନରେ ନୂତନ ଉନ୍ମାଦନା ଦେଖାଦେଉଥିଲା ପରି ଜଣା ପଡ଼ୁଥାଏ । ସେ ବାଙ୍କ ଚାହାଣୀରେ ନିର୍ମଳାକୁ ଚାହିଁଥିଲା, ନିର୍ମଳା ସ୍ମିତ ହାସ୍ୟରେ ତଳକୁ ମୁହଁ ପୋତି ଡାହାଣ ହାତର ଆଙ୍ଗୁଠିର ନଖକୁ କାମୁଡ଼ି କାମୁଡ଼ି ଛିଣ୍ଡାଉଥିଲା । ବିଶି ଆଙ୍ଗୁଠିରେ ନାଇଥିବା ସୁନାମୁଦିରେ ଯେଉଁ ଧଳାପଥରଟା ବସିଥିଲା, ପଶ୍ଚିମ ଆକାଶରୁ ସୂର୍ଯ୍ୟକିରଣ ପଡ଼ି ତା’ ଆଖିକୁ ମଝିରେ ମଝିରେ ଝଲକାଇ ଦେଉଥିଲା । ଚିଡ଼ିଆଖାନାରେ କୌଣସି ଲୋଭନୀୟ ପ୍ରାଣୀକୁ ଦେଖି ଆଖିଟା କ୍ଷଣକ ପାଇଁ ଯେପରି ତା’ ଉପରେ ଲାଖିଯାଏ, ଶୀତାଂଶୁ ବର୍ତ୍ତମାନ୍‌ ସେହି ଅବସ୍ଥାରେ ପଡ଼ିଯାଇଛି । ନିର୍ମଳାକୁ ଦେଖିଲା ପରେ ତା’ର ଅମାନିଆ ଆଖିକୁ ସେ ବୁଝାଇ ପାରୁନି । ଅବୁଝା ମନକୁ ଠିକ୍‌ ବାଟକୁ ଆଣିପାରୁନି । ଇଚ୍ଛା ହେଉଛି ନିର୍ମଳା ପାଖକୁ ଭିଡ଼ିଯିବାକୁ । କିନ୍ତୁ ସମ୍ମୁଖରେ ଯେଉଁ ତ୍ରିମୂର୍ତ୍ତି ଛିଡ଼ା ହୋଇଛନ୍ତି, ସେମାନେ ସତେ ଯେପରି ଏକ କାଚର ଦୀର୍ଘ ପାଚେରୀଭଳି ପ୍ରତିବନ୍ଧକ ହେଉଛନ୍ତି ।

 

ନିର୍ମଳା ଇଲିସି ମାଛର ତରକାରୀ ଖୁବ୍‌ ଭଲ ଭାବରେ ରାନ୍ଧି ଜାଣେ । ସେ ଭାରି ଇଲିସି ପ୍ରିୟ, ଆପଣମାନେ ଆଜି ତା’ର ହାତରନ୍ଧା ମାଛ ତରକାରୀ ଖାଇବେ ।

 

ନିର୍ମଳାକୁ ଭାରି ଲାଜ ଲାଗିଲା, ଗୁରୁପଦ ଆଗରେ ଛିଡ଼ା ହୋଇ ସେ କଥା କହେନି । ବଡ଼ଭାଇ ପ୍ରତି ତା’ର ବେଶି ଖାତିରି । ଆଜି ନୁହେଁ ପିଲାଦିନରୁ ମୁଣ୍ଡଟେକି ଭାଇ ଆଗରେ କଥା କହିଲେ ତା’କୁ ଗୋଟାଏ କେମିତି କ’ଣ ଲାଗେ ? ଅବଶ୍ୟ ରମାପଦ ଯଦିଓ ତା’ଠାରୁ ବଡ଼, କିନ୍ତୁ ତା’ ଆଗରେ କଥା କହିଲାବେଳେ ପାଟିରେ ବାଟୁଳି ବାଜେନି । ଅଥଚ ଗୁରୁପଦ ଆଗରେ ସତେ ଯେମିତି ଆଜନ୍ମ ମୁକ । ତଥାପି ବହୁତ ସାହସରେ କହିଲା, ମାଉସୀ, ଭାଇଙ୍କ କଥା ମୋଟେ ଶୁଣନ୍ତୁ ନାହିଁ । ସେ ନିଜେ ଇଲିସି ମାଛ ପ୍ରିୟ, ଭଲ ମଧ୍ୟ ରାନ୍ଧି ଜାଣନ୍ତି ।

 

ମିସେସ୍‌ ମହାପାତ୍ର ହସି ହସି କହିଲେ, ଗୁରୁପଦ ବାବୁ ତରକାରୀ ରନ୍ଧାର ବାସନାଟା ଆମେ ପାଇଛୁ । ସେଥିରୁ ଜାଣିପାରିଛୁ ଯେ ସେ ଭଲ ରାନ୍ଧି ଜାଣନ୍ତି । କିନ୍ତୁ ତୋ ହାତରନ୍ଧା ତରକାରୀ ଖାଇବା ପାଇଁ କାହିଁକି ମୋ ମନଟା ବ୍ୟାକୁଳ ହୋଇଉଠୁଛି ସେଥିପାଇଁ ଆମେ କଟକରୁ ଦୌଡ଼ି ଆସିଛୁ । ଆଜି ତୁ ରାନ୍ଧେ । ମୁଁ ତୋରି ହାତରନ୍ଧା ଆଜି ଖାଇବି ।

 

ନିର୍ମଳା ନିରୁତ୍ତର ରହିଲା । କ’ଣ କରିବ କିଛି ଭାବିପାରିଲା ନାହିଁ । ଲୁଗାକାନିଟା ହାତରେ ଗୁଡ଼ାଇଲା । ଶୀତାଂଶୁ ନିର୍ମଳାକୁ ଚିଡ଼େଇ ଦେବା ପାଇଁ ଛଳେଇ ଛଳେଇ କହିଲା, ବୋଉ ତୋର ବଡ଼ ଜିଦ୍ । ଯେ ଲୁଣ ଲଙ୍କାର ଭାଗମାପ ପାଏନି, ତୁ ତାଙ୍କୁ ରାନ୍ଧିବାକୁ କହୁଛୁ କାହିଁକି ? ଯଦି ରାନ୍ଧୁ ରାନ୍ଧୁ ଲୁଣ ବେଶି ପକାଇ ଦିଅନ୍ତି କିମ୍ୱା ଲଙ୍କା ବେଶି ପକାଇ ଦିଅନ୍ତି, ତୁ ଖାଇପାରିବୁ ନାହିଁ କି ଅନ୍ୟମାନଙ୍କୁ ଖୋଇ ଦେବୁନି । ସମସ୍ତେ ହଇରାଣ ହେବେ ।

 

ଶୀତାଂଶୁ କଥା ଶୁଣି ନିର୍ମଳା ମୁଣ୍ଡକୁ ଉପରକୁ ଉଠାଇ ଶୀତାଂଶୁକୁ ଚାହିଁ ଲାଜେଇ ଗଲା-। ମନେ ମନେ କହିଲା, ଇସ୍ ଇଏ ଯିମିତି ମୋ ରନ୍ଧାକୁ ଟେଷ୍ଟ କରିଛନ୍ତି ।

 

ତୁ ଟା ବଡ଼ ଫାଜିଲ୍ । ବଡ଼ ଆଗତୁରା ଟୋକାଟା । ତୁ କେମିତି ଜାଣିଲୁ ସେ ଲୁଣ ଲଙ୍କାର ଭାଗ ମାପ ଜାଣି ପାରିବନି ବୋଲି ? ସାମାନ୍ୟ ବିରକ୍ତି କଣ୍ଠରେ ମିସେସ୍ ମହାପାତ୍ର ଶୀତାଂଶୁକୁ ଚାହିଁ କହିଲେ ।

 

ଭାବିଲି ପିଲାଲୋକ । ଶୀତାଂଶୁ ବଡ଼ ନମ୍ର ଭାବରେ କହିଲା ।

 

ଉଁ...ପିଲାଲୋକ ତୁ ଭାରି ବଡ଼ ମଣିଷଟା ।

 

ଗୁରୁପଦ ହସି ଉଠିଲା ଦୀନବନ୍ଧୁ ବାବୁ ହସି ହସି ଚାଲିଗଲେ ।

 

କିନ୍ତୁ ନିର୍ମଳା ମଳୟର ମୃଦୁ ସ୍ପର୍ଶ ପାଇଲା ଭଳି ଶିହରୀ ଉଠିଥିଲା । ଶୀତାଂଶୁର କଥାଗୁଡ଼ାକ ତା’ ମନ ଭିତରେ ସତେ ଯେପରି ଏକ ନୂତନ ଅନୁଭୂତି ଖେଳାଇ ଦେଉଥିଲା । ତା’ର ସର୍ବାଙ୍ଗ ଶରୀରର ଲୋମକୂପଗୁଡ଼ିକ କାହିଁକି ଉତ୍ତେଜିତ ହୋଇ ଉଠୁଥିଲା । ଶୀତାଂଶୁକୁ ବାରମ୍ବାର ମୁଣ୍ଡ ଟେକି ଚାହିଁ ମନେ ମନେ ହସିଥିଲା ।

 

ପରଦିନ ମିସେସ୍ ମହାପାତ୍ର ଓ ଶୀଂତାଶୁ କଟକ ଫେରି ଆସିଲେ । ଗୁରୁପଦ ଗାଁରେ ରହିଲେ । କିନ୍ତୁ ଫେରିଲାବେଳେ ମିସେସ୍ ମହାପାତ୍ର ନିର୍ମଳା ଆଙ୍ଗୁଠିରେ ଯେଉଁ ସୁନା ମୁଦିଟା ପିନ୍ଧାଇ ଦେଇ ଗଲେ ଏବଂ ନିଜ ଛାତି ଉପରକୁ ଭିଡ଼ିନେଇ ଅଶ୍ରୁଳ ନୟନରେ କହିଲେ, ମା’, ମୁଁ ଆଜି ଯାଉଛି । ତୋ ବାଟକୁ ଚାହିଁ ରହିଲି ।

 

ମିସେସ୍ ମହାପାତ୍ରଙ୍କ କଥା ଶୁଣି ନିର୍ମଳା ଏକ ବିସ୍ମିତ ନୟନରେ ତାଙ୍କୁ ଚାହିଁଥିଲା, ସେ କିଛି ଭାବି ପାରୁ ନ ଥିଲା ତା’ ଜୀବନର ଗତି ସତେ ଯେମିତି ଏକ ଅଜଣା ଅଚିହ୍ନା ରାସ୍ତାକୁ ମାଡ଼ିଯାଉଛି । ଅବଶ୍ୟ ପଛରେ ସବୁ ଜାଣି ପାରିଲା । ସୁନା ମୁଦି ତା’କୁ ମିସେସ୍ ମହାପାତ୍ର କାହିଁକି ଦେଲେ । ତାଙ୍କ ଛାତି ଉପରକୁ ଟାଣିନେଇ ଭାବ ବିହ୍ୱଳିତ କଣ୍ଠରେ ଅନେକଗୁଡ଼ିଏ କଥା କହିଗଲେ ଯେଉଁଗୁଡ଼ାକୁ କି ତା’ ମାନସ ପଟରେ ଅଙ୍କିତ ଛବିକୁ ଆଉ ଟିକିଏ ପରିଷ୍କାର କରାଇ ଦେଇ ତା’କୁ ନିଶ୍ଚିତ ପଥକୁ ଭିଡ଼ିନେଲା ।

 

ନିର୍ମଳା ଭାବି ପାରି ନଥିଲା ଯେ ମିସେସ୍ ମହାପାତ୍ର ଗୋଟାଏ ଉଦ୍ଦେଶ୍ୟ ନେଇ ତାଙ୍କ ଘରକୁ ଆସିବେ ବୋଲି । ସେ ବା କେମିତି ଜାଣନ୍ତା । ମିସେସ୍ ମହାପାତ୍ର କେଉଁଠି, ଆଉ ସେ କେଉଁଠି । ଆକାଶ ପାତାଳ ପ୍ରଭେଦ । କାହିଁ ସ୍ୱର୍ଗ ଆଉ କାହିଁ ପାତାଳ । ଉପରକୁ ଚାହିଁଲେ ନୀଳ ଆକାଶ । ତଳକୁ ଚାହିଁଲେ ସବୁ ଅନ୍ଧାର । କାହା ସହିତ କାହାର ଯେମିତି ସମ୍ପର୍କ ନାହିଁ, ସମସ୍ତେ ଭିନ୍ନ ।

 

ବାରିପଟ ଚମ୍ପା ଗଛରୁ ଫୁଲଟିଏ ଆଣି ଖୋସାରେ ଖୋସିଲା ନିର୍ମଳା । ଦୂରରେ ଥାଇ ରାଧା ଭାଉଜ ହସି ହସି କହିଲେ, ବସନ୍ତ ବହିଲା, ଫୁଲ ଫୁଟିଲା ଏଣିକି ଦିଗ ଚହଟିବ । ନିର୍ମଳା ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲା ତୁମ ଦେହରେ ବସନ୍ତ ଲାଗିଥିଲା । ତୁମେ ଚହଟୁଥିଲ ରାଜୁ ଭାଇ ତୁମ ବଚନରେ ଭାସିଯାଇ ସେ ଗାଁରୁ ଏ ଗାଁକୁ ନେଇ ଆସିଲେ । ଭୁଲି ଯାଉଛ କାହିଁକି ?

 

ଓଃ ତୁମେ ତା’ ହେଲେ ସବୁ ମନେ ରଖିଛ ନୁହେଁ ନିର୍ମଳା ? ଆସ ଆଉ ଦି’ଟା ଚମ୍ପାଫୁଲ ତୁମ ଖୋସାରେ ଖୋସିଦିଏ । ରାଧା ଭାଉଜ ପାଖକୁ ଲାଗି ଆସି, ନିର୍ମଳା ଓଠକୁ ଟେକିଧରି କହିଲେ ।

 

ଥାଉ, ସେଇ ଗୋଟିଏ ଯଥେଷ୍ଟ । ବେଶୀ ମହକିଲେ ଭଅଁର ବେଶି ଆସିବେ । ଆଜି କାଲି ତ ଭଅଁର ଗୁଡ଼ାକ ଚାରିଆଡ଼େ ବୁଲୁଛନ୍ତି ଟିକେ ବାସନା ପାଇଲେ ବିକଳିଆ ହୋଇ ଦୌଡ଼ି ଆସିବେ ନିର୍ମଳା କହିଲା ।

 

ଆଉ ଭ୍ରମର ଆସିଲେ କ’ଣ ହେବ । ବିଚରା ଫେରିଯିବେ । ଯିଏ ଯାହାର ସିଏ ତାହାର । କଟକ ଭଅଁର କ’ଣ ସହଜରେ ଅନ୍ୟ ଭଅଁରକୁ ବାଟ ଛାଡ଼ିଦେବ । ତୁମକୁ ଚାଲାଖ କରି ନେଇଗଲେ । ଭାଗ୍ୟବାନ ସେ ।

 

ହଁ ଲକ୍ଷେ ଟଙ୍କାର ଲଟେରୀ ଟିକେଟ ପାଇଗଲେ । ଭାଗ୍ୟବାନ କାହିଁକି ନ ହେବେ ।

 

ନୁହେଁ କି ? ଲକ୍ଷେ ଟଙ୍କା ତ ସହଜରେ ମିଳିବ । କିନ୍ତୁ ତୁମ ଭଳି ଝିଅଟିଏ କ’ଣ ମୁଲକରେ ମିଳିବେ ?

 

ଥାଉ ଭାଉଜ ଥାଉ ଆଉ ମୋତେ ଟେକ ନାହିଁ । ମୋତେ ଆକାଶିଆ ଲାଗିଲାଣି । ବେଶି ଟେକିଲେ କଚାଡ଼ି ହୋଇ ପଡ଼ିବି । ମୁଣ୍ଡ ଫାଟିଯିବ । ଆସ ପାନ ଖଣ୍ଡେ ଖାଇବ । କେତେ ପ୍ରଶଂସା ମୋର କଲଣି । ପାଟି ଅଠାଳିଆ ଧରିବଣି । ଖାଲି ପାନ ଖାଇବ ନା ଚା’ ଟିକେ ପିଇବ ? ରାଜୁଭାଇ ଭୁବନେଶ୍ୱର ଗଲେଣି ନା, ଆଉ ଦୁଇଦିନ ତୁମ ପାଇଁ ଛୁଟି ନେଇଛନ୍ତି । ଆଚ୍ଛା ଭାଉଜ ସରକାର ରେଡ଼ିଓରେ ସବୁଦିନେ ଚିଲାଉଛି ତୁମ କାନରେ ଟିକେ ବାଜୁନାହିଁ ? ତିନିରୁ ତ ଚାରି କରି ସାରିଲଣି । ତଥାପି ମନ ଛାଡ଼ୁନି । ଆଉ ଦି’ ଦିନ ରାଜୁଭାଇଙ୍କୁ କହି ଛୁଟି ବଢ଼େଇ ଦେଇଛ । ଭଗବାନ ଏମିତି ସବୁ ମାଇପେ ଥା’ନ୍ତି ।

 

କ’ଣ ହେଲା କି, ଏଇ ମନ ଭିନ୍ନ ରଙ୍ଗ, ଏଇ ମନ ବୃନ୍ଦାବନ, ଏଇ ମନ କେତେ ରୂପ । ମନ ତ ଛାଡ଼ୁନି ଆମେ କ’ଣ କରିବୁ । ସୁରୁକି ଛାଡ଼ି ଦେଇଛୁ । ଯେତେ ଦୂର ଯାଇ ପାରିବ । ମନ୍ତ୍ରୀଗୁଡ଼ାକ ପୁଞ୍ଜା ପୁଞ୍ଜା ଧରି ବୁଲୁଛନ୍ତି । ସେ କ’ଣ ରେଡ଼ିଓ ଶୁଣୁ ନାହାନ୍ତି । ହଉ ଦେଖିବା ତୁମେ କେଉଁଠି ପୂର୍ଣ୍ଣଚ୍ଛେଦ ପକାଉଛ ।

 

ଆମ ପୂର୍ଣ୍ଣଚ୍ଛେଦ ଆମଠି ପଡ଼ିବ ।

 

ହଉ ଦେଖିବା ଯେ ସମସ୍ତେ କହନ୍ତି କିନ୍ତୁ ଠିକଣାବେଳେ ଭୁଲିଯାନ୍ତି ହସି ହସି ରାଧା ଭାଉଜ କହିଲେ । ନିର୍ମଳା ଖୁବ୍ ଜୋରରେ ହସି ଉଠିଲା । ତୁମକୁ ଆଉ ପାରିହେବନି । ଭାଉଜ ମହା ହୁସିଆର ତୁମେ । ପାଟଣା ଗଡ଼ର ଝିଅ ଶୁଖିଲା କାଠରୁ ପାଣି ବାହାର କରିଦେବ ।

 

ପାନ ଛେପକୁ ଦୂରକୁ ଫିକିଦେଇ ରାଧା ଭାଉଜ କହିଲେ, ନିର୍ମଳା ପାନଟା ସିନା ଦେଲ ପାଟିଟା ଭଲ ବାସିଲା । ପନ୍ଦର ଦିନ ପର୍ଯ୍ୟନ୍ତ ତୁମ କଥା ଭୁଲି ହେବନି । କିନ୍ତୁ ମନେ ରଖ ଶୀତାଂଶୁ ପାଖକୁ ଗଲେ ଯେପରି ପାନ ଦେବା କଥା ଭୁଲି ନ ଯାଅ । ଏବେ ସିନା ଚଉଷଠି ମସଲା ପକାଇ ଦେଲ ସେତେବେଳେ ଶହେ ଅଠାଅଶି ପ୍ରକାର ମସଲା ଦେଇ ପାନ ଭାଙ୍ଗିବ କ’ଣ ମନେ ରହିଲା । ମୁଁ ଚାଲିଲି ଭାଇ ତୁମର ପାଗଳ ହୋଇଯିବେଣି । ହସି ହସି ରାଧା ଭାଉଜ ଚାଲିଗଲେ । ଚତୁରୀ ରାଧା ଭାଉଜ ପାଟଣା ଗଡ଼ର ଝିଅ । କଥା କହିଲେ ବାଟୁଳି ବାଜେନି । କି ସୁନ୍ଦର ଚେହେରା ତାଙ୍କର । ବିଭା ହେବାର ଦଶବର୍ଷ ପରେ ଚାରୋଟି ସନ୍ତାନର ଜନନୀ ହୋଇଥିଲେ ମଧ୍ୟ ରୂପରେ ମଳିନତା ପଡ଼ିନି । ରଙ୍ଗରେ ଦାଗ ଆସନି କଣ୍ଠରୁ ସୁଲଳିତ ସ୍ୱର ବାହାରୁଛି ସେହି ଚନ୍ଦ୍ରମୁଖୀର । ସେ ରୂପସୀ, ସତେ ଯେପରି ବୟସ ଆଗକୁ ମାଡ଼ି ପାରୁ ନାହିଁ ଯେଉଁ ଷୋଡ଼ଶୀକୁ ସେହି ଷୋଡ଼ଶୀ-

 

ଦୀର୍ଘ ଦୁଇଟି ବର୍ଷ ପରେ କଲ୍ୟାଣୀ ସହିତ ସାକ୍ଷାତ ହେଲା ନିର୍ମଳାର । ଦୀନବନ୍ଧୁ ଏକା ତିଥିରେ ଦୁଇଟି ବିବାହ କରିଦେଲେ । ପ୍ରଥମରୁ ତାଙ୍କର ଇଚ୍ଛା ନ ଥିଲା, ଏକା ତିଥିରେ ଗୁରୁପଦ ଓ ନିର୍ମଳାର ବିବାହ କରିବାକୁ । କିନ୍ତୁ ମିସେସ୍ ମହାପାତ୍ରଙ୍କ ବାଧ୍ୟ ବାଧ୍ୟକତା ପାଖରେ ସେ ରାଜି ହେଲେ । ତାଙ୍କ କଥାକୁ ଭାଙ୍ଗି ପାରିଲେ ନାହିଁ । କେମିତି ବା ଭାଙ୍ଗିଥାନ୍ତେ ? ସେ କ’ଣ ଜାଣିଥିଲା ମିସେସ୍ ମହାପାତ୍ର ନିର୍ମଳାକୁ ଦେଖିଲା କ୍ଷଣି ରାଜି ହୋଇଯିବେ । ବିଧାତା ଲିଖନ କେ କରିବ ଆନ-। କଥାରେ ଅଛି, ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ । ଯାହାପାଇଁ ଯିଏ, ବିଧାତା ତା’କୁ ଖଞ୍ଜିଛନ୍ତି । ଏହାକୁ କ’ଣ କିଏ ଏଡ଼ି ଦେଇ ପାରିବ ?

 

କାହିଁ ନିର୍ମଳା ଆଉ କାହିଁ ଶୀତାଂଶୁ । କାହିଁ ମହାପାତ୍ର ସାହେବ ଆଉ କାହିଁ ଦୀନବନ୍ଧୁ । ସତେ ଯେପରି କାହିଁ ରାମଚନ୍ଦ୍ର କାହିଁ ରାମା ଭଣ୍ଡାରୀ । ଯିଏ ଶୁଣୁଛି ସେ କହୁଛି ଏ ଦୀନବନ୍ଧୁର ଭାଗ୍ୟ, ଭାଗ୍ୟ ବଳରେ ଆଜି ସେ ବଳିୟାନ ।

 

ଦୀନବନ୍ଧୁ ଭାଗ୍ୟରେ ଅପୂର୍ବ ପରିବର୍ତ୍ତନ । ତା’ର ଘର ରଙ୍ଗ ବଦଳିଛି । ଚେହେରା ବଦଳିଛି । ଖାଇବା ପିଇବା ବି ବଦଳିଛି । ବଡ଼ପୁଅ ଗୁରୁପଦ ରାଉରକେଲାରେ ବଡ଼ ଅଫିସର ହୋଇଛି । ବୋହୂ ବି.ଏ. ପାସ୍ କରିଛି । ଜ୍ୱାଇଁ ବମ୍ୱେରେ ଇଞ୍ଜିନିୟର ଅଛି ସମୁଦି ବଡ଼ ଇଞ୍ଜିନିୟର-। କେତେ ବଡ଼ଲୋକ ସେ । ଏ ସବୁ ଭାଗ୍ୟ ବଳ ନୁହେଁ ଆଉ କ’ଣ ? ଦୀନବନ୍ଧୁ ଘରକୁ ଦେଖିଲେ ଆଖିଟା କାହିଁକି ଝିଲିମିଲି ହୋଇ ଯାଉଛି । ଦୀନବନ୍ଧୁ ଚେହରାକୁ ଚାହିଁଲେ ତା’ର ପୂର୍ବ ଚେହେରା ଆଖି ଆଗରେ ନାଚି ଉଠୁଛି । ପେଟ ପଦାକୁ ବାହାରିଲାଣି । ଅଣ୍ଟା ଗୋଲେଇ ବଢ଼ି ଗଲାଣି । ବାହୁ ଦି’ଟା ଶାଳୁଆ ଗଜା ଭଳି ଗୋଲ ଦେଖାଯାଉଛି । ସତରେ ଏଇ କେତେଦିନ ଭିତରେ ଏତେ ପରିବର୍ତ୍ତନ । ଏ ସବୁ ଭାଗ୍ୟ । ଗାଁ ଲୋକଙ୍କ କଥା ଶୁଣି ଦୀନବନ୍ଧୁ ହସେ । ଆଉ କ’ଣ ବା କହନ୍ତା । ଯିଏ ଯାହା କହୁଛି କହୁ । ଏ କାନରେ ପୂରାଇ ସେ କାନରେ ବାହାର କରିଦେଲେ ଗଲା । କିଏ ଶୁଣୁଛି ଯିଏ ଯାହା କହୁଛି କହୁ । ଆଉରି ତା’କୁ କହିବାକୁ ସୁବିଧା ଦିଆଯାଉ । ସମସ୍ତେ ଚାହାଁନ୍ତି ପରିବର୍ତ୍ତନ ସେ ଚାହିଁଲା ପରିବର୍ତ୍ତନ । ପୁଅ, ବୋହୂ, ଝିଅ, ଜ୍ୱାଇଁ, ତା’ ଆଶାର ଆଲୋକ । ଗୁରୁପଦ ପ୍ରତି ସେ ଯେଉଁ ଆଶା ରଖିଥିଲା, ଗୁରପଦ ତା’କୁ ଯଥାର୍ଥରେ ପାଳନ କରିଛି । ବହୁ କଷ୍ଟ ସହିଛି । ସତ୍ୟତା ଉପରେ ବିଶ୍ୱାସ ରଖି ନିଜ କର୍ମ କ୍ଷେତ୍ରରେ ଆଗେଇ ଯିବା ପାଇଁ ଗୁରୁପଦକୁ ସେ ଯେଉଁ ନିର୍ଦ୍ଦେଶ ଦେଇଥିଲା, ଗୁରୁପଦ ଅକ୍ଷରେ ଅକ୍ଷରେ ପାଳନ କରିଛି-। ରମାପଦକୁ ପାଠ ପଢ଼ାଇବା, ନିର୍ମଳାକୁ ବିବାହ କରିବା ଦାୟିତ୍ୱ ଗୁରୁପଦର ଥିଲା । କଟକରେ ଚାକିରି କରିବା ପରେ ପରେ ଦୀନବନ୍ଧୁ ଗୁରୁପଦକୁ ଡାକି ପରିଷ୍କାର ଶୁଣାଇ କହିଲା ତୁ ବଡ଼ ପୁଅ-। ଏ ଘରର ଦାୟିତ୍ୱ ତୋ ଉପରେ । ତୋ ଠାରୁ ଏ ପରିବାର ବହୁତ ଆଶା କରେ । ତୁ ଆଶାର ଆଲୋକ ବିନ୍ଦୁ ।

 

ଅଗଣାରେ ଜହ୍ନ ଆଲୁଅ ପଡ଼ିଛି ଆକାଶ ପରିଷ୍କାର ଦେଖାଯାଉଛି । ଦକ୍ଷିଣ ପଟୁ ମଝିରେ ମଝିରେ ତୁହାକୁ ତୁହା ପବନ ବହି ନଡ଼ିଆ ଗଛ ବାହୁଙ୍ଗା ଫଡ଼ ଫଡ଼ ହେଉଛି । କଲ୍ୟାଣୀ ସପ ଆଣି ଅଗଣା ମଝିରେ ପକାଇଲା । ଡାକିଲା ନିର୍ମଳାକୁ ଆସ ବସିବା । ନିର୍ମଳା କୋଳରେ କୁନିପୁଅ ଶୋଇଥିଲା । ତା’କୁ ଦୋଳିରେ ଝୁଲାଇ ପାଖରେ ଆସି ବସିଲା । ଭାଉଜ ତୁମ ସହିତ ମୋର କଟିସ୍, ହସି ହସି କହିଲା ନିର୍ମଳା ।

 

କାହିଁକି ? ମୁଁ କ’ଣ ଦୋଷ କଲି କି ?

 

ବହୁତ ଦୋଷ କରିଛ । ଭାବିଥିଲି ତୁମ ସହିତ ମୋଟେ କଥା କହି ନ ଥାନ୍ତି । ଟ୍ରେନରେ ବସି ଏ କଥା ସିଦ୍ଧାନ୍ତ କରିଥିଲି । ତାଙ୍କୁ କହିଥିଲି, ତୁମ ସହିତ ସେ ମଧ୍ୟ କଥା କହି ନ ଥାନ୍ତେ । ଗୋଟିଏ ବୋଲି ଭାଉଜ ତୁମେ । ନୀଳା ଆକାଶର ଚାନ୍ଦ । କେତେଥର ତୁମ ପାଖକୁ ଚିଠି ଦେଲି । ବମ୍ୱେ ଆସି ବୁଲି ଯିବା ପାଇଁ, ଗଲ ? ସବୁ ଚିଠିରେ ହଁ ମାରିଲ କିନ୍ତୁ ଗଲାବେଳକୁ ଫୁସ୍ । ଏବେଠୁ ଟଙ୍କାକୁ ଏମିତି ଜଗିଲେ ନାଁ ଆମେ ଶାଢ଼ୀ ଖଣ୍ଡିଏ ବି ପାଇ ପାରିବୁ ନାହିଁ । ବୁଝିଲ ଭାଉଜ ! ଟିକେ ହାତ ଖୋଲା କର ।

 

ସତେ ତମେ ଖୁବ୍ ସିଆଣିଆ । ମୁଁ ତୁମ ପାଖକୁ କେତେଥର ଲେଖିଛି ନାଁ ରାଉରକେଲା ଆସି ବୁଲିଯିବା ପାଇଁ, ଆସିଲ ? ଶୀତାଂଶୁ ଦିନେ ଏମିତି ଅବେଳାରେ ଆସି ପହଞ୍ଚିଲେ ଯେ ଘଣ୍ଟାଏ ବସିଛନ୍ତି କି ନାହିଁ ବାହାରି ପଡ଼ିଲେ । ଆମ ପାଖରେ ଗୋଟିଏ ଦିନ ବି ରହିପାରିଲେ ନାହିଁ-। ତୁମେ ପୁଣି ଆମ ଦୋଷ ଦେଉଛ । ଯାହା ଜଣାଯାଉଛି ଦିନେ ଓଳିଏ ବି ସେ ତୁମକୁ ଛାଡ଼ି ରହି ପାରୁ ନଥିବେ । କେମିତି ସେ ଟୁର୍ କରନ୍ତି କେଜାଣି ? ଟୁର୍ ଗଲାବେଳେ ତୁମକୁ କ’ଣ ସଙ୍ଗରେ ନେଇ ଯାଆନ୍ତି ?

 

ହଁ ଆମର ସେମିତି ଚୁକ୍ତି ହେଇଛି । ସେ ଏକୁଟିଆ କେଉଁଠି ରହିବେ ନାହିଁ କି ମୁଁ ଏକୁଟିଆ କେଉଁଠି ରହିବି ନାହିଁ । ତୁମେ କିମିତି ମୋ ଭାଇକୁ ଫସେଇ ଦେଲ ? ଭାରି ଚାଲାଖ ତୁମେ । ତୁମ ଫାସରେ ସେ ଯେବେଠୁଁ ପଡ଼ିଲେ ଯାହା ଟିକେ ଟିକେ ଶନିବାର ଚାଲି ଆସୁଥିଲେ, ଆଉ ମୋଟେ ଆସିଲେ ନାହିଁ । ସବୁବେଳେ ଦୌଡ଼ିଲେ ତମ ଗାଁକୁ । ଲୋକେ କ’ଣ କହିଲେ ଜାଣ-? ଭାଇକୁ ତୁମେ କୁଆଡ଼େ କିମିଆ କରି ଦେଇଥିଲ । କ’ଣ ଭାଉଜ ତୁମଠି ଏତେ ଗୁଣ ଅଛି-?

 

ଆ, ହାଃ, ହାଃ ତୁମ ଭାଇଙ୍କର ଯେଉଁ ଚେହେରା ଅଛି ନା ଛାଡ଼ ନ କହିବା ବରଂ ଭଲ । କହିଲେ କୁଳ କୁଟୁମ୍ୱଙ୍କୁ ଲାଜ ତୁମ ଭାଇଙ୍କୁ ଯେତେବେଳେ ଆମ ଗାଁ ଲୋକ ଦେଖିଲେ, କିଏ କେତେ ରକମ ମୁହଁକୁ ବିକୃତ କରି ନାକ ଟେକିଲେ ତାହା କହିବା କଥା ନୁହେଁ । କିଏ କହିଲା, ଅର୍ଜ୍ଜୁନ ତା’ ଝିଅକୁ ପାଣିରେ ଭସେଇ ଦେଲା । କିଏ କହିଲା ଜୀବନ ବିକଳ ଯୌତୁକ ଭୟରେ କାଠି ଗେଞ୍ଜିଲା ଭଳି ଏଣୁ ତେଣୁ ଘରେ ଗେଞ୍ଜି ଦେଲା । ମୋ ମଝିଆଣି ମା’ ତ ଆଖିରୁ ଖାଲି ଲୁହ ଝରେଇ ବାହୁନି ହୋଇ କାନ୍ଦିଲା । ‘‘ଏଡ଼େ ସୁନ୍ଦର ଚାନ୍ଦ ମୁହଁକୁ ମୋର କ’ଣ କଲୁରେ ଅର୍ଜ୍ଜୁନା’’ କାହିଁକି ସେ ଏମିତି ବୁଦ୍ଧି ଧରିଲା କେଜାଣି । କେଡ଼େ ସୁନ୍ଦର ସୁନ୍ଦର ବର ଛାଁକୁ ଛାଁ ଦୌଡ଼ି ଆସିଥାନ୍ତେ, ଏ ପାତିମୁହାଁ ଟୋକା କେଉଁଠି ଥିଲା ମୋରି ନାତୁଣୀ ଭାଗ୍ୟରେ ପଡ଼ିଲା । କୋଉ ମଫସଲିଆ ସିଏ । ବୁଝିଲ ନିର୍ମଳା, ମୁଁ ଏମାନଙ୍କ ଢଙ୍ଗ ଦେଖି କାବା ହେଲି । କି ଭୁଲ୍ କଲି ମୁଁ କିଛି ଜାଣିପାରିଲି ନାହିଁ । ଖାଲି ସେମାନଙ୍କ ମୁହଁକୁ ନାକ ଟେକାକୁ ଚାହିଁ ଆଖିରୁ ଲୁହ ପୋଛିଲି । ଭୁଲ୍ ତ କରି ଦେଇଛି ଆଉ ଯାଏ କୁଆଡ଼େ । ଛୋଟା ହେଉ ବା କଣାହେଉ ସ୍ୱାମୀ ତ ପରମ ଦେବତା । ଚୁପ୍‍ଚାପ୍ ରହିଲି । ଭାବିଲି ଯାହା ମୋ ଭାଗ୍ୟରେ ଥିବ । ଆମ ଗାଁ ଭଣ୍ଡାରୁଣୀ ଚମ୍ପି ହରିଆ ମା’କୁ କହିଲା, ଏ ଚାନ୍ଦମୁହିଁ ଝିଅଟାକୁ ଅର୍ଜ୍ଜୁନବାବୁ ଏ ତଳମୁହାଁ କାଙ୍କ ଟୋକାଟା ସହିତ ଛନ୍ଦିଦେଲା । ଅନ୍ଧାର ଘରେ ଯିଏ ଝଟକୁ ଥିଲା ତା’ ଭାଗ୍ୟରେ ପୁଣି ଏଇ ଟୋକା ! ମୁଣ୍ଡ ମୋର ଖରାପ ହୋଇଗଲା । ତକିଆ ଉପରେ ଯାଇ କଚାଡ଼ି ହୋଇ ପଡ଼ିଲି ।

 

ଆହାଃ କ’ଣ ତୁମେ ନ କଲ ? ନିର୍ମଳା ଦୁଇ ହାତରେ କଲ୍ୟାଣୀକୁ ଦୂରକୁ ଠେଲିଦେଇ କହିଲା, ଥାଉ ଭାଉଜ ଥାଉ । ଆଉ କହିବା ଦରକାର ନାହିଁ, ଲୋକେ ହସିବେ । ତକିଆ ଖୋଜି ଖୋଜି ତା’ରି ଉପରେ କଚାଡ଼ି ହୋଇ ପଡ଼ିଲ । ମୁଣ୍ଡକୁ ଭାରି କାଟିଥିବ ନୁହେଁ ? ଆମ ଗାଁର ଟେରା ମା ଯେମିତି ଭୂତ ଭୟରେ ଲଣ୍ଠନ ଜାଳି ନଈରେ ବୁଡ଼ି ମରିବାକୁ ଯାଉଥିଲା, ସେମିତି ମୁଣ୍ଡ ଫାଟିବା ଭୟରେ, ତକିଆ ଉପରେ କଚାଡ଼ି ହୋଇ ପଡ଼ିଲ, ନୁହେଁ ? ଭଗବାନ ! ଏମିତି ଜାଲକାରିଆଣି ମାଇପେ ସବୁ ଥା’ନ୍ତି ଯାହା କରୁଛ ପଛେ ଭାଉଜ କର ଆମ ପାଉଣାଗଣ୍ଡାକ ଯେମିତି ନ ଭୁଲ । ବର୍ଷକୁ ଯେପରି ଶାଢ଼ୀ ତିନିଖଣ୍ଡ ପଠାଇବାକୁ ନ ଭୁଲ । ହଉ ଛାଡ଼ ସେକଥା । ବର୍ତ୍ତମାନ, ଆମବାବୁ ତ ବହୁତ ଆଗେଇ ଗଲେ । ତୁମବାବୁ କାହିଁକି ପଛେଇଲେ ।

 

କଥାଟା କଲ୍ୟାଣୀ କିଛି ବୁଝିପାରିଲା ନାହିଁ । ସନ୍ଦେହକୁ ଦୂର କରିବା ପାଇଁ ପାଖକୁ ଲାଗି ଆସି ପଚାରିଲା, କ’ଣ କିଲୋ କିଛି ବୁଝି ହେଉନି ।

 

ବୁଝିପାରିଲ ନାହିଁ ? କ’ଣ କହୁଥିଲି କି, ସେ ମୋତେ ଦିନେ ପଚାରିଲେ, ତୁମ ଭାଇ ଭାଉଜ ସନ୍ୟାସୀ ବ୍ରତ ଗ୍ରହଣ କରିଛନ୍ତି କି ? ସେଭଳି କ’ଣ ଜଣା ପଡ଼ୁଛି ।

 

ଓଃ କଥା ତା’ହେଲେ ଏଠି । ବୁଝିଲ ନିର୍ମଳା ତୁମ ବାବୁ ସିନା ଇଞ୍ଜିନିୟର । ସୁଇଚ୍ ଟିପିଲେ ପ୍ରଡ଼କ୍‍ସନ ହେଲା । କିନ୍ତୁ ଆମବାବୁ ତ ଇଞ୍ଜିନିୟର ନୁହଁନ୍ତି, ବ୍ୟାଙ୍କ କର୍ମଚାରୀ । ଟଙ୍କା ଗଣିବା ଆମର କାମ । ଦିନକୁ ହଜାର ହଜାର ଟଙ୍କା ସିନା ଗଣନ୍ତି, ହେଲେ ଟଙ୍କାର ପ୍ରଡ଼କ୍‍ସନ ଅନ୍ୟ ହାତରେ । ଏଣୁ ପ୍ରଡ଼କ୍‍ସନ କରିବାକୁ ଗଲେ ସାଧାରଣତଃ ଟିକେ ଡେରି ହେବ । ତେବେ ଆମେ ଏତେ ତରବର ହେଉନା । ଚାଲିଛି ତ ଚାଲିଛି ଚାଲିଥାଉ । କାହିଁକି ସେ ଜଞ୍ଜାଳରେ ଏତେ ଶୀଘ୍ର ପଡ଼ି ଲଟପଟ ହେବୁ । କ’ଣ ବୁଝି ପାରୁଛଟି ? ତୁମର ଯିଏ ଆମର ସିଏ । ଭଣଜାଟିଏ ତ ହେଲାଣି ଆଉ ଅସୁବିଧା କ’ଣ ? ବାପା ବୋଉ ତା’କୁ ନେଇ ଖେଳନ୍ତୁ ।

 

ନିର୍ମଳା କଲ୍ୟାଣୀର ନାକକୁ ଜୋରରେ ଚିପିଦେଇ କହିଲା ତୁମେ ବିରାଡ଼ି ବୈଷ୍ଣବ ସାଜିଛ ନୁହେଁ ? ମୁଁ ସବୁ ଜାଣିଛି ଯେ । ଭାବୁଛ ମୁଁ କିଛି ଜାଣିନି । ହଉ କେତେଦିନ ସଉକ କରୁଛ କର । ଦେଖିବା କେତେଦିନ ଏ ରଙ୍ଗ ରଖିବ ।

 

ଆମ ରଙ୍ଗ ପକା । ତୁମବାବୁ ସିନା ରସିକ ହୀରାମଣି । ରାସଲୀଳା କରିବାରେ ଧୂରନ୍ଧର । କିନ୍ତୁ ଆମବାବୁ ଠିକ୍ ଓଲଟା, ରସିକତା କରିବା ସେ ଜାଣନ୍ତି ନାହିଁ । ତମବାବୁ ସହିତ ସମକକ୍ଷ ହେବେ କେମିତି ?

 

ହଉ ଛାଡ଼ ସେ କଥା । ତୁମବାବୁ ବଡ଼ ସହରରେ ରହୁଛନ୍ତି, ବଡ଼ କୋଠାରେ ଶୋଉଛନ୍ତି, ବଡ଼ ଘରର ଲୋକ, ବଡ଼ ଅଫିସର, ବଡ଼ ଚାକିରି, ଆମେ କେଉଁଠୁ ତୁମ ସହିତ ସମାନ ହେବୁ । ଆସ ଯିବା ଖାଇବା, ରାତି ଦଶଟା ବାଜିଲାଣି ।

 

ହଉ ଚାଲ । ତୁମକୁ କଥାରେ କିଏ ପାରିବରେ ବାବା । ସହର ତଳି ଝିଅ ତୁମେ । ସହରର ହାଉଆ ଦେହରେ ବାଜିଛି । ରଙ୍ଗ ତୁମର ଫିଟିଛି, ଏ ଡାଳରେ ଫଳ ସେ ଡାଳରେ ଫୁଲ ତୁମେ । ଏ ଘରର ମାଉସୀ ହେଲେ ସେ ଘରର ପିଉସୀ, ଉଠ, ଯିବା ।

 

ହଁ ଚାଲ, ନିଦ ଆସିଲାଣି ।

 

ଏଥର ଆପଣ ଆମ ସହିତ ରାଉରକେଲା ଯିବେ । ସେଠାରେ ରହିବେ । ବୋଉକୁ ସଙ୍ଗରେ ନେଇଯିବା । କାହିଁକି ଏଠି ଏକୁଟିଆ ପଡ଼ି ରହିବେ । ବୟସ ବଢ଼ିଲା, ବଳ ହଟିଲା, ଏଥର ବସି ଖାଇବା କଥା । ସହର ବଜାର ବୁଲିବା କଥା । ମୁଁ ତାଙ୍କୁ କହିଛି । ଆସନ୍ତା ଗ୍ରୀଷ୍ମ ଋତୁରେ ଉତ୍ତର ଭାରତ ତୀର୍ଥ କରିବା ପାଇଁ । ଦାଣ୍ଡପଟ କବାଟ ପାଖରେ ଛିଡ଼ାହୋଇ ଦୀନବନ୍ଧୁଙ୍କ ଉଦ୍ଦେଶ୍ୟରେ କଲ୍ୟାଣୀ କହିଲା । ଦୀନବନ୍ଧୁ ଆରାମ୍ ଚେୟାର ଉପରେ ବସିଥାନ୍ତି । ହାତରେ ତାଙ୍କର ଚା’ ପ୍ଳେଟ୍ ଥାଏ । ଢୋକେ ଢୋକେ ପିଉଥାନ୍ତି । କଲ୍ୟାଣୀ କଥାଶୁଣି କହିଲେ, ମୁଁ କାହା କଥା ରଖିବି ମା’ ! ତୋ’ କଥା ନା ନିର୍ମଳା କଥା । କାଲି ରାତିରୁ ସେ ମୋ ସହିତ ଜିଗର କରୁଛି ଗଲାଦିନ ମୋତେ ଆଉ ବୋଉକୁ ସାଙ୍ଗରେ ନେଇଯିବାକୁ । ଶୀତାଂଶୁ ମଧ୍ୟ କହୁଛି, ମୁଁ ମନା କରୁଛି-। ଘରଦ୍ୱାର ଛାଡ଼ି କୁଆଡ଼େ ଯିବାକୁ ଇଚ୍ଛା ହେଉନି । ଆଜିକାଲି ଗାଁର ଯେଉଁ ଅବସ୍ଥା, ସେଥିରେ ଘରବାଡ଼ି ଛାଡ଼ିଗଲେ ସବୁ ଉଠେଇ ନେବେ । କୁଟା ଖଣ୍ଡିଏ ରଖିବେ ନାହିଁ । ରମାପଦ ଏ ପର୍ଯ୍ୟନ୍ତ ଚିଠି ଦେଇନି । ପରୀକ୍ଷାରେ କ’ଣ କଲା, ଜଣା ପଡ଼ିଲା ନାହିଁ । ଏତେ ଦୂରରେ ରହିଲା-। ମୁଁ ମନା କରୁଥିଲି ଏତେ ବାଟ ଯିବାକୁ । କିନ୍ତୁ ତୁମମାନଙ୍କ କଥାକୁ ଏଡ଼ି ପାରିଲି ନାହିଁ । ଯାହା ହେଉ ଏ ତା’ର ଶେଷ ବର୍ଷ । ତାଙ୍କ କଥା ଚିନ୍ତା କରନ୍ତୁ ନାହିଁ, ସେ ଫାଷ୍ଟକ୍ଳାସ ନମ୍ୱର ପାଇବେ । ତାଙ୍କ ଭାଇଙ୍କ ପାଖକୁ ଗତଥର ଚିଠି ଦେଇଥିଲେ । ମୁଁ ତାଙ୍କ ପାଖକୁ ଏବେ ଖଣ୍ଡେ ଚିଠି ଦେଇଛି ।

 

ହଉ ଦେଖିବା, ଗଲାବେଳ ତ ଅଛି । ତୋ ବୋଉ ଯିବାକୁ ରାଜି ତ, ଦୀନବନ୍ଧୁ କହିଲେ-

 

ଆପଣ ହଁ ଭରିଲେ ମୁଁ ତାଙ୍କୁ ବୁଝାଇ ଦେବି । ମୋର ବିଶ୍ୱାସ ସେ ମନା କରିବେ ନାହିଁ-। ତାଙ୍କ ସ୍ୱାସ୍ଥ୍ୟ ବି ଭାଙ୍ଗି ପଡ଼ିଲାଣି । ସେଠାକୁ ଗଲେ ଡାକ୍ତର ଦେଖାଇ ଔଷଧ ଦେବାର ବ୍ୟବସ୍ଥା କରିବା । ଆପଣଙ୍କର ମଝିରେ ମଝିରେ ପେଟ ଯନ୍ତ୍ରଣା ବାହାରୁଛି, ତା’କୁ ମଧ୍ୟ ପରୀକ୍ଷା କରି ଦେବା । ସେଠାକୁ ଗଲେ ସବୁ ବ୍ୟବସ୍ଥା ସହଜରେ ହୋଇ ପାରିବ । ସବୁ ସୁବିଧା ମଧ୍ୟ ସେଠାରେ ଅଛି ।

 

ହଉ ତୁ ଯା ମୁଁ ଆଜି ତୋ’ ବୋଉ ସହି ପରାମର୍ଶ କରି ଆଜି ରାତିରେ କହିବି ।

 

କଲ୍ୟାଣୀ ଫେରି ଆସିଲା । ଦୀନବନ୍ଧୁ ଆରାମ୍ ଚେୟାର ଉପରେ କିଛି ସମୟ ନୀରବରେ ବସି ରହିଲେ । ବର୍ତ୍ତମାନ ସେ କ’ଣ କରିବେ ? ଗୋଟିଏ ପକ୍ଷରେ କଲ୍ୟାଣୀ, ଅନ୍ୟ ପକ୍ଷରେ ନିର୍ମଳା; ମଝିରେ ଏ ଘରବାଡ଼ି ଆଉ ଗାଁ । ତିନୋଟି ସମସ୍ୟା ସମାଧାନ କରିବାକୁ ତାଙ୍କୁ ପଡ଼ିବ । ନଚେତ୍ ଉପାୟ ନାହିଁ । ଆଜିକାଲି ଚାଷର ଯାହା ଅବସ୍ଥା ହେଲାଣି ଲାଭର ପ୍ରଶ୍ନ ନାହିଁ କେବଳ କ୍ଷତି । ପର ହାତକୁ ଅନାଇ ଚାଷ କରି ହୁଏନି, କି ହେବ ନାହିଁ । ମୂଲିଆ ମଜୁରୀ ଯାହା ହେଲାଣି, ତାହା କହିବା କଥା ନୁହେଁ ।

 

ପାନବଟାରୁ ଖଣ୍ଡେ ପାନ ଆଣି ପାଟିରେ ପୂରାଇଲେ । ଦୂରକୁ ଚାହିଁଲେ ହାଡ଼ିବନ୍ଧୁ ଆସୁଛି । ଗାଁର ଚାଷୀ ଭଲ ଲୋକଟି । ପାଖକୁ ଡାକିଲେ, ବସ ହାଡ଼ିବନ୍ଧୁ, କୁଆଡ଼େ ଯାଇଥିଲ ?

 

ନାହିଁ ଆଜ୍ଞା ଯିବି କୁଆଡ଼େ । ନୂଆ ଗାଡ଼ିଆ ଜମିଆଡ଼େ ବୁଲି ଯାଇଥିଲି । ଯାହା ଦେଖିଲି, ମନ ଖରାପ ହୋଇଗଲା । ବର୍ଷା ନାହିଁ ଗଛଗୁଡ଼ାକ ହଳଦିଆ ପଡ଼ିଗଲାଣି । କୋଦୁଅଖଣ୍ଡି ଗଲି ସେଠି ସେହି ଅବସ୍ଥା । ଯୋର ସେପାରି ଗଲି ତା’ଠାରୁ ଆଉରି ବଳି ଅବସ୍ଥା । ମନ ଖରାପ ହେଲା ବୁଲି ବୁଲି ଆସୁଛି । ମେଘର ଯାହା ଅବସ୍ଥା, ମରୁଡ଼ି ଜଳ ଜଳ ଆଖିକୁ ଦେଖାଯାଉଛି । ଅଧା ଖଣ୍ଡିଆ ବିଡ଼ି ଟାଣି ଦିଆସିଲି ମାରିଲା ହାଡ଼ିବନ୍ଧୁ । ମୁଁ ଶୁଣୁଛି ଆପଣ କୁଆଡ଼େ ରାଉରକେଲା ଯାଉଛନ୍ତି । ସେହିକଥା ଭାବୁଛି ହାଡ଼ିବନ୍ଧୁ ! କ’ଣ କରିବି । ଗାଁ ଛାଡ଼ି ଯିବାକୁ ଇଚ୍ଛା ହେଉନି । ମୋତେ ସହର ବଜାରରେ ଭଲ ଲାଗିବ ନାହିଁ । ଏଇ ଗାଁ ମୋର ଭଲ । ତୁମ୍ଭମାନଙ୍କୁ ଦେଖିଲେ ମୁଁ ସବୁ ଭୁଲିଯାଏ । ସେ ହୋ ହୋ ଗୁଁ ଗାଁ କେଁ କଟର ମୋତେ ଭଲ ଲାଗିବ ନାହିଁ କି ମୁଁ ସେଠାରେ ଚଳିପାରିବି ନାହିଁ ।

 

ଯାଉନା ବାବୁ ବୁଲି ଆସିବ, ଏଠି କାହିଁକି ବସିଛ । ବୁଢ଼ା ହେଲ, ବଳ ହଟିଲା, ଏବେ ପୁଅ ବୋହୂ ସହିତ ବୁଲିବା କଥା । ଦିନାକେତେ ପୁଅ ବୋହୂ ପାଖରେ ରୁହ । ଆଉ ଦିନାକେତେ ଝିଅ ଜ୍ୱାଇଁ ପାଖରେ ରୁହ । ନିର୍ମଳା କହୁଛି ମୋ ସହିତ ଆସ, କଲ୍ୟାଣୀ କହୁଛି ମୋ ସହିତ ଆସ । ମୁଁ କା କଥା ରଖିବି ? ହାଡ଼ିବନ୍ଧୁ, ତୁମେ କୁହ ।

 

ଏଠି ଛ’ମାସ, ସେଠି ଛ’ମାସ ରୁହ । ମଠରେ ଖାଇ ଖଟରେ ଗଡ଼ିବ । ରେଳ ଚଢ଼ିବ, ମଟର ଚଢ଼ିବ; ସିନେମା ଦେଖିବ, ଥିଏଟର ଦେଖିବ, ପଙ୍ଖା ତଳେ ଶୋଇବ, ମାଛ, ମାଂସ, ଅଣ୍ଡା ଖାଇ କେଇଦିନ ଭିତରେ ପାଚିଲା ବେଲଭଳି ଗୋଲଗାଲ ହୋଇଯିବ । କ’ଣ ବାବୁ ତୁମେ କହୁଛ । ଯାଅ ଯାଅ ପୁଅ, ବୋହୂ ଝିଅ, ଜ୍ୱାଇଁ ସହିତ ଘୂରିଆସ । ବିଡ଼ି ଶେଷାଂସରୁ ଖୁବ୍ ଜୋରସୋର ଶୋଷିନେଇ ଅବଶିଷ୍ଟାଂଶକୁ ଦୂରକୁ ଫୋପାଡ଼ି ଦେଇ ହାଡ଼ିବନ୍ଧୁ ଉଠି ଚାଲି ଆସିଲା । ଦୀନବନ୍ଧୁ ତା’ ଗଲା ପଥକୁ ଚାହିଁ ମୁରୁକି ମୁରୁକି ହସିଲେ । ଭାବିଲେ ଗାଁ ଛାଡ଼ି ବିଦେଶ ଯିବେ । ଏଇ ଗାଁ, ଏଇ ମାଟି, ଏଇ ନଈ, ଏଇ ବିଲ ବାଡ଼ି, ଭାଇବନ୍ଧୁ, କେତେ ସରଳ, କେତେ ନିରୀହ, କେତେ ସୁନ୍ଦର ସତେ । ଏ କ’ଣ ସବୁ ସହର ଭିତରେ ମିଳିବ ? ଅସମ୍ଭବ । କିନ୍ତୁ ପୁଅ ବୋହୂ, ଝିଅ ଜ୍ୱାଇଁ ସେମାନଙ୍କ କଥା ମଧ୍ୟ ବୁଝିବାକୁ ପଡ଼ିବ ।

 

ଆପଣ ଆଗରେ ବସନ୍ତୁ । ବୋଉ ମଧ୍ୟ ଆପଣଙ୍କ ପାଖରେ ବସନ୍ତୁ, ଭାଇ, ନୂଆବୋଉ, ନିର୍ମଳା ପଛରେ ବସନ୍ତୁ, ଶୀତାଂଶୁ ଦୀନବନ୍ଧୁଙ୍କ ଉଦ୍ଦେଶ୍ୟରେ କହିଲେ । ବାଆଁ ହାତରେ କାର୍‍ର ଦରଜା ଖୋଲି ଧରିଥାନ୍ତି । ଦୀନବନ୍ଧୁ ଗାଁ ଲୋକମାନଙ୍କୁ ଚାହିଁଥାନ୍ତି । ନିର୍ମଳା, କଲ୍ୟାଣୀ ଗାଁର ଛୋଟ ଛୋଟ ପିଲାଙ୍କ ହାତରେ ପଇସା ବାଣ୍ଟୁଥାନ୍ତି । ଗୁରୁପଦ ଗାଁ ଯୁବକ ଦଳର ସେକ୍ରେଟାରୀଙ୍କ ସହିତ ଗାଁ ସ୍କୁଲ ବିଷୟରେ ଆଲୋଚନା କରୁଥାନ୍ତି । ତାଙ୍କ ଉପରେ ଦୁଇଶତ ଟଙ୍କା ଚାନ୍ଦା ହୋଇଛି-। ମାଇନର ସ୍କୁଲ ପରିବର୍ତ୍ତେ ହାଇସ୍କୁଲ କରିବା ତାଙ୍କର ଇଚ୍ଛା । ଗୁରୁପଦ ସମ୍ମତି ଜଣାଉଛି-। ନିଶ୍ଚୟ ସେ ସାହାଯ୍ୟ କରିବ । ଏ ବର୍ଷକ ଭିତରେ ସେ କିଛି ଟଙ୍କା କଲେକ୍‍ସନ କରିବ-। ଆସନ୍ତୁ ଡେରି ହୋଇଗଲା । ଶୀଘ୍ର ଗଲେ କଟକରେ ଆଉ କିଛି କାମ ଅଛି, ତା’କୁ ସାରି ଜଗନ୍ନାଥ ଏକ୍ସପ୍ରେସ୍ ଧରିବାକୁ ପଡ଼ିବ, ଶୀତାଂଶୁ ପୁନର୍ବାର ସମସ୍ତଙ୍କ ଉଦ୍ଦେଶ୍ୟରେ କହିଲେ ।

 

ସମସ୍ତେ ଗାଡ଼ିରେ ବସିଲେ । ଶୀତାଂଶୁ ନିଜେ ଗାଡ଼ି ଚଲାଇବା ଉଦ୍ଦେଶ୍ୟରେ ଆଗରେ ବସିଲେ । ଗାଁବାଲାଙ୍କ ଉଦ୍ଦେଶ୍ୟରେ ଦୀନବନ୍ଧୁ ଆଉଥରେ ହାତ ଯୋଡ଼ି କହିଲେ, ‘‘ମୁଁ ଶୀଘ୍ର ଚାଲି ଆସିବି । ତୁମ୍ଭମାନଙ୍କୁ ଛାଡ଼ି ମୁଁ ସହର ବଜାରରେ ରହିପାରିବି ନାହିଁ । ମୋ ଗାଁ ମୋତେ ଭଲ । ମୋର ଭାଇ ମୋତେ ବଡ଼ । ଏଇ ବିରୂପା ନଈ, ଏଇ ଗାଁ, ଏଇ ଗ୍ରାମ୍ୟ ଦେବୀ, ସିଦ୍ଧେଶ୍ୱର ବାସୁଦେବ ମୋର ଆଶାର ଆଲୋକ । ମୁଁ ଏମାନଙ୍କୁ ଛାଡ଼ି ମୋଟେ ରହି ପାରିବି ନାହିଁ ।’’

 

ଆସ୍ତେ ଆସ୍ତେ ଗାଡ଼ି ଚାଲିଲା । ଦୂରରୁ ଦୂର, ଆଉ ଟିକେ ଦୂର । ତାଙ୍କର ଗାଁ ରାସ୍ତା ଛାଡ଼ି ଗାଡ଼ି ଚଢ଼ିଲା ପିଚୁ ରାସ୍ତା ଉପରେ । ଜାତୀୟ ରାଜପଥ ଉପରେ ଗାଡ଼ିଟି ଆଗେଇ ଚାଲିଲା । ଧଳା ରଙ୍ଗର ଏଇ ମଟର କାର୍‍ଟି ଆସ୍ତେ ଆସ୍ତେ ଗ୍ରାମବାସୀଙ୍କ ଆଖିଠାରୁ ବହୁ ଦୂରକୁ ଚାଲିଆସିଲା । ଦୀନବନ୍ଧୁ ବାରମ୍ୱାର ପଛକୁ ଚାହୁଁଥାନ୍ତି । ଆସ୍ତେ ଆସ୍ତେ ସେ ସମସ୍ତଙ୍କ ପାଖରୁ ଅଦୃଶ୍ୟ ହୋଇଯାଇ ଆଗକୁ ଅନାଇ ଦୁଇ ଆଖିରୁ ବୋହି ଆସୁଥିବା ଲୁହକୁ ଲୁଗାକାନିରେ ପୋଛି ବହୁ ଦୂରକୁ ଚାଲିଆସିଲେ, ଗାଁ ବହୁ ପଛରେ ରହିଗଲା ।

 

ତା ୧ । ୯ । ୭୯

ରାତି ଘ ୧୦-୩୦ ମିନିଟ୍

ରାଉତରାୟ ଭବନ

Image

 

Unknown

ଲାଜ କଥା

 

ସେ ଲୋକଟାକୁ ଦେଖି କବିତାର ଭାରି ରାଗହେଲା । ମନେ ମନେ ବଡ଼ ବିରକ୍ତ ହେଲା-। ସତରେ ସେ ଲୋକଟା କ’ଣ ? ଶିଷ୍ଟାଚାର ଓ ସଭ୍ୟତା ବୋଲି ସେ ଆଦୌ କିଛି ଜାଣିନାହିଁ । ଲୋକଟା ତ ବେଶ୍ ଡଉଲ ଡାଉଲ ଦେଖାଯାଉଛି । ରୂପକୁ ବେଶ୍ ସଜାଇ ରଖିଛି । ଦାମି ଦାମି ପୋଷାକ ପିନ୍ଧି ଜାଣିଛି । ନିଶହଳକ ବେଶ୍ ଯତ୍ନରେ ରଖିଛି । ଦିନକୁ ଦି’ ଥର ତା’ ଉପରେ ପାନିଆ ମାରୁଛି । ମୁଣ୍ଡ ବାଳକୁ ବେଶ୍ ସଜେଇ କୁଣ୍ଡେଇ ଜାଣିଛି । ଅଥଚ ଶିଷ୍ଟାଚାର ସଭ୍ୟତା ପ୍ରତି ଧାରଣା ନାହିଁ । କି ବିଚିତ୍ର ସେ ଲୋକଟା, ବେକାରିଆଟା ଭଳି ମନେ ହେଉଛି । କିନ୍ତୁ ବେଶଭୂଷାରୁ ଜଣାପଡ଼ୁଛି, ପାଠ ପଢ଼ିଛି । ନ ପଢ଼ିଥିଲେ ଚେହେରାଟା ଏତେ ଢଙ୍ଗରେ ସଜାନ୍ତା କିପରି ? ଭଳିକି ଭଳି ପୋଷାକ ପିନ୍ଧନ୍ତା କିପରି ? ଏତେ ମୂଲ୍ୟବାନ୍ କୋଠାରେ ରୁହନ୍ତା କିପରି ? ଘଣ୍ଟା ଘଣ୍ଟା ଧରି ସେ ବାଲକୋନି ଉପରେ ବସନ୍ତା କିପରି ? ଲୋକଟାର କିଛି ପଇସାପତ୍ର ଅବଶ୍ୟ ଅଛି । ନଚେତ୍ ଚଳିପାରନ୍ତା ନାହିଁ । ସେମାନେ ଯେତିକି ଦିନ ଆସି ଏ ନୂଆ ଘରେ ଭଡ଼ାରେ ରହିଲେଣି, ସେଦିନଠାରୁ ସେ ଲକ୍ଷ୍ୟ କରୁଛି, ସେହି ଲୋକଟା ସେହି ପାଉଁଶିଆ ରଙ୍ଗ କୋଠାର ବାଲକୋନି ଉପରେ ପ୍ରତ୍ୟେହ ସକାଳ ଛଅଟାରୁ ନଅଟା ଓ ସନ୍ଧ୍ୟା ପାଞ୍ଚଟାରୁ ଛଅଟା ପର୍ଯ୍ୟନ୍ତ ବସି ରହୁଛି । ତାଙ୍କ ଘରଆଡ଼କୁ ଖାସ୍ ଚାହିଁଛି । ବଡ଼ିଭୋରୁ ଉଠି ଚେୟାର ପକେଇ କିଛି ସମୟ ବସି ରହୁଛି । ତା’ପରେ ଘଷୁଛି ଦାନ୍ତ । ଦାନ୍ତରେ ବ୍ରସ୍ ମାରୁଛି ତ ମାରୁଛି । ସମୟ ପ୍ରତି ଦୃଷ୍ଟି ମୋଟେ ରହୁନି । କେତେବେଳେ ମନହେଲେ ପାଣିଆଣି ମୁହଁ ଧୋଉଛି । ତା’ପରେ ତଉଲିଆରେ ମୁହଁ ପୋଛୁଛି । ଅଇନାରେ ମୁହଁ ଦେଖୁଛି । ଦାନ୍ତ ନିକୁଟେଇ ସବୁ ଦାନ୍ତକୁ ଭଲଭାବରେ ତନଖି ନେଉଛି । ତା’ପରେ ବାବୁଙ୍କର ଆରମ୍ଭ ହେଲା ଚା’ ପିଆ । ଗୋଟାଏ ମୋଟା ପେଟା ଲୋକଟା ଆସି ଚା’ କପ୍ ବଢ଼େଇଦେଇ ଯିବ । ବାବୁ ଚା’ ପିଇବାକୁ ଆରମ୍ଭ କରିବେ । ଯେତେ ସମୟରେ ସେ ପିଇପାରିବେ କିଛି ଆପତ୍ତି ନାହିଁ । ଥଣ୍ଡା ହେଲେ ମଧ୍ୟ ଦୁଃଖ ନାହିଁ । ସତରେ ଏ ଲୋକଟା କ’ଣ ? ତା’ କପରେ ଚା’ କ’ଣ ଥଣ୍ଡା ହୁଏନି ? ନା, ସେ ଲୋକଟା ଥଣ୍ଡା ଚା’ ପିଇବାକୁ ଭଲପାଏ, ନା,.....ଲୋକଟା ଚା’ ପିଇବା ଛଳନାରେ ତାଙ୍କ ଘରଆଡ଼କୁ ଚାହିଁବାପାଇଁ ଧୀରେ ଧୀରେ ଚା’ ପିଏ । ଘଣ୍ଟା ଘଣ୍ଟା ଧରି ଛିଡ଼ା ହୁଏ । କିଛି ସେ ବୁଝିପାରେ ନାହିଁ । କାହାକୁ ବି ପଚାରି ପାରେ ନାହିଁ, ଲାଜକଥା । କାହିଁକି ବା ପଚାରିବ ? ପଚାରି ଲାଭ ବି କ’ଣ ? ଲୋକଟାର ବୟସ ଅନୁମାନିକ ପଚିଶ, ଛବିଶ ଭିତରେ ହେବ । ଗୌର ବର୍ଣ୍ଣ, ଉଚ୍ଚତାକୁ ଚାହିଁ ସ୍ୱାସ୍ଥ୍ୟ ବେଶ୍ ଭଲ ଅଛି । ମୁହଁକୁ ମାନିଲା ଭଳି ନିଶ ହଳକ ରଖିଛି । ଯାହା ହେଉ ଚେହେରାଟି ପ୍ରତି ଖୁବ୍ ଯତ୍ନ ନେଇଛି । ବେକାର ଲୋକଙ୍କର କାମ ନ ଥିଲେ ଚେହେରା ପ୍ରତି ଯତ୍ନ ନ ନେଇ ଯିବେ କୁଆଡ଼େ । ଏଥିରେ ପଇସା ଖର୍ଚ୍ଚ ନାହିଁ । ଛାଡ଼, ତା’କୁ ଭାବି ତା’ର ବା ଲାଭ କ’ଣ । ଲୋକଟା ଚା’ ପିଇ ସାରିବା ପରେ କାଗଜ ପଢ଼ିବା ଆରମ୍ଭ କରିବ ଯେ, ପଢ଼ା ସରୁ ସରୁ ଦିନ ଦଶ । କ’ଣ ଯେ ସେ ପଢ଼େ ସେ ଜାଣି ପାରେନି । ବୋଧେ ସମ୍ୱାଦ ବ୍ୟତୀତ, ପ୍ରତି Advertise, ପାତ୍ର ପାତ୍ରୀ ଆବଶ୍ୟକ, Tender Notice, ଗାଈ ବାଛୁରୀ, କୁକୁର ହଜିବା ଠାରୁ ଷଣ୍ଡ ଲଢ଼େଇ ପର୍ଯ୍ୟନ୍ତ ସବୁ କିଛି । ଶେଷରେ ସମ୍ପାଦକଙ୍କ ନାଁ ପଢ଼ିବାକୁ ସେ ଭୁଲେ ନାହିଁ । ଭଗବାନ ଜାଣନ୍ତି ସେ କ’ଣ ପାଇଁ ଏତେ ସମୟ ଧରି ପଢ଼େ । ନରକଥା ନାରାୟଣ ଜାଣନ୍ତି-। କିଏ ଜାଣିବ କାହା କଥା । ସେହି ବାଲ୍‍କୋନି ହିଁ ତା’ର ସର୍ବସ୍ୱ । ସେହିଠାରେ ଦାନ୍ତଘଷା, ସେହିଠାରେ ଚା’ ପିଆ, ସେହିଠାରେ କାଗଜ ପଢ଼ା, ସେହିଠାରେ ଆଇନା ଦେଖି ପାନିଆରେ ମୁଣ୍ଡ କୁଣ୍ଡାଇବା, ସେହିଠାରେ ପ୍ୟାଣ୍ଟ ପିନ୍ଧା, ସାଟ୍ ପିନ୍ଧା ଦେହରେ ପାଉଡ଼ର ସିଞ୍ଚିବା, ନିଶାରେ ପାନିଆ ମାରିବା, ଚଷମା ପୋଛିବା, ଇତ୍ୟାଦି ସବୁକିଛି ସେହି ବାଲକୋନିରେ । କି ବିଚିତ୍ର ଲୋକ-

 

ଲୋକଟାକୁ ଦେଖିଲାକ୍ଷଣି ମନରେ ଘୃଣା ଆସେ । ବିରକ୍ତ ଆସେ, ରାଗ ହୁଏ । ପାଖକୁ ଚାଲିଯାଇ କାନକୁ ଧରି ପଚାରିବାକୁ ଇଚ୍ଛା ହୁଏ । ଶିଷ୍ଟାଚାର ସଭ୍ୟତା କାହାକୁ କହନ୍ତି ପଚାରି ଦେବାକୁ ଇଚ୍ଛା ହୁଏ ? ସବୁବେଳେ ଆମରି ଘରଆଡ଼କୁ ଚାହିଁ ଚା ପିଇବେ, ଦାନ୍ତ ଘଷିବେ, କାଗଜ ପଢ଼ିବେ, ପୋଷାକ ପିନ୍ଧିବେ, କାହିଁକି କ’ଣ ପାଇଁ । ତା’ର ଜାଣିବା ଉଚିତ ସାମନାରେ ଜଣେ ଅଫିସର ଅଛନ୍ତି । ତାଙ୍କର ପିଲାମାନେ ବାରଣ୍ଡାରେ କାରବାର ହେଉଛନ୍ତି । ମୁଁ କିପରି ସେଇ ଆଡ଼କୁ ଚାହିଁ ସବୁକିଛି କରିବି ? ସେମାନେ କ’ଣ ଭାବିବେ ? କିନ୍ତୁ...

 

କବିତା ପର ମୁହୂର୍ତ୍ତରେ ଭାବେ କାହିଁକି ସେ ପଚାରିବ ? ତା’ ଘରେ ସେ ଯାହାକରୁ ତାଙ୍କର ତ କ୍ଷତି କରୁନାହିଁ । ସେ ଯଦି ଓଲଟା ପ୍ରଶ୍ନ କରେ ତୁମର ଯଦି ଅସୁବିଧା ହେଉଛି ତୁମେ ଅନ୍ୟ ଘରେ ଭଡ଼ା ନେଇ ରୁହ । ଏଇଟା ତ ତୁମର ନିଜ ଘର ନୁହେଁ, ଭଡ଼ାଘର । ଅସୁବିଧା ହେଲେ ଅନ୍ୟତ୍ର ରୁହ । ଭଡ଼ାଘର ଚିରସ୍ଥାୟୀ ନୁହେଁ । କ୍ଷଣସ୍ଥାୟୀ । ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହୋଇପାରେ । କବିତା ମନକୁ ସାନ୍ତ୍ୱନା ଦେଇ ନୀରବ ରୁହେ ।

 

ସେହି ଲୋକଟାକୁ ନେଇ କବିତା ଥରେ ତା’ ବାପାଙ୍କ ଉପରେ ବିରକ୍ତ ହେଲା । ବାଲେଶ୍ୱରରେ ଥିଲାବେଳେ କଟକ ଟ୍ରାନ୍‍ସଫର ହୋଇ ଆସିବା ପାଇଁ ବାପାଙ୍କ ସହିତ ବହୁତ ଝଗଡ଼ାଝାଟି କରିଥିଲା । କଟକଚଣ୍ଡୀରେ ଏକାଥରକେ କୋଡ଼ିଏ ଟଙ୍କାର ଭୋଗ ଯାଚିଥିଲା । ବାପା ତାଙ୍କର ଟ୍ରାନ୍‍ସଫର ଅର୍ଡର ପାଇଲେ ସାଙ୍ଗେ ସାଙ୍ଗେ ଚଣ୍ଡୀ ମନ୍ଦିର ଯାଇ ଭୋଗ କରିବ । ଟ୍ରାନ୍‍ସଫର ଅର୍ଡର ପାଇବା କ୍ଷଣି ସୀତାନାଥବାବୁ ସଙ୍ଗେ ସଙ୍ଗେ ଘରକୁ ଦୌଡ଼ି ଆସି ତା’ ଆଗରେ କହିଥିଲେ, ମା’ ତୋର ମନସ୍କାମନା ପୂରଣ ହେଲା । ଆମର କଟକ ଟ୍ରାନ୍‍ସଫର ହେଲା ।

 

ସେଦିନ ବାପାଙ୍କର ଟ୍ରାନ୍‍ସଫର ଅର୍ଡର ପାଇବା ଖବର ପାଇ କବିତା ଭାରି ଖୁସିହୋଇ ସଙ୍ଗେ ସଙ୍ଗେ ଶିବ ମନ୍ଦିର ଯାଇ ନଡ଼ିଆ ଭାଙ୍ଗିଥିଲା । ମନେମନେ କହିଥିଲା ହେ ଭୋଳାନାଥ ତୋତେ କୋଟି କୋଟି ପ୍ରଣାମ । ମୋ ଦୁଃଖ ବହୁଦିନ ପରେ ଶୁଣିଲୁ । ବାପାଙ୍କ ବଦଳି ପାଇଁ ତୋତେ କେତେ ଗୁହାରି କରିଥିଲି । ଶେଷକୁ କଟକଚଣ୍ଡୀର ଗୋଡ଼ ଧରିଥିଲି । ଯାହାହେଉ ତୁମ୍ଭମାନଙ୍କ ଆଶୀର୍ବାଦରୁ ଆମ୍ଭେମାନେ ବର୍ତ୍ତମାନ କଟକ ଚାଲିଲୁ ।

 

ପରଦିନ ସନ୍ଧ୍ୟାରେ ବୋଉ ତାଗିଦ କରି ବାପାଙ୍କୁ କହିଥିଲା–ସରକାରୀ କ୍ୱାଟର ମିଳିବ ନାହିଁ, ଝିଅ ଓ ପୁଅର ସ୍କୁଲ କଲେଜ ପାଖ ଦେଖି ଘର ଖଣ୍ଡିଏ ଯାଅ ଠିକ୍ କରି ଆସ । ଘର ଠିକ୍ ହେଲେ ଏକାଥରକେ ଜିନିଷପତ୍ର ନେଇ ଚାଲିଯିବା । ବାପା ସବୁ ହଁ ହାଁ ମାରିଲେ ଏବଂ କଟକ ଆସି ପୁଅ ଝିଅର ସ୍କୁଲ କଲେଜ ପାଖ ଦେଖି ଏବଂ ନିଜର ଅନ୍ୟାନ୍ୟ ସୁବିଧା ଯଥା–ଡେଲି ମାର୍କେଟ, ବସ୍‍ଷ୍ଟାଣ୍ଡ, ରେଲ୍ ଷ୍ଟେସନ, ଡାକ୍ତରଖାନା ନିକଟ ଦେଖି ମଧୁସୂଦନବାବୁଙ୍କ ଘର ଠିକ୍‍ କଲେ । ମଧୁସୂଦନବାବୁ ଜଣେ ଅବସରପ୍ରାପ୍ତ ଭେଟେନାରୀ ଡାକ୍ତର । ଦୁଇ ମହଲା ଘର ଖଣ୍ଡେ କରିଛନ୍ତି । ନିଜେ ପିଲାମାନଙ୍କ ସହିତ ତଳ ମହଲାରେ ରହି ଉପର ମହଲା ଭଡ଼ା ଦେଲେ । ମାସକୁ ଦୁଇଶହ ଟଙ୍କା । ବଜାର ଉପରେ ଘର ଚାରି ବଖରା, ତିନୋଟି ବେଡ୍‍ ରୁମ୍ ଓ ଗୋଟିଏ ଷ୍ଟୋର୍‍ ରୁମ୍, ଆଉ ଗୋଟିଏ ପାଇଖାନା, ଇଲେକ୍‍ଟ୍ରିକ୍ ଲାଇଟ୍, ପାଣି ପାଇପ୍, ସବୁ ସୁବିଧା । ଦୁଇଶହ ଟଙ୍କାକୁ କିଛି ମନ୍ଦ ନୁହେଁ । ଅଢ଼େଇଶହ ଟଙ୍କା କହୁଥିଲେ । କିନ୍ତୁ ବାପା ତାଙ୍କର ଆଗରୁ ଟିକେ ଚିହ୍ନା ପରିଚିତ ଥିବାରୁ ଏବଂ ସେଲ୍‍ଟ୍ୟାକସ୍ ଅଫିସର ଥିବାରୁ ଦୁଇଶହ ଟଙ୍କାରେ ରାଜି ହେଲେ । ମଧୁସୂଦନବାବୁଙ୍କର ଦୁଇପୁଅ, ଗୋଟିଏ ଝିଅ ସମସ୍ତେ ବିବାହିତ । ବଡ଼ପୁଅ ଡାକ୍ତର ଫୁଲବାଣୀରେ ରହନ୍ତି । ସାନ ପୁଅ ଇଞ୍ଜିନିୟର ବାଲିମେଳାରେ ରୁହନ୍ତି । ଝିଅଜ୍ୱାଇଁ ଭୁବନେଶ୍ୱରରେ, ଜ୍ୱାଇଁ ଓକିଲ । ମଧୁସୂଦନବାବୁଙ୍କ ଡାହାଣ ପଟେ ଓକିଲ ରାଜୀବଲୋଚନବାବୁଙ୍କ ଘର । ଭାରି ବଡ଼ଲୋକ, ନାମଜାଦା ଓକିଲ । ରାସ୍ତା କଡ଼କୁ ଦୁଇ ମହଲା ଘର । ଘରର ପଛପଟେ ବଗିଚା ଓ ଗୋଟିଏ ବଡ଼ ପୋଖରୀ ଏବଂ କେତେଟା ନଡ଼ିଆ ଗଛ, ଗୁଆଗଛ । ରାଜୀବଲୋଚନବାବୁଙ୍କ ଘର ଆରପଟେ ସେହି ପାଉଁଶିଆ ରଙ୍ଗର ଦୁଇମହଲା କୋଠା ଯେଉଁଠାରେ କି ସେହି ରସିକ ଲୋକଟା ସବୁବେଳେ ବାଲକୋନି ଉପରେ ବସେ । ମଧୁସୂଦନ ବାବୁଙ୍କ ଘରଠାରୁ ପାଞ୍ଚଶହ ଫୁଟ ଦୂରରେ ଏହି ପାଉଁଶିଆ ରଙ୍ଗ କୋଠା । ମଧୁସୂଦନ ବାବୁ ଓ ପାଉଁଶିଆ କୋଠା ଭିତରେ ରାଜୀବଲୋଚନବାବୁଙ୍କ ଘର ଓ ବଗିଚା ।

 

ପ୍ରଥମେ ମନକୁ ଘରଟା ବେଶ୍ ପାଇଲା । ଡ୍ରଇଁ ରୁମ୍‍ଟା ଭଲଭାବରେ ସଜାଇ ଦେଲା । ନିଜ ରୁମ୍‍ଟିକୁ ପରିଷ୍କାର କରିଦେଲା । ନିଜ ପାଇଁ ଗୋଟିଏ ଖଟ ଓ ଭାଇ ବୁବୁଲୁ ପାଇଁ ଆଉ ଗୋଟିଏ ଖଟ ପକାଇଲା । ଝରକା ପଟ ଦେଖି ନିଜ ଖଟ, ଅନ୍ୟ ପଟେ ବୁବୁଲୁର ଖଟ । ନିଜ ଖଟ ପାଖରେ ଗୋଟିଏ ଟେବୁଲ । ବୁବୁଲ ଖଟ ପାଖରେ ଆଉ ଗୋଟିଏ ଟେବୁଲ ଓ ଦୁଇଟି ଟେବୁଲ୍ ଲ୍ୟାମ୍ପ ରଖିଲା । କିଛିଦିନ କଟିଗଲା । ମଧୁସୂଦନବାବୁଙ୍କ ସହିତ ପରିଚିତ ହୋଇଗଲା । ଭଲ ମନ୍ଦ ଗପ ସପ ଆରମ୍ଭ ଚାଲିଲା । ଦିନ ପରେ ଦିନ ଆଗେଇଲା । କିନ୍ତୁ ଯେଉଁ ଦିନ କବିତା ସେହି ଲୋକଟିକୁ ପାଉଁଶିଆ ରଙ୍ଗ ବାଲକୋନିରେ ଦେଖିଲା ଥରେ ନୁହେଁ ଦୁଇଥର ନୁହେଁ ବାରମ୍ୱାର, ପୁଣି ସକାଳ ଓ ସନ୍ଧ୍ୟାରେ ମନଟା ତା’ର ଖରାପ ହୋଇଗଲା । ସକାଳେ ଉଠିଲା କ୍ଷଣି ତା’ର ମୁହଁ ଦୃଷ୍ଟିଗୋଚର ହେଲା । ଘରୁ ବାହାରିଲେ ତା’ ଉପରେ ଆଖି ପଡ଼ିଲା । ସେହି ଖର୍ବକାୟ ଅମଣିଷଟା ବାଲକୋନି ଉପରେ ଛିଡ଼ା ହୋଇଥିବ । କେଉଁଦିନ ଅଇନା ଧରି କତୁରି ଖଣ୍ଡେ ଧରି ନିଶକୁ ସାଇଜ କରୁଥିବ । ଅଥବା କେଉଁ ଦିନ ଚା’ ଧରି ପିଉଥିବ । ଅଥବା ଟ୍ରାଞ୍ଜିଷ୍ଟର ଧରି ଶୁଣୁଥିବ । ବାରଣ୍ଡାରେ ସବୁ ଚଳପ୍ରଚଳ, ଏ ଘରର ଅନ୍ୟାନ୍ୟ ସବୁ କିଛି । ଟୋକାଟାଏ, ବୁଢ଼ା ହୋଇଥିଲେ ଆପତ୍ତି ନ ଥିଲା । ମଉସା କି ପିଉସା ହୋଇଥାନ୍ତା । ସ୍ତ୍ରୀ ଲୋକ ହୋଇଥିଲେ ଆପତ୍ତି ନ ଥାନ୍ତା, ସମ୍ପୂର୍ଣ୍ଣ ନିରାପଦ । ଭାବିବାକୁ ପଡ଼ି ନ ଥାନ୍ତା । କିନ୍ତୁ ଏ ଗୋଟାଏ ଅଦ୍ଭୁତ ଯୁବକ । କ’ଣ କହିବ, କାହାକୁ କହିବ, ଲାଜକଥା । ତା’ ବସିବା ଉପରେ ଆପତ୍ତି ନାହିଁ । ତା’ର ବ୍ୟବହାର ଉପରେ ସବୁକିଛି । ବୋଉ ଦେଖେ ବାପା ଦେଖନ୍ତି । ବୁବୁଲୁ ମଧ୍ୟ ଦେଖେ ସମସ୍ତେ କିନ୍ତୁ ନୀରବ । କିଛିଦିନ ଚୁପ୍‍ଚାପ୍ ବସି ରହି ଦେଖିଲା । କାହାକୁ କିଛି କହିଲା ନାହିଁ । ଦେଖାଯାଉ କେଉଁପାଣି କେଉଁ ଆଡ଼େ ଯାଉଛି । ଯଦି ଲୋକଟା କେଉଁଆଡ଼େ ଚାଲି ଯାଏ.......କିନ୍ତୁ ଯଥା ପୂର୍ବଂ ତଥା ପରଂ । ସେହି ବାଲକୋନି ତା’ର ରଙ୍ଗମଞ୍ଚ । ତା’ରି ଉପରେ ସବୁ କିଛି ଅଭିନୟ । ଧନ୍ୟରେ ଯୁବକ । କି ବିଚିତ୍ର ତା’ର ଢଙ୍ଗଢ଼ାଙ୍ଗ ।

 

ମାସେ ଗଲା, ଦୁଇମାସ ଗଲା; ଏପରିକି ତିନିମାସ ଗଲା । ଏପ୍ରିଲ, ମେ, ଜୁନ, ଜୁଲାଇ ମାସରେ କବିତା କଲେଜରେ ନାଁ ଲେଖିଲା 3rd Year ରେ । କଲେଜ ଗଲା । କଲେଜରୁ ଫେରିଲା । କିନ୍ତୁ ସେହି ଯୁବକ, ସେହି ସନ୍ଧ୍ୟା, ସେହି ବାଲକୋନି ଦୃଶ୍ୟ ତା’ ଆଖି ଆଗରେ ଲାଖିଗଲା । ସକାଳୁ ଉଠି ବାରଣ୍ଡାରେ ବସି ପାଠ ପଢ଼ିଲେ, ଲୋକଟା ସାମନାରେ ବସି କାଗଜ ପଢ଼ିବ । ବାଧ୍ୟହୋଇ ସେ ଘର ଭିତରେ ବସିବ । ସନ୍ଧ୍ୟାବେଳେ ମନ ଖୁସିରେ ବାରଣ୍ଡାରେ ବସି ବୋଉ ସହିତ ଗପସପ କରି ବସିଲେ ଲୋକଟା ବାଲକୋନିରେ ଚା’ ପିଏ, ଅଥବା ରେଡ଼ିଓ ଶୁଣେ; ନଚେତ୍ ବହି ଖଣ୍ଡେ ଧରି ପଢ଼େ । ଏ ସବୁ କାରବାର ଦେଖି ଭାବେ କଟକ ଆସିବା ତା’ର ଦୁର୍ଭାଗ୍ୟ-

 

କବିତା ଭାବିଲା ସେଇ ଲୋକଟାକୁ ନେଇ ତା’ର ଚିନ୍ତା କରିବା ନିରର୍ଥକ, ଅବାନ୍ତର, ଯୁକ୍ତିହୀନ । ନିଜକୁ ସଞ୍ଜତ କରି ରଖିଲେ ସବୁଠାରୁ ନିରାପଦ । ବାରଣ୍ଡାରେ ନ ବସି ଘର ଭିତରେ ବସି ପାଠ ପଢ଼ିଲେ କିଛି କ୍ଷତି ହେବନାହିଁ । ସେ ଲୋକଟାକୁ ନ ଚାହିଁଲେ ମଧ୍ୟ ତା’ର ଅସୁବିଧା କିଛି ହେବନାହିଁ । ସେ ସେଠାରେ ମୁଁ ଏଠାରେ । ସେ, ସେ ଘରର ମଣିଷ ଏ ଘରର ଶତ୍ରୁ ।

 

ଏ ଘରର ମଣିଷ ସେ ଘରର ମାଉସୀ । କବିତା ମନେ ମନେ ହସିଲା । କାହିଁକି ହସିଲା ସେ ନିଜକୁ ନିଜେ ବୁଝାଇ ଦେଲା । ସେ ଯୁବକଟାର ସେଠାରେ ବସିବାର ଉଦ୍ଦେଶ୍ୟ ବୁଝିନେଲା । ସେ ଭାବିଲା ସବୁ ଯୁବକ ପାଖରେ ଯାହା, ସେହି ଯୁବକ ପାଖରେ ସେଇଆ । ବସନ୍ତ ବହିଲେ ଗଛରେ ପତ୍ର କଅଁଳେ । ପିଲାରୁ ଯୁବକ ହେଲେ ଦେହରେ ଚମକ ଖେଳାଏ । ନୂଆ ଚିନ୍ତା ନୂଆ ଭାବନା, କେତେ ସ୍ୱପ୍ନ କେତେ ଆଶା । ସମସ୍ତେ ଚାହାଁନ୍ତି ଭଲ ଆଉ ସୁନ୍ଦର । ସେ ଲୋକଟାକୁ ଆଉ ଚାହିଁବ ନାହିଁ ବୋଲି ମନେ ମନେ ପ୍ରତିଜ୍ଞା କଲା । ନାଁ, ସେ ଲୋକଟାକୁ ଆଉ କେବେ ଚାହିଁବି ନାହିଁ । ନାହିଁ ନାହିଁ, ନାହିଁ । ମନେ ମନେ ତ୍ରିବାର ସତ୍ୟକଲା ଯେତେ ଯାହା ହେଉପଛେ । କିନ୍ତୁ କାହିଁକି ସେ ପୁଣି ହଟିଗଲା, ନିଜେ ଜାଣି ପାରିଲା ନାହିଁ । ଆଖିଟା ଯେମିତି ସେହି ବାଲକୋନି ଦେହରେ ଲାଖି ଯାଇଛି । ଶେଯରୁ ଉଠିଲାକ୍ଷଣି ସେହି ବାଲକୋନି ଆଡ଼କୁ ଆଖିଟା ଆପେ ଆପେ ଚାଲିଯାଉଛି । ସେହି ଗୋରା ଲୋକଟାର ଚେହେରା ଆଖି ସାମନାରେ ଉଙ୍କି ମାରୁଛି । ସତେ ଯେପରି ସେ ଦାନ୍ତ ଘଷୁଛି, ଚା’ ପିଉଛି, କାଗଜ ପଢ଼ୁଛି । ଦିନାକେତେ ଭାବିଲା ବାରଣ୍ଡାରେ ଗୋଟାଏ ସ୍କ୍ରିନ୍ ଟାଣିଦେବ । ଲୋକଟାକୁ ଠିକଣା ଜବାବ୍‍ ଦେବ । ଅପମାନ ଦେବ । ମାଙ୍କଡ଼ ଲୋକଟା କାହାକୁ ଚାହୁଁଛି ଚାହୁଁ । ଖାଲି କୋଠାକୁ ଚାହିଁ କ’ଣ ପାଉଛି ପାଉ । ଦେଖିବା କେତେଦିନ ସେ କୋଠାକୁ ଚାହିଁ ରହିବ ? କୋଉ ମିଠା ସେଥିରୁ ଝରିବ । ଆଖିବୁଜି ପିଇଯିବ । ମନେ ମନେ ସ୍ଥିର କଲା ଗୋଟାଏ ଲମ୍ୱା କଳା ରଙ୍ଗର ସ୍କ୍ରିନ୍ D-C-M କନା ଆଣି ବାରଣ୍ଡାରେ ଏମୁଣ୍ଡରୁ ସେମୁଣ୍ଡ ଟାଣି ଦେବ । କିନ୍ତୁ ପୁଣି ଭାବିଲା ସ୍କ୍ରିନ୍ ଟାଣିଲା ପରେ ବାରଣ୍ଡାଟା ଅନ୍ଧାର ହୋଇଯିବ ନିଶ୍ଚୟ । ବଡ଼ Suffocated ଲାଗିବ । ପବନ ଦେହରେ ବାଜିବ ନାହିଁ । ବାପା ପଚାରିଲେ ସେ ତାଙ୍କୁ କ’ଣ ବୁଝାଇବ ମୁଣ୍ଡ ତା’ର ଖରାପ ହୋଇଗଲା । ଲାଜକଥା, ସେହି ଲୋକଟାକୁ ନେଇ ଏତେ କଥା । ଛି, ସେ ଛତରା, ଅଭଦ୍ର, ବଦମାସ, ଲଫଙ୍ଗା, ପର ଝିଅ ବୋହୂଙ୍କୁ କଟାସ ପରି ଚାହିଁବା ପ୍ରତି ପୁରୁଷର ଗୋଟାଏ ଖରାପ ଅଭ୍ୟାସ । ନାଁ ସେ ଲୋକଟା ଯାହା କରୁଛି କରୁ । ତା’ କଥା ସେ ଆଉ ମୋଟେ ଭାବିବ ନାହିଁ ।

 

ସେଦିନ କଲେଜରୁ ଫେରି କବିତା ଲୁଗାଟା ବଦଳାଇ ଦେଲା । ବାଥ୍‍ରୁମ୍‍କୁ ଯାଇ ମୁହଁ ହାତ ଧୋଇ ଆସିଲା, ଘର ଭିତରୁ ଆରାମ୍ ଚେୟାରଟା ଟାଣିଆଣି କିଛିକ୍ଷଣ ପାଇଁ ବସିପଡ଼ିଲା । ଓଃହୋଃ ସକାଳ ଆଠରୁ ସନ୍ଧ୍ୟା ଛଅ ବାଜିଲା । ଏ କି ପାଠ । ଏ କି ବହି । ଥିଓରି ପରେ ପ୍ରାକ୍ଟିକାଲ ଓ ପ୍ରାକ୍ଟିକାଲ ପରେ ପୁଣି ଥିଓରି । ବହିଗୁଡ଼ାକ ଦେଖିଲେ ମୁଣ୍ଡ ଖରାପ ହୋଇଯାଉଛି । ବହିଗୁଡ଼ାକ ସତେ କେମିତି ଗୋଟାଏ ଗୋଟାଏ ରାକ୍ଷସ । ଦୀର୍ଘନିଶ୍ୱାସ ପକାଇଲା କବିତା । ବଡ଼ କ୍ଳାନ୍ତ । କଲେଜରୁ ତଳୁ ଉପର, ଉପରୁ ତଳ ଦୁଇ ଚାରିଥର ହୋଇଗଲେ ଗୋଡ଼ଗୁଡ଼ାକ ଯେମିତି ଆପେ ଆପେ ଛିଣ୍ଡି ଯାଉଛି । ପାଠପଢ଼ା ସଉକଟା ଯେମିତି ଏକାଥରକେ ମନରୁ ଉଭେଇ ଯାଉଛି । ମନ ହେଉଛି ଆଉ ଯେମିତି କଲେଜ ନ ଯିବାକୁ । ଆକାଶକୁ ଚାହିଁଲା କବିତା । ମେଘୁଆ ଆକାଶ । ବାଦଲଗୁଡ଼ାକ ଆକାଶରେ ଜମି ରହିଛନ୍ତି । କେଉଁ ମୁହୂର୍ତ୍ତରେ ବର୍ଷାହେବ କହି ହେଉନି । ଥଣ୍ଡାପବନ ମଝିରେ ମଝିରେ ବହୁଛି । ପାରାପେଟ୍ ଉପରେ ଗୋଡ଼କୁ ଲମ୍ୱାଇଦେଇ ଆରାମ୍‍ ଚେୟାର ଉପରେ ମୁଣ୍ଡତଳେ ତକିଆ ଦେଇ ବସିଲା । କିଛିକ୍ଷଣ ପରେ ପାମ୍ପଡ଼ ଦି’ଖଣ୍ଡ ଆଣି ଚାକର ଦେଇଗଲା । ସେ ବସି ମୁଡ଼ୁମୁଡ଼ୁ କରି ଚୋବାଇଲା । ଓଃ ହୋଃ ଆଜି ସେ ଲୋକଟା ନାହିଁ-। କୁଆଡ଼େ ଯାଇଛି ବୋଧେ । ରକ୍ଷା, ନଚେତ୍ କଟାସ ଭଳି ଚାହିଁଥାନ୍ତା । ସତେ ଯେମିତି ତା’ ଆଗରେ ପଡ଼ିଗଲେ ରକ୍ତମାଂସ ସହ ଚୋବାଇଯାନ୍ତା । ଲୋକଟା ତା’ ହେଲେ ଗଲା କୁଆଡ଼େ ? ସନ୍ଧ୍ୟା ସାତ ପୂର୍ବରୁ ସେ କୁଆଡ଼େ ଯାଏନି । ସୂର୍ଯ୍ୟ କିମିତି ବିପରୀତ ଦିଗରେ ଆଜି ଉଦୟ ହେଲେ-? ଲୋକଟା ବେମାର ପଡ଼ିଛି କି ? ଘର ଭିତରେ ଶୋଇଛି । ଶୋଇଥିବ । ପୁଣି ଭାବିଲା, ସେ ବେମାର ପଡ଼ିବା ଲୋକ ନୁହେଁ । ବେମାର ତା’କୁ ସହଜେ ଆକ୍ରମଣ କରିବ ନାହିଁ । ବୋଧେ କୋଉ କାମରେ ଚାଲିଯାଇଛି । ଯାହାହେଉ ଆଜି ସେ ଆନନ୍ଦରେ ବସିବ । ପାମ୍ପଡ଼ ଚୋବାଇବ । ଅଦ୍ଭୁତ ଲୋକ । ବିଚିତ୍ର ତା’ର ଢଙ୍ଗ, କବିତା ସେହି ବାଲକୋନି ଆଡ଼କୁ ଚାହିଁ ପାମ୍ପଡ଼ ଚୋବାଇଲା-। ଆରେ, କବାଟ ଖୋଲା ହେଲାଭଳି ଜଣାପଡ଼ୁଛି । ତାହାହେଲେ ପାଷାଣ୍ଡ ଆସିଲା କି ? ନାଁ, ସେହି ମୋଟା ପେଟାଲୋକଟା । ଯିଏ ତା’କୁ ଚା’ ଦିଏ । ଇଏ ବି ଏକ ଅଜବ ଲୋକ । ଖାଇପିଇ ବେଶ୍ ଗଣ୍ଡି ବଢ଼ାଇଛି । ଲଙ୍ଗଳ ଦଉଡ଼ି ଅଣ୍ଟାକୁ ପାଇବ ନାହିଁ । ମୁଣ୍ଡଟି ବେଲଭଳି ଟାଙ୍ଗରା । ଶଙ୍ଖଭଳି ଚିକ୍‍କଣ । ପେଟଟି ଡାଲି ହାଣ୍ଡି ଭଳି ଗୋଲ । କି ବିଚିତ୍ର ଲୋକ ଏ ପୃଥିବୀରେ ଅଛନ୍ତି ? ସେହି ଲୋକଟାର ଏ ବୋଧେ ପୁଝାରୀ । ବାବୁକୁ ଅଳ୍ପଦେଇ ବହୁତ ଖାଉଥିବ ନିଶ୍ଚୟ । ସେଇଥିପାଇଁ ଏଡ଼େ ଗଣ୍ଡି । ଆରେ କ’ଣ ଚେୟାରଟା ଆଣି ପକାଇଲାଣି । ବସିବ କି ? ସେ ଲୋକଟା ବଦଳରେ ଇଏ ବସିବ । ୟାର ବି ଇଚ୍ଛା । କଲେଜରେ ପ୍ରକ୍ସି ପକାଇଲା ଭଳି ଇଏ ତା’ ବାବୁଙ୍କର ପ୍ରକ୍ସି ପକାଇବ । ବାବୁ ଯେମନ, ପୁଝାରୀ ବି ତେମନ । କେହି କାହାକୁ ଊଣା ନୁହନ୍ତି । ଧନ୍ୟରେ ବାବୁ ! ଧନ୍ୟରେ ପୂଝାରୀ ! ଆରେ–ନା ତ ସେ ବସିଲା ନାହିଁ । ଚେୟାରଟା ପକାଇ ଚାଲିଗଲା । କୁଆଡ଼େ ଗଲା..... ?

 

କବିତା କିଛିକ୍ଷଣ ତେରେଛେଇ ସେହି ବାଲକୋନିକୁ ଚାହିଁଲା । ଏଣେ ପାଟିରେ ପାମ୍ପଡ଼ ମୁଡ଼ୁମୁଡ଼ୁ ହେଉଥାଏ । କ୍ଷଣକ ଭିତରେ ସେହି ଲୋକଟା ଆସି ପହଞ୍ଚିଲା । ବାଲକୋନି ଲାଇଟ୍ ଜଳି ଉଠିଲା । ଲୋକଟା ବାଲକୋନି ଉପରେ ଛିଡ଼ାହୋଇ ପ୍ୟାଣ୍ଟ୍ ସାଟ୍ ଓହ୍ଲାଇଲା । ଲୁଙ୍ଗିଟା ପିନ୍ଧି ଚେୟାର ଉପରେ ବସିପଡ଼ିଲା । କବିତା କ୍ଷଣକ ଭିତରେ ଦାନ୍ତକୁ କଡ଼ମଡ଼ କରି ଲୋକଟା ଉପରେ ବିରକ୍ତ ହୋଇ ଘର ଭିତରରୁ ଚାଲି ଆସିଲା । ଅଭଦ୍ର, ସେହି ବାଲକୋନି ଉପରେ ନ ବସିଲେ ଯେପରି ତା’ର ଭାତ ହଜମ ହୁଏ ନାହିଁ । ପାମ୍ପଡ଼ ଟେବୁଲ ଉପରେ ରଖିଦେଲା । ଖଟ ଉପରେ କିଛି ସମୟ ଗଡ଼ିପଡ଼ିଲା ।

 

ପରଦିନ ସକାଳେ ସୀତନାଥବାବୁ ବାରଣ୍ଡାରେ ବସି ଜଳଖିଆ ଖାଉଥିଲେ । ଡାଇନିଙ୍ଗ୍ ରୁମ୍ ନ ଥିବାରୁ ଏହି ପ୍ରଶସ୍ତ ବାରଣ୍ଡାରେ ଡାଇନିଙ୍ଗ୍ ଟେବୁଲ ପଡ଼ିଥାଏ । ତା’ର ଚାରିକଡ଼େ ଚାରିଖଣ୍ଡ ଚେୟାର । କବିତା ସୀତାନାଥବାବୁଙ୍କୁ ଖାଇବାକୁ ଦେଉଥାଏ । ସେଇ ଲୋକଟା ବାଲକୋନି ଉପରେ ଛିଡ଼ାହୋଇ ଚା’ ପିଉଥାଏ । କବିତା ଲୋକଟାକୁ ଦେଖି ମୁହଁ ମୋଡ଼ିଦେଲା । ଧନ୍ୟରେ ଲୋକ । ହଠାତ୍ ସୀତାନାଥବାବୁଙ୍କର ଆଖି ସେ ଲୋକଟା ଉପରେ ପଡ଼ିଗଲା । ଆରେ ସେ ଲୋକଟା କିଏ ? କେଜାଣି ମୁଁ ଜାଣିନାହିଁ, କବିତା ଉତ୍ତର ଦେଲା । ସୀତାନାଥବାବୁ ଜଳ ଜଳ କରି ତାଙ୍କୁ ଚାହିଁଲେ । ଲୋକଟାକୁ ଦେଖିଲା ଭଳି ମନେହେଉଛି । ମନେ ମନେ ଭାବିଲେ କେଉଁଠି ଦେଖିଛନ୍ତି ନିଶ୍ଚୟ । ମୋଟେ ମନେ ପଡ଼ିଲା ନାହିଁ । ଥାଳି ଉପରେ ହାତଟା ରଖି ବହୁତ ସମୟ ଭାବିଲେ । କିନ୍ତୁ କିଛି ସ୍ଥିର କରିପାରିଲେ ନାହିଁ । ଚିହ୍ନିଲା ଚିହ୍ନିଲା ଭଳି ମୁହଁଟା ଅଧିକ ସମୟ ନ ଭାବି ହାତଧୋଇ ଅଫିସଆଡ଼େ ବାହାରି ପଡ଼ିଲେ । ଲୋକଟା ସିମିତି ଛିଡ଼ାହୋଇ ଚା’ ପିଉଥିଲା । ବାଆଁ ହାତରେ ଖବରକାଗଜ ଧରି ପଢ଼ୁଥିଲା । ବୁବୁଲୁ ଆସି ପହଞ୍ଚିଲା । ଅପା, ଖାଇବାକୁ ଦେବୁଟି-। ଚେୟାର ଉପରେ ବସିଲା ବୁବୁଲୁ । କବିତା ଥାଳିରେ ଦୁଇଖଣ୍ଡ ପରଟା ଆଉ ଗୋଟିଏ ଆମଲେଟ ଆଣି ଥୋଇଦେଲା । ଅସଞ୍ଜତ କେଶରାଶିକୁ ସଜାଇ ଦେଉ ଦେଉ କହିଲା, ଆରେ ବୁବୁଲୁ ସେ ଲୋକଟାକୁ ତୁ ଚିହ୍ନିଚୁ ? ପାଟିରେ ପରଟା ପୂରାଇ ପୂରାଇ ଗାଉଁ ଗାଉଁ ହୋଇ ବୁବୁଲୁ କହିଲା, କେଉଁ ଲୋକଟାକୁ ?

 

କବିତା ତା’ ଆଗରେ ଛିଡ଼ା ହୋଇ ଥିରି ଥିରି କହିଲା, ସେ ପାଉଁଶିଆ ଦୋ’ମହଲା କୋଠା ବାଲକୋନିରେ ଯିଏ ଛିଡ଼ା ହୋଇଛି ।

 

ବାଆଁ ହାତରେ କବିତାକୁ ଠେଲିଦେଇ ବୁବୁଲୁ ସେ ଲୋକଟାକୁ ଚାହିଁଲା । ଆରେ ! ଏ ଲୋକଟା ତ ସବୁଦିନେ ଷ୍ଟାଡ଼ିୟମ ଆଡ଼େ ସ୍କୁଟରରେ ଚଢ଼ିଯାଏ । ମୁଁ ତା’କୁ ଚିହ୍ନିନାହିଁ । ଷ୍ଟାଡ଼ିୟମରେ ବହୁତ ସମୟ ଦେଖିଛି । ଏବେ ନୂଆ ବଜାଜ ସ୍କୁଟରଟା କିଣିଛି ।

 

କ’ଣ ସେ କରେ, କବିତା ପଚାରିଲା ?

 

ମୁଁ ଜାଣିନାହିଁ । ସେ କ’ଣ କରେ । କ’ଣ ଗୋଟାଏ ନିଶ୍ଚୟ କରୁଥିବ ନଚେତ୍ ଗାଡ଼ି ଚଢ଼ନ୍ତା କିପରି ? ଟୋକାଟା ଭାରି ଫୁର୍ତ୍ତି ଅଛି, ବୁବୁଲୁ କହିଲା ।

 

କବିତା କହିଲା ଆରେ ସେ କ’ଣ ରେଫରି ହୁଏ, ନା ଲାଇନ୍‍ମ୍ୟାନ୍ ହୁଏ ? ତୁ ଜାଣିଥିବୁ ଷ୍ଟାଡ଼ିୟମ ଆଡ଼େ ଯେତେବେଳେ ଯାଉଛି କ’ଣ ନା କ’ଣ ଗୋଟାଏ କରୁଥିବ । ତୁ ତ ଫୁଟ୍‍ବଲ ଖେଳୁ । ତୁମର ସେ କେବେ ରେଫରି ହୋଇଛି କି ? କବିତା ପଚାରିଲା ।

 

ନାଁ । ଅଧିକ ସମୟ ମ୍ୟାଚ ଦେଖିବାର ଦେଖିଛି । କ୍ଳବ୍‍ହାଉସ ଉପରେ ବସେ । ଆଚ୍ଛା ଆଜି ବୁଝିନେବା ଲୋକଟା କ’ଣ କରୁଛି । ବୁବୁଲୁ ହାତ ଧୋଇଲା । କବିତା ଲୁଗା କାନିରେ ବୁବୁଲୁର ମୁହଁ ପୋଛିଦେଲା ।

 

ତୁ କାହିଁକି ବ୍ୟସ୍ତ ହେଉଛୁ ? ମୁଁ ବୁଝି ନେବି ମୋ ସାଙ୍ଗ ପିଲାଠାରୁ, ବୁବୁଲୁ ଚାଲିଗଲା । ତା’ ଯିବାପଥକୁ ଚାହିଁ କବିତା ହସିଲା । ଏକମାତ୍ର ଭାଇ, ବାପାଙ୍କର ଏକଇର ବଳା ବିଶିକେଶନ ଏହାରି ଉପରେ ସମସ୍ତଙ୍କର ନଜର, ବହୁ ଆଶା । ଏ ବର୍ଷ ମାଟ୍ରିକ୍ ଫାଷ୍ଟ ଡିଭିଜନରେ ପାସ୍ କଲା । କଲେଜରେ ନାଁ ଲେଖାଇଛି । ବାପା କହନ୍ତି ଡାକ୍ତରୀ ପଢ଼ାଇବି । ବୋଉ କହେ ଇଞ୍ଜିନିୟରିଂ ପଢ଼ାଇବି । ଆଉ ବୁବୁଲୁ କହେ ସେ I. A. S. ହେବ, ଆଉ ସେ ଭାବେ ବୁବୁଲୁ ସବୁଠାରୁ ବଡ଼ ଅଫିସର ହେଉ । ଆଇନା ଆଗରେ ଛିଡ଼ାହେଲା କବିତା ଡ୍ର ଭିତରୁ ପାନିଆ କାଢ଼ି ମୁଣ୍ଡ କୁଣ୍ଡାଇଲା-। ଆଜି କ୍ଳାସ ବାରଟା ପରେ, ତିନିଟା ପରେ ଛୁଟି....ନିଜ ଚେହେରାଟାକୁ ଭଲକରି ଦେଖିଦେଲା କବିତା । ବାଲେଶ୍ୱର ଅପେକ୍ଷା କଟକରେ ତା’ ଦେହରେ ମାଂସ ଲାଗିଲାଭଳି ମନେହେଉଛି । ବ୍ଳାଉଜଟା ଟିକେ ଟାଇଟ୍ ଜଣାପଡ଼ୁଛି । ଆସନ୍ତା ରବିବାର ଦିନ ଆଉ ଦୁଇଟା ବ୍ଳାଉଜ ତିଆରି କରିଦେବ । ଆଜି କଲେଜରୁ ଫେରିଲାବେଳେ ବ୍ଳାଉଜ ଫିସ୍ କିଣିଆଣିବ । ଗୋଟାଏ ରେଡ଼୍ ଆଉ ଗୋଟାଏ ବ୍ଳୁ । ଦି’ଟା ଶାଢ଼ୀ ବି ସେହି ରଙ୍ଗରେ ଅଛି । ବାପା ବାଲେଶ୍ୱର ଛାଡ଼ିଲାବେଳେ ଦେବୀ ଦତ୍ତ ଲୁଗା ଦୋକାନରୁ ଆଣିଥିଲେ, ସେମିତି ନୂଆ ଥୁଆହୋଇଛି । ଏବେ ସେ ପିନ୍ଧାହେବ । ନୂଆ ଜାଗା, ନୂଆ କଲେଜ, ନୂଆ ଶାଢ଼ୀ ଓ ନୂଆ ବ୍ଳାଉଜ୍ । କବିତା ମନେ ମନେ ହସିଲା । ପରିଷ୍କାର କାଚ ଭିତରେ ତା’ର ଚେହେରାକୁ ଆଉ ଟିକେ ଭଲଭାବରେ ଦେଖି ମନେ ମନେ ହସିଲା । ନେଲ୍ ପାଲିସ ବାହାର କରି ପ୍ରତି ନଖର ଉପରେ ବୋଳିଲା । କୁଙ୍କୁମ କାଢ଼ି ମଥାରେ ଟୋପା ମାରିଲା । ତା’ ରୂପର ବର୍ଣ୍ଣନା ଆଗରୁ ବାଲେଶ୍ୱରରେ ଶୁଣିଥିଲା । ଏବେ କଟକରେ ତା’ କାନରେ ବାଜିଲାଣି ଟୋକାମାନଙ୍କ କମେଣ୍ଟର ସେ ବହୁବାର ଶିକାର ହେଲାଣି । ସାଥି ମଞ୍ଜୁବାଳା, କିରଣବାଳା, ମଧୁସ୍ମିତା, ତା’ ଆଗରେ ତା’ର ରୂପ ବର୍ଣ୍ଣନା କରି କହିଲେଣି, ସତରେ କବିତା ତୁମେ କେତେ ସୁନ୍ଦରୀ ? ଏ ବଜାରି ଟୋକାଗୁଡ଼ାକ ତୁମକୁ ଦେଖି ଯାହା କମେଣ୍ଟ କରୁଛନ୍ତି ନା, ଛାଡ଼ । ଆଉ ବାଟ ଚାଲି ହେବନାହିଁ । ସାଥିମାନଙ୍କଠାରୁ ନିଜ ରୂପର ବର୍ଣ୍ଣନା ଶୁଣି କବିତା କିରି କିରି ହସିଉଠେ । ସେହି ହସ ଭିତରେ କହେ ମୋ’ ଠାରୁ ଆହୁରି ସୁନ୍ଦରୀ ତୁମ୍ଭେମାନେ-। ମୋ ଆଖିରେ ତୁମ୍ଭେମାନେ ସୁନ୍ଦରୀ । ମୁଁ ଏବେ ନୂଆ ଆସିଛି ନା, ସେଥିପାଇଁ ତାଙ୍କ ଆଖିରେ ସୁନ୍ଦର ଦେଖାଯାଉଛି । ତୁମେ ସବୁ ପୁରୁଣା ହୋଇଗଲଣି । ସମସ୍ତେ ହସି ଉଠନ୍ତି । ସାଢ଼େ ଏଗାରଟା ବାଜିଲା । ଆଉ ବସି ଲାଭ ନାହିଁ । କବିତା ଡ୍ରେସିଂ ଟେବୁଲ ପାଖରୁ ଉଠି ଶାଢ଼ୀ ପିନ୍ଧି କଲେଜ ବାହାରିଲା.... ।

 

ତା’ ପରଦିନ ସନ୍ଧ୍ୟାରେ ବୁବୁଲୁ ସେ ଲୋକଟାକୁ ସେହି କୋଠାର ବାଲକୋନି ଉପରେ ଛିଡ଼ା ହୋଇଥିବା ଦେଖି ଡାକିଲା, ଅପା ଅପା, ଶୁଣ ଶୁଣ । ବୁବୁଲୁ କଥା ଶୁଣି କବିତା ରୋଷେଇ ଘରୁ ଅଟା ବାଲୁବାଲୁ ହାତରେ ଆସି ପହଞ୍ଚିଲା । କାହିଁକି ଡାକୁଛୁ ?

 

ଅପା ! ସେ ଯେଉଁ ଲୋକଟା ନୁହେଁ, ଯିଏ ବାଲକୋନିରେ ଛିଡ଼ା ହୋଇଛି, ତୁ ଯାହା କଥା ପଚାରୁଥିଲୁ, ସେ ଜଣେ ଡାକ୍ତର ।

 

ଡାକ୍ତର କଥାଶୁଣି କବିତା ଆଶ୍ଚର୍ଯ୍ୟ ହୋଇଗଲା । ଭାବିଲା ସତେ କ’ଣ ଏ ଡାକ୍ତର, ତା’ର ବିଶ୍ୱାସ ହେଲାନାହିଁ । କଥାଟା ଭଲ ଭାବରେ ଜାଣିବା ପାଇଁ ପଚାରିଲା, ଆରେ କି ଡାକ୍ତର ? ହୋମିଓପାଥି ନା ଏଲୋପାଥି ନା ଆୟୁର୍ବେଦ, କେଉଁ ଡାକ୍ତର ସିଏ ? ବୁବୁଲୁ କହିଲା, ମୁଁ କହି ପାରିବି ନାହିଁ, ସେ କି ଡାକ୍ତର । ମୁଁ ମୋ ସାଙ୍ଗ ରମେଶକୁ ପଚାରିଲି, ସେ କହିଲା, ‘‘ଡାକ୍ତର ।’’ ମୁଁ ପଚାରି ପାରିନି, ସେ କି ଡାକ୍ତର ।

 

ବୋକାଟା, ତୁ ଯେମିତି ତୋ ସାଙ୍ଗଟା ସେମିତି । ମାଙ୍କଡ଼ଟା ଜାଣିଲୁ, କି ମାଙ୍କଡ଼ କହି ପାରିବୁ ନାହିଁ । ହନୁ ମାଙ୍କଡ଼ କି ପାତି ମାଙ୍କଡ଼ ।

 

ବୁବୁଲୁ ହସିଲା । କହିଲା, ‘‘ଆଚ୍ଛା ହେଉ ରମେଶକୁ ମୁଁ ପଚାରି ବୁଝିନେବି ।’’

 

ହଁ ଭଲକରି ବୁଝିବୁ । ବୋକାଙ୍କ ଭଳି ଅଧା ବୁଝି ଚାଲି ଆସିବୁ ନାହିଁ । କବିତା ରୋଷେଇ ଘରକୁ ରୁଟି ତିଆରି ପାଇଁ ଚାଲିଆସିଲା । ବୁବୁଲୁ ସେହି ବାରଣ୍ଡାରେ ବସି ଲୋକଟା ଆଡ଼କୁ ଚାହିଁ ଚିନାବାଦାମ ଚୋବାଇଲା ।

 

ବୁବୁଲୁଠାରୁ ଡାକ୍ତର କଥାଶୁଣି କବିତା ଲାଜକୁଳି ଲତା ଭଳି କାହିଁକି ଝାଉଁଳି ପଡ଼ିଲା । ଅଟା ଦଳୁଥିବାବେଳେ ଭାବୁଥିଲା, ସତରେ ସେ କ’ଣ ଡାକ୍ତର ? କେତେ ସିଏ ତାଙ୍କୁ ଗାଳି ନ ଦେଇଛି । ତା’ ମନର ଗତି ବଦଳିଗଲା । ନିଜକୁ ସେ ବଡ଼ ଲଜ୍ଜିତ ମନେକଲା । ନ ଜାଣି ନ ଶୁଣି ସେ କେତେବଡ଼ ଭୁଲ୍ କାମ ନ କରିଛି । ସେ ଲୋକଟା କଥା ଭାବି ଭାବି କେତେ ରାତି ସେ ଅନିଦ୍ରା ନ ହୋଇଛି । କଲେଜ ସାଙ୍ଗମାନଙ୍କ ଆଗରେ ଲୋକଟା ନାଁରେ କେତେ କଥା ନ କହିଛି । ନିଜକୁ ନିଜେ ବହୁତ ଗାଳିଦେଲା । ନ ବୁଝି ନ ଶୁଝି କାହାରିକୁ ଅଭିମାନରେ ଗାଳିଦେବା ଉଚିତ ନୁହେଁ ବୋଲି ମନକୁ ସାନ୍ତ୍ୱନା ଦେଲା ।

 

ସେଦିନ ତ’ ବୋଉର ଦେହ ଖରାପ ଥିବାରୁ ସେ ନିଜେ ରୋଷେଇ ଦାୟିତ୍ୱ ନେଇଥିଲା-। ମଝିରେ ମଝିରେ ଏମିତି କାମ କରିବାକୁ ତା’କୁ ପଡ଼େ । ପୁଝାରୀ ଯଦିଓ ଅଛି, କିନ୍ତୁ ବାପା ପୁଝାରୀ ରନ୍ଧା ଖାଇବାକୁ ଭଲ ପାଆନ୍ତି ନାହିଁ । ରୋଷେଇ ସାରି କବିତା ନିଜ ରୁମ୍‍କୁ ଆସିଲା । ଘଣ୍ଟା ଦେଖିଲା ସାଢ଼େ ଆଠ । ବାପା ଦଶଟାରେ ଖାଇବେ । ଆଉ ଦେଢ଼ ଘଣ୍ଟା ବାକି ଅଛି । ବୋଉର ଗୋଡ଼ ବିନ୍ଧୁଛି । ସେ ଘରେ ଶୋଇଛି, ପିଅନ ରତନା ତା’ ଗୋଡ଼ ମୋଡ଼ୁଛି । ଚେୟାର ଉପରେ ବସି କବିତା ଭାବିଲା, କିଛି ସମୟ ପାଠ ପଢ଼ିବି । କିନ୍ତୁ ମନଟା ତା’ର କାହିଁକି ପାଠ ପଢ଼ିବା ପାଇଁ ଆଗେଇଲା ନାହିଁ । ପଦାକୁ ଆସି ସେ ଘରକୁ ଚାହିଁଲା ସ୍କାଏ ଲାଇଟ୍ ବାଟେ ଆଲୁଅ ଦେଖାଯାଉଛି । କବାଟଟା ବନ୍ଦ ଅଛି । ଅର୍ଦ୍ଧ-ଚନ୍ଦ୍ର ଉପରେ ବାଦଲ ଘୋଡ଼ାଇ ଥିବାରୁ ପରିଷ୍କାର ଦେଖାଯାଉ ନାହିଁ । ଝାପ୍‍ସା ଦେଖାଯାଉଛି । ନଦୀର ଗତିପଥ ପରିବର୍ତ୍ତନ ହେଲାଭଳି ତା’ର ମନ ବଦଳିଯାଇଛି । ଗୋଟାଏ ଭଦ୍ରଲୋକ ଉପରେ ସେ କମ୍ ରାଗ କରି ନ ଥିଲା । କିଛି ସମୟ ବାରଣ୍ଡାରେ ଛିଡ଼ା ହେଲା । କିନ୍ତୁ ସେହି ବାଲକୋନିଟା ସେମିତି ଶୂନ୍ୟ ଦେଖାଗଲା, ଯେପରିକି ସିନେମା ସରିଗଲେ ତା’ର ବାଲକୋନିଟା ଆଖିକୁ ଖାଲି ଖାଲି ଦିଶେ । ନାଁ ଆଜି ସେ ଆଉ ପଦାକୁ ବାହାରିବ ନାହିଁ । ଆକାଶକୁ ଚାହିଁଲା କବିତା । ଚନ୍ଦ୍ର ଉପରେ ବାଦଲ ଭାସି ଚାଲିଛି ଦକ୍ଷିଣରୁ ଉତ୍ତର ଦିଗକୁ । କେତେବେଳେ ବାଲକୋନିଟା ପରିଷ୍କାର ଦେଖାଯାଉଛି ତ, ଆଉ କେତେବେଳେ ଝାପ୍‍ସା ଦେଖାଯାଉଛି । ସେ ଝାପ୍‍ସା ଭିତରେ କବିତା ଦେଖି ପାରୁଛି ସତେ ଯେପରି ସେହି ଲୋକଟା ଛିଡ଼ାହୋଇ ଚା’ ପିଉଛି । ନିରାଶ ମନରେ କବିତା ଫେରି ଆସିଲା ନିଜ ରୁମ୍‍କୁ । ରାତି ଦଶଟା ବାଜିଲାଣି । ବାପା ଖାଇବାକୁ ଦେବାପାଇଁ ଡାକିଲେଣି । ଡାଇନିଙ୍ଗ ଟେବୁଲ ସଫା କରିଦେଲା । ବାପା, ବୋଉ, ବୁବୁଲୁ ଓ ସେ ଏକାଠି ବସି ଖାଇଲେ । ଶୋଉ ଶୋଉ ରାତି ଏଗାର-

 

(ଦୁଇ)

 

ପରଦିନ ଖୁବ୍ ପ୍ରତ୍ୟୁଷରୁ କବିତା ଉଠିଲା । ସେତେବେଳକୁ ରାତି ପାହି ଆସିଲାଣି । ବିଛଣାରୁ ଉଠି କିଛି ସମୟ ବସିଲା । ଦୁଇହାତ ଏପଟ ସେପଟ ପ୍ରସାରିତ କରି ଅଳସ ଭାଙ୍ଗିଲା । ଆଇନା ଆଗରେ ଛିଡ଼ା ହୋଇ ନିଜ ମୁହଁଟାକୁ ଭଲ ଭାବରେ ଦେଖି ବାଥ୍‍ରୁମରେ ଯାଇଁ ମୁହଁ ଧୋଇ ଆସିଲା । ଶୁଭ ପ୍ରଭାତ ନିଜର ପ୍ରିୟ ଦେବତା ଶିବସମ୍ଭୁଙ୍କୁ ପ୍ରଥମେ ପ୍ରଣାମ କରି କବାଟ ଫିଟାଇ ବାରଣ୍ଡାରେ ଛିଡ଼ା ହୋଇ ସେହି ବାଲକୋନି ଆଡ଼କୁ ଚାହିଁଲା । ଦୁର୍ଯ୍ୟୋଗ, ବାଲକୋନିଟା ଉପରେ ବୁଢ଼ା ହନୁ ମାଙ୍କଡ଼ଟା ବସିଛି । ହାତରେ କ’ଣ ଗୋଟାଏ ଧରି ଖାଉଛି । କବିତା ମନେ ମନେ ଖୁବ୍ ବିରକ୍ତ ହେଲା । ହନୁ ମାଙ୍କଡ଼କୁ ଖୁବ୍ ଗାଳିଦେଲା । ବୁଢ଼ା ଗେଧଟା କେଉଁଠି ଥିଲା ସକାଳୁ ଆସି ତା’କୁ ଦେଖାଦେଲା । ରାତିରେ ବୋଧେ ରାଜୀବଲୋଚନବାବୁଙ୍କ ବାଡ଼ିରେ ଥିଲା । ତାଙ୍କରି ଗଛରୁ ପିଜୁଳି ନେଇ ଖାଉଛି । କେଡ଼େ ମୋଟାଟା ହୋଇଛି ମ ଏ ଗେଧଟା । ମାଙ୍କଡ଼ ଏଣିକି ତେଣିକି ଅନେଇ ପିଜୁଳି ଖାଉଛି, ତା’ର କି ଚିନ୍ତା ? ମାଙ୍କଡ଼କୁ ଦେଖି କବିତା ଖତେଇ ହୋଇ ଦାନ୍ତ ଦେଖାଇଲା ଇଁ ଇଁ-ଇଁ । ମାଙ୍କଡ଼ କାହିଁକି ଶୁଣିବ ? ସେ ସେମିତି ବସି ପିଜୁଳି ଚୋବାଉଥାଏ । ମାଙ୍କଡ଼ କିଛି ସମୟ ପରେ ଆଉଟିକେ ବୁଲି ବସିଲା । ଭଲ ଭାବରେ କବିତା ଆଡ଼କୁ ଚାହିଁ ପିଜୁଳିଟାକୁ ଚୋବେଇ ଚୋବେଇ ଶେଷ କଲା । ଉପରକୁ ଉଠିବ କି ତଳକୁ ଖସିବ, ଏପଟ ସେପଟ ଚାହିଁଲା । କବିତା ଭାବିଲା ବୋଧେ ଚାଲିଯିବ । କିନ୍ତୁ ସେ ଗଲା ନାହିଁ । ବସି ରହିଲା । ଚାହୁଁ ଚାହୁଁ ଛଅଟା ବାଜିଲା । ପୁଣି ଛଅଟାରୁ ସାତଟା ବାଜିଲା । ମାଙ୍କଡ଼ ବସିଥାଏ । ବାଲ୍‍କୋନି ଦ୍ୱାର ବନ୍ଦଥାଏ । କବିତା ବାରଣ୍ଡାରେ ବସି ଦାନ୍ତ ଘଷୁଥାଏ, ଚାହିଁଥାଏ ବାଲକୋନିକୁ । କେତେବେଳେ ସେ ଦ୍ୱାର ଖୋଲିବ, ଆଉ ସେ ଦେଖିବ ସେହି ଡାକ୍ତରକୁ । କି ଭୁଲ୍ ସେ ନ କରିଛି ସତେ....ନାଁ, ଡାକ୍ତର ବୋଧେ ନାହିଁ । କାହିଁ ଏ ପର୍ଯ୍ୟନ୍ତ କବାଟ ଫିଟିଲା ନାହିଁ । ଆସି ଆଠଟା ବାଜିବ । କୁଆଡ଼େ ଗଲା କି ଡାକ୍ତର ? କବିତା ମନେ ମନେ ବଡ଼ ବ୍ୟସ୍ତ ହେଲା । ବାରଣ୍ଡାରେ ଏପଟ ସେପଟ ହେଲା, ଚାରିଆଡ଼କୁ ଚାହିଁଲା । ନାଁ ଡାକ୍ତର ଥିଲାଭଳି ଜଣା ପଡ଼ୁନାହିଁ । ତା’ହେଲେ ଡାକ୍ତର କୁଆଡ଼େ ଗଲା ? ଗେଧମାଙ୍କଡ଼ଟା ଫକ କରି ଡେଇଁ ଆମ୍ୱ ଗଛ ଉପରେ ଚଢ଼ିଗଲା । ଓଃ ଆଜି କି ଦୁର୍ଯ୍ୟୋଗ ! ସକାଳୁ ଏ ମାଙ୍କଡ଼ଟା ମୁହଁ ଚାହିଁଲା । ସବୁ ଅଶୁଭ, ଭଗବାନଙ୍କ ଦୟାରୁ ଆମେ ମାଙ୍କଡ଼ରୁ ମଣିଷ ହୋଇଛୁ; ପ୍ରଭୁ ଆଉ ଯେମିତି ଆମକୁ ମାଙ୍କଡ଼ ନ କରନ୍ତୁ, କବିତା ମନେ ମନେ ଭଗବାନକୁ ଡାକି ହାତ ଯୋଡ଼ିଲା । ବୁବୁଲୁକୁ ଡାକି ପଚାରିବ କି; ଡାକ୍ତରଟା କୁଆଡ଼େ ଗଲା–ଯଦି ସେ ଜାଣିଥିବ । କିନ୍ତୁ ସେ କେମିତି ବା ପଚାରିବ । ଆଗରୁ ତ ଚିହ୍ନା ପରିଚୟ ହୋଇନାହିଁ, ବଡ଼ ଲାଜ କଥା ।

 

ବାଧ୍ୟ ହୋଇ ବାରଣ୍ଡାରୁ ଘରକୁ ଆସି ଚେୟାର ଉପରେ ବସିଲା । ଆରେ କବାଟ କିଏ ଜଣେ ଖୋଲିଲାଣି । ଦେଖିବା ଏ ମାଙ୍କଡ଼ ନା, ପେଟ ପୂଝାରୀ, ନା ଡାକ୍ତର । ଆଶ୍ଚର୍ଯ୍ୟ ହେଲା କବିତା । ଡାକ୍ତର ନୁହେଁ, କି ମାଙ୍କଡ଼ ନୁହେଁ, କି ପେଟ ପୂଝାରୀ ବି ନୁହେଁ । ଜଣେ ମଧ୍ୟମା ରୂପସୀ । ଆନୁମାନିକ ବୟସ ପଇଁତିରିଶି, କି ଛତିଶି ଭିତରେ । ବେଶ୍ ସ୍ୱାସ୍ଥ୍ୟବତୀ । ଆଉ ରୂପସୀ । ହଳଦୀ ବର୍ଣ୍ଣର ଶାଢ଼ୀଟା ଗୋରା ଦେହକୁ ବେଶ୍ ମାନିଛି । ଏ ରୂପସୀ ତା’ହେଲେ କିଏ ? କ’ଣ ଡାକ୍ତର ସ୍ତ୍ରୀ-? ଡାକ୍ତର ସ୍ତ୍ରୀ ଭଳି ଜଣା ପଡ଼ୁନି । ତା’ଠାରୁ ବୟସରେ ଯଥେଷ୍ଟ ବଡ଼ ମନେ ହେଉଛି । କବିତା ନିର୍ଭୟରେ ସେହି ରୂପସୀ ଆଡ଼କୁ ଚାହିଁଲା । ରୂପସୀ ସ୍ତ୍ରୀ ଲୋକଟି ମଧ୍ୟ କବିତା ଆଡ଼କୁ ଚାହିଁଲା । କବିତା ଭାବିଲା, ବୋଧେ ନୂଆ ଆସିଛନ୍ତି । କବିତା ଡାକ୍ତର ଆଶାରେ ଛିଡ଼ା ହୋଇଥାଏ । ଯଦି ଡାକ୍ତର ଆସେ..... । ପୁଣି ସେ ଭାବିଲା, ଡାକ୍ତର ଥିଲେ ଆସି ସାରନ୍ତାଣି । ବୋଧେ ଡାକ୍ତର ନାହିଁ । ଡାକ୍ତର ନ ଥିଲେ ଏ ପୁଣି କିଏ ? ସେ ପେଟା ପୂଝାରୀଟା ଗଲା କୁଆଡ଼େ ? ସେ ଯଦି ଦେଖା ଦିଅନ୍ତା ତା’ହେଲେ ଡାକ୍ତର ଅଛି ବୋଲି କବିତା ଧରି ନିଅନ୍ତା । କିନ୍ତୁ ଦୁର୍ଯ୍ୟୋଗ ସେ ବି ନାହିଁ । ମାଙ୍କଡ଼ଟା ଥିଲା କୁଆଡ଼ୁ ଆସିଲା ତା’ପରେ ଏ ରୂପସୀ ମଧ୍ୟମା ଆବିର୍ଭାବ ହେଲା । ସବୁ ଦୁର୍ଯ୍ୟୋଗ-। ଗୋଟିଏ ରାତିରେ ।

 

କବିତା କଲେଜରେ ବେଶି ସମୟ ବସି ପାରିଲାନାହିଁ । ମୁଣ୍ଡଟା ତା’ର ବିନ୍ଧିଲା । ତା’ର ଟିକିଏ ସାଇନୋସାଇଟ୍‍ସ ଅଛି । ଥଣ୍ଡା ପଡ଼ିଲେ ମୁଣ୍ଡ ବିନ୍ଧିବ । ଏ ତା’ର ପୁରୁଣା ରୋଗ । ଫାଳିକିଆ ମୁଣ୍ଡ ବିନ୍ଧିବ ଯେ କଲେଜ କରାଇ ଦେବନି । ବାଧ୍ୟ ହୋଇ କବିତା କଲେଜରୁ ଫେରି ଆସିଲା । କିନ୍ତୁ ମୁଣ୍ଡବିନ୍ଧା ଯୋଗୁ ଆଖିକୁ ନିଦ ଆସିଲା ନାହିଁ । ମୁଣ୍ଡତଳେ ତକିଆଟା ଦେଇ ଝରକା ବାଟେ ବାହାରକୁ ଚାହିଁଲା । ଖୋଲା ଆକାଶ ବହୁ ଦୂରରେ ଦୁଇଟି ପକ୍ଷୀ ଉଡ଼ି ସାଜିଛନ୍ତି ନୀଳ ଆକାଶରେ । କବିତାର ମନେପଡ଼ିଲା ମଧୁସୂଦନ ରାଓଙ୍କ କବିତା-

 

‘ଥା’ନ୍ତା ଯେବେ ମୋର ବିହଙ୍ଗ ପକ୍ଷ’

ଲଙ୍ଘି ଭୀଷଣ ଗିରି ସମୁଦ୍ର ବକ୍ଷ ।

ଦେଖନ୍ତି ପ୍ରିୟଜନ ମୁଖ କମଳ ।

ହୁଅନ୍ତା ସନ୍ତାପିତ ପ୍ରାଣ ଶୀତଳ ।

 

ଆହାଃ । କି ସୁନ୍ଦର ସେ କବିତା । କବି କି ସୁନ୍ଦର ଭାବରେ ତା’କୁ ସଜାଇ ଲେଖିଛନ୍ତି । ଧନ୍ୟ ଧନ୍ୟ ସେ କବି । ବିନମ୍ର ପ୍ରଣାମ ଜଣାଇଲା କବିତା କବିଙ୍କ ଉଦ୍ଦେଶ୍ୟରେ । ପକ୍ଷୀଭଳି ତା’ର ଯଦି ପର ଦୁଇଟି ଥା’ନ୍ତା । ତା’ହେଲେ ସେ ଡାକ୍ତରକୁ ଖୋଜିବାକୁ ଯାଇଥା’ନ୍ତା, ତା’କୁ ଆଉ ବେଶି କଷ୍ଟ ହୁଅନ୍ତା ନାହିଁ । କିନ୍ତୁ ଛାଡ଼ ସେ ପକ୍ଷୀ ହୋଇପାରିବ ନାହିଁ, କି ଆକାଶରେ ଉଡ଼ି ପାରିବ ନାହିଁ । କଡ଼ ଲେଉଟାଇଲା କବିତା । କାନ୍ଥରେ ତା’ର ପିଲାଦିନର ଫଟୋ ଝୁଲୁଛି । କାଠଘୋଡ଼ା ଉପରେ ବସି କାନ ଦି’ଟାକୁ ଧରିଛି । ହସିଲା କବିତା । ପିଲାଦିନେ କାଠଘୋଡ଼ା ଚଢ଼ୁଥିଲା । କାରଣ ଘୋଡ଼ା ଚଢ଼ିବାର ଶକ୍ତି ନ ଥିଲା । ପଡ଼ିଯିବାର ଭୟ ବହୁତ ଥିଲା । କିନ୍ତୁ ଏବେ ତା’ର ଯଥେଷ୍ଟ ଶକ୍ତି ଅଛି । ଅକ୍ଳେଶରେ ସେ ଘୋଡ଼ା ଚଢ଼ି ପାରିବ । ତା’ର ଶକ୍ତି ଅଛି, ସାହସ ବି ଅଛି । ବାପା ଏବେ ଯଦି ଘୋଡ଼ାଟା କୋଉଠୁ ଆଣି ଦିଅନ୍ତେ ନା କ୍ଷଣକ ଭିତରେ ଘୋଡ଼ାରେ ଚଢ଼ି ସେ ଡାକ୍ତରଟାକୁ ଖୋଜି ଆଣନ୍ତା । କିନ୍ତୁ ହାଏ....ଆକାଶ ପଥରେ ଉଡ଼ିବା ପାଇଁ ତା’ ଦେହରେ ପକ୍ଷୀ ଲାଗିବ ନାହିଁ କି ସ୍ଥଳ ଭାଗରେ ଦୌଡ଼ିବା ପାଇଁ ଘୋଡ଼ା ମିଳିବ ନାହିଁ । ସବୁ ତା’ ପାଖରେ ଦୂର ମୂଲ୍ୟ । ହାଇ ମାରିଲା କବିତା । ଆଖିରେ ଆଖିଏ ନିଦ ମାଡ଼ି ଆସିଲା କ୍ଷଣକ ଭିତରେ, ସେ ବିଛଣା ଉପରେ ଶୋଇପଡ଼ିଲା ।

 

ବୁବୁଲୁ ପାଟି ଶୁଣି କବିତାର ନିଦ ଭାଙ୍ଗିଗଲା । ଦି’ପ୍ରହରେ ଶୋଇବା କବିତାର ଅଭ୍ୟାସ ନୁହେଁ । ସାଇନୋସାଇଟ୍‍ସର ଯନ୍ତ୍ରଣା କବିତାକୁ ବ୍ୟସ୍ତ କରି ପକାଇଲା । ମୁଣ୍ଡର ବାହାର ପଟଟା ଖାଲି ଧପ ଧପ ହୋଇ ବିନ୍ଧିଲା । ଆଉ ସହି ହେଲା ନାହିଁ । ବାଧ୍ୟ ହୋଇ ଶୋଇ ପଡ଼ିଲା । ପାଣି ଡମ୍‍ରୁ ଗ୍ଳାସେ ପାଣି ଆଣି ମୁହଁ ଧୋଇଲା କବିତା । ସନ୍ଧ୍ୟା ପ୍ରାଏ ଆସନ୍ନ । ପଶ୍ଚିମ ଆକାଶରେ ସୂର୍ଯ୍ୟ ପ୍ରାୟ ବୁଡ଼ିଯିବା ଉପରେ । ଆଜି ସେ ବହୁ ସମୟ ଶୋଇ ପଡ଼ିଲା । ବଡ଼ ଖରାପ ଲାଗୁଛି ତା’କୁ । ଚେୟାରଟା ଟାଣିଆଣି ବସିଲା । ବୁବୁଲୁ କ’ଣ ଗୁଡ଼ାଏ ଖାଇ ଖାଇ ଆସି ତା’ଆଗରେ ଆସି ଛିଡ଼ା ହେଲା ।

 

କ’ଣ ଖାଉଛୁ କିରେ ବୁବୁଲୁ ? କବିତା ପଚାରିଲା ।

 

ବୋଉ ପକୁଡ଼ି ତିଆରି କରୁଛି । ଭାରି ବଢ଼ିଆ ହୋଇଛି । ଖାଇବୁ ରହ ମୁଁ ଆଣୁଛି । ବୁବୁଲୁ ରୋଷେଇ ଘରେ ପଶିଲା । କବିତା ତା’ ଅପେକ୍ଷାରେ ରହିଲା । ଏହି ଅବସରରେ ତା’ର ଆଖିଟା ସେହି ବାଲକୋନି ଉପରେ ପଡ଼ିଲା । ଜନଶୂନ୍ୟ ବାଲକୋନି ବଡ଼ ଦୟନୀୟ ଅବସ୍ଥାରେ ପଡ଼ିଛି । ଦ୍ୱାରଟା ବନ୍ଦ ଅଛି । କବିତା ପାରାପେଟ ଉପରେ ଓଠଟା ରଖି ବଡ଼ ନିର୍ଲିପ୍ତ ନୟନରେ ସେ ଆଡ଼କୁ ଚାହିଁଲା, ସତେ ଯେପରି ଡାକ୍ତର ଅନୁପସ୍ଥିତିର ଦୁଃଖଟା ତା’କୁ ମ୍ରିୟମାଣ କରି ପକାଇଛି । ଆକାଶରେ ଚାନ୍ଦ ନ ଥିଲେ ଯେପରି ଚାରିଆଡ଼େ ଅନ୍ଧକାର ଦେଖାଯାଏ, ସେହି ବାଲକୋନିରେ ଡାକ୍ତର ନ ଥିବାରୁ ତା’ର ମୁହଁ ଅନ୍ଧାର ଦେଖାଯାଉଥିଲା । ସେ ନିଜକୁ ବଡ଼ ଅସହାୟ ମନେ କରୁଛି । ଡାକ୍ତରର ଚା’ ପିଆର ଦୃଶ୍ୟ, କାଗଜ ପଢ଼ିବା ଢଙ୍ଗ, ସନ୍ଧ୍ୟାରେ ଟ୍ରାଞ୍ଜିଷ୍ଟର ଧରି ଗୀତ ଶୁଣିବାର ଛାୟା ତା’ ଆଖି ଆଗରେ ନାଚି ଉଠୁଛି । ହାତରେ ପକୁଡ଼ି ପ୍ଳେଟ ଧରି ବୁବୁଲୁ ଆସି ପହଞ୍ଚିଲା । କବିତା ବାଲକୋନି ଆଡ଼େ ଚାହିଁଥିବା ଦେଖି ମନକୁ ମନ କହିଲା ଅପା, ସେ ଡାକ୍ତରକୁ କାଲି ମୁଁ ଦେଖିଥିଲି ।

 

ଡାକ୍ତର କଥାଶୁଣି କବିତା ବସିଥିବା ଚେୟାରଟାକୁ ବୁବୁଲୁ ସାମନାକୁ ବୁଲାଇ ଆଣିଲା । ସତେ ଯେପରି ସେ ବହୁ ଦିନରୁ ଖୋଜି ବୁଲୁଥିବା ତା’ର ଅମୂଲ୍ୟ ନିଧିର ସନ୍ଧାନ ପାଇଲା । ଶୁଖିଯାଇଥିବା ମୁହଁରେ କିଞ୍ଚିତ୍ ହସ ଉଙ୍କି ମାରିଲା । ଖୁଣ୍ଟା ଗଛରେ ଯେପରି ପତ୍ର କଅଁଳିଲା । କେଉଁଠି ଦେଖିଥିଲୁ କିରେ ଏବେ କ’ଣ ସେ ଏ କୋଠାରେ ରହୁ ନାହାନ୍ତି ? ବୁବୁଲୁ କହିଲା ମୁଁ କହିପାରିବି ନାହିଁ । ତେବେ କାଲି ସେ କଳିଙ୍ଗ ରେଷ୍ଟୁରାଣ୍ଟରେ ଚାରିଜଣ ଝିଅପିଲାଙ୍କ ସହିତ କଫି ପିଉଥିଲେ ।

 

ତୁ ଦେଖିଛୁ ନା କାହାଠାରୁ ଶୁଣିଛୁ । ତୁ କଳିଙ୍ଗ ରେଷ୍ଟୁରାଣ୍ଟକୁ ଯାଇଥିଲୁ କି ? ପକୁଡ଼ି ଖାଉ ଖାଉ କବିତା ପଚାରିଲା ।

 

ହଁ ମୁଁ ତାଙ୍କ ସାମନା ଟେବୁଲରେ ବସି ଜଳଖିଆ ଖାଉଥିଲି ।

 

ଡାକ୍ତରଟା ବୋଧେ ବେକାରିଆଟା । ଚାକିରି ବାକିରି ପାଇନି । ବାପା ପଇସାରେ ଖାଇପିଇ ଧୁମ୍ ମାରୁଛି । ଆଚ୍ଛା ପଇସା କିଏ ଦେଲା କହିଲୁ ? ସେ ଝିଅପିଲାମାନେ.....ନା ଏ ଡାକ୍ତର ? କବିତା ପଚାରିଲା । ବୁବୁଲୁ କହିଲା, ଝିଅଗୁଡ଼ାକୁ କେଉଁଠୁ ପଇସା ପାଇବେ । ସେମାନେ ମାଗଣା ଖାଇବା ପିଲା । ଡାକ୍ତର ସବୁ ଦେଲା ।

 

ବୁବୁଲୁ କଥା ଶୁଣି କବିତା ହସିଲା । କହିଲା, ‘‘କେବଳ ପୁଅପିଲାଗୁଡ଼ାକ ପଇସା ପାଆନ୍ତି ନୁହେଁ, ସେମାନେ ମାଗଣା ଖାଇବାକୁ ଭଲ ପାଆନ୍ତି ନାହିଁ । କେବଳ ଝିଅପିଲାଗୁଡ଼ାକ ମାଗଣା ଖାଇବା ପାଇଁ ପୁଅପିଲାଙ୍କ ପିଛା ଧରନ୍ତି ନୁହେଁ ? ବୁବୁଲୁ ।

 

ବୁବୁଲୁ କ’ଣ ବୁଝିଲା କେଜାଣିୁ ହସି ହସି ଚାଲିଗଲା । କବିତା ଭାବିଲା, ଡାକ୍ତରଟା ବଡ଼ ଫାଜିଲ ଅଛି । ପଇସାବାଲା ଟୋକାଟା । ବାପା ପଇସାରେ ଡିଆଁ ମାରୁଛି । ଝିଅପିଲାଙ୍କ ପଛରେ ଗୋଡ଼େଇଛି । ମାଇଚିଆଟା, ମନେ ମନେ ହସିଲା କବିତା । ପୁରୁଷର ସ୍ୱଭାବଗତ ପ୍ରକୃତି । ଏଇ ଝିଅମାନଙ୍କ ପଛରେ ମାସକୁ ପାଞ୍ଚଶହ, ହଜାରେ ଖର୍ଚ୍ଚ କରୁଥିବ ନିଶ୍ଚୟ । କଟକ ସହରରେ ରହିଛି, କିଆଁ ପରୁଆ । ଏବେ ବୋଧେ କେଉଁ ଝିଅପିଲାଙ୍କ ପାଲରେ ପଡ଼ିଯାଇ, ହୋଟେଲ କିମ୍ୱା ଲଜିଂରେ ରହୁଥିବ । ଫୁର୍ତ୍ତି କରୁଥିବ । ସଉକ୍ କରୁଥିବ । ମଜ୍ଜା ମାରୁଥିବ । ସ୍କୁଟର ଚଢ଼ି ପୁରୀ, କୋଣାର୍କ, ନନ୍ଦନକାନନ ବୁଲି ରାସଲୀଳା କରୁଥିବ । କ’ଣ ହାତରୁ ପଡ଼ୁଥିବ । ବାପା ଭାବୁଥିବେ ପୁଅ କଟକରେ ରହି ପ୍ରାକ୍‍ଟିସ୍ କରୁଥିବ । କିନ୍ତୁ ପୁଅ ଯେ ଏଣେ କୃଷ୍ଣଲୀଳା କରୁଛି, ତାଙ୍କୁ ମାଲୁମ୍ ହେଉଛି କେଉଁଠୁ । କବିତା ଭାବିଲା କଥା ଆସି ଏଠି, ସେ ଭାବୁଛି, କ’ଣ ନା ଡାକ୍ତର କୁଆଡ଼େ ଚାଲିଯାଇଛି । ଡାକ୍ତର ଏବେ ମଥୁରାପୁରରୁ ଯାଇ ଗୋପପୁରେ ରହିଛନ୍ତି ବୋଲି ସେ କିପରି ଜାଣିଲା । ମନେ ମନେ ଖୁବ୍ ହସିଲା କବିତା । ସେହି ବାଲକୋନି ଆଡ଼କୁ ପୁନର୍ବାର ଚାହିଁ କହିଲା, ‘‘ହଉ ଦେଖିବା କେତେଦିନ ତୁମେ ଗୋପପୁରରେ ରହିବ ।’’ ନିଜ ରୁମ୍ ଭିତରେ ପ୍ରବେଶ କଲା କବିତା । ଚେୟାର ଉପରେ ବସି ବହି ଖୋଲିଲା ।

 

ରାତିରେ ଶୋଇବା ପାଇଁ ଯିବା ପୂର୍ବରୁ କବିତା ଶୁଣିପାରିଲା ବାପାଙ୍କ ସହିତ ବୋଉର ଯୁକ୍ତି । ବୋଉ ରାଗିଯାଇ ବାପାଙ୍କ ଉପରେ ହାକିମ୍ ଦେଖାଇ କହୁଛି ତୁମେ ଘରକଥା କିଛି ବୁଝିବ ନାହିଁ ! ରାତି ପାହିଲେ ଖାଲି ଅଫିସ କଥା । ଖାଇପିଇ ଚିକ୍‍କଣ ଚାକ୍‍କଣ ହୋଇ ଅଫିସ ବାହାରି ଗଲେ, ସବୁ ସୁରୁଖୁରୁରେ ଚାଲିଛି ବୋଲି ତମେ ଭାବ । ଘରକଥା ବୁଝିବା ତୁମର କାମ ନୁହେଁ । ସବୁ ବୁଝିବି ମୁଁ ।

 

ବାପା ହସି ହସି କହୁଥାନ୍ତି ତୁମେ Home minister. ତୁମ portfolio ଉପରେ ମୁଁ କାହିଁକି ହସ୍ତକ୍ଷେପ କରିବି । Financeରେ ଯଦି କିଛି ଅସୁବିଧା ହେଉଛି କୁହ । କିଛି ଟଙ୍କା ବଢ଼ାଇ ଦେବି ।

 

ବାଜେ କଥା ଛାଡ଼ । କାଲି ମୋ ଝିଅକୁ ନେଇ ଡାକ୍ତରକୁ ଦେଖାଅ । ଝିଅଟାର ମୁଣ୍ଡ ଦି’ ଦିନ ହେବ ବିନ୍ଧୁଛି । ସବୁବେଳେ ବ୍ୟସ୍ତ ହେଉଛି । ସେଦିନ କଲେଜରୁ ଚାଲିଆସିଲା । କାଲି ରାତିଟା ସାରା ବ୍ୟସ୍ତହୋଇ ଶୋଇଲା । ଆଜି ସକାଳୁ କିଛି ନ ଖାଇ ନ ପିଇ ବସିଲା । ତୁମର ଟିକେ ଦୟା ହେଉନି । ବାଲେଶ୍ୱରରେ ଥିଲାବେଳେ କହିଥିଲି ଗୋଟାଏ ଭଲ ଡାକ୍ତର ଦେଖାଇ ତା’ର ସାଇନୋସାଇଟ୍‍ସଟା ଭଲ କରିଦିଅ । ମୋଟେ ଶୁଣିଲ ନାହିଁ । ଝିଅଟା ମୋର କଅଲ ବିକଳ ହୋଇ ରହିଲା । କହିଲ କ’ଣ ନା ଏଠି ଭଲ ଡାକ୍ତର ନାହାନ୍ତି । କଟକ ଗଲେ ଭଲ ଡାକ୍ତରକୁ ଦେଖାଇବା । ଏବେ ତ କଟକ ଆସିଲ, କାହିଁ ଦେଖାଉନାଁ ତ । ‘‘ମଦଗଡ଼ା, କାମ ସରିଲେ ଗଡ଼ ଗଡ଼ା ।’’ ଥାଉ ଥାଉ ଆଉ ପାଟି କରିବା ଦରକାର ନାହିଁ । କାଲି ସକାଳେ ଡାକ୍ତର ଆଣି ଦେଖାଇଦେବି । ଯାଅ ଶୋଇବ । ଏଇ କଥାଟା ଯଦି ତୁମେ କହି ଦେଇ ଥାଆନ୍ତ, ଡାକ୍ତର ଆସି ଦେଖିଯାଇ ସାରନ୍ତାଣି, ବାପା କହିଲେ ।

 

ତୁମେ ତ ସବୁବେଳେ କହୁଛ କେମିତି ରାତି ନ ହେଉ । ଅଫିସ୍ ସବୁବେଳେ ଚାଲିଥାଉ-। ଫାଇଲ୍ ସବୁବେଳେ ଚାଷ ହେଉଥାଉ । ଟୁର୍ ସବୁବେଳେ ପଡ଼ୁଥାଉ । ସକାଳୁ ଉଠୁ ଉଠୁ ଚା’ ଦିଅ, ପାଣି ଦିଅ, ସାବୁନ ଦିଅ, ତେଲ ଦିଅ, ଜଳଖିଆ ଦିଅ, ଡ୍ରାଇଭର୍‍କୁ ଡାକ, ତା’ ପରେ ଛୁ....-। ଆମେ ମା’ ଝିଅ ଉଠିଲାବେଳକୁ ସାହାବ ଥିବେ ନା ଆମେ ଗୁହାରି କରିବୁ ? ଏ ସପ୍ତାହଟା ମୁଁ ଦେଖୁଛି, କଟକରୁ ଭୁବନେଶ୍ୱର, ଭୁବନେଶ୍ୱରରୁ କଟକ, କ’ଣ ଯଦି କହିବାକୁ ଚାଲିଲୁ, ଆଗରୁ ସତର୍କ । ମିନିଷ୍ଟର ପ୍ରୋଗ୍ରାମ । କମିଶନର ପ୍ରୋଗ୍ରାମ । ମୋତେ କିଛି କୁହନି । ସପ୍ତାହ ପରେ । ସପ୍ତାହ ଆଜି ପୂରିଲା । ଝିଅ ମୋର ଦି’ଦିନ ମୁଣ୍ଡବିନ୍ଧା ଭୋଗିଲା । ମା’ ଆସି ଆପତ୍ତି କଲା । ଏବେ ହାକିମଙ୍କ ବିଚାର ହେଉ ।

 

ବୋଉର ଯୁକ୍ତିଶୁଣି କବିତା ମନେ ମନେ ହସିଲା, ଏବଂ କହିଲା ବୋଉ ଯେ ତା’ର କ’ଣ ସେ କିଛି ଜାଣିପାରେ ନାହିଁ । ସମୟ ଅସମୟରେ ସେ କିଛି ବୁଝେନି । ମୂର୍ଖଙ୍କ ଭଳି ବାପାଙ୍କୁ ଏକୁଟିଆ ପାଇଲେ ଗର୍ଜ୍ଜିଉଠିବା ତା’ର ଗୋଟିଏ ଖରାପ ଲକ୍ଷଣ । ରାତି ଏଗାରଟାରେ ବାପା ଟୁର୍‍ରୁ ଫେରିଛନ୍ତି । ପାଟି କରିବା କ’ଣ ଦରକାର ? ଡାକ୍ତର କ’ଣ ବର୍ତ୍ତମାନ ଚାଲିଆସିବ । ମନ ହେଉଥିଲା ବୋଉ ପାଖକୁ ଦୌଡ଼ିଯାଇ ତା’ ଉପରେ ପାଟିକରନ୍ତା, କାହିଁକି ତୁ ବାପାଙ୍କୁ ବିରକ୍ତ କରୁଛୁ ? ରାତି ପାହିଲେ କହିଲେ ହୁଅନ୍ତା ନି ? ଏ ରାତି ଏଗାରଟାରେ କହିବା କ’ଣ ଦରକାର । ପୁଣି ସେ ଭାବିଲା, ବାପା ବି ତା’ର ଠିକ୍ ଅଛନ୍ତି । ବୋଉ କଥାକୁ ଏ କାନରେ ପୂରାଇ ସେ କାନରେ ବାହାର କରି ଦିଅନ୍ତି । ପୁରୀ ସମୁଦ୍ରରେ ସ୍ନାନ କଲାବେଳେ ସେମିତି ସ୍ନାନାର୍ଥୀମାନେ ବଡ଼ ବଡ଼ ଗର୍ଜ୍ଜନ କରି ଆସୁଥିବା ଲହଡ଼ି ପାଖରେ ମୁଣ୍ଡ ନୁଆଁଇ ଦିଅନ୍ତି, ଲହଡ଼ି ତାଙ୍କ ଉପରେ ଦେଇ ଚାଲିଯାଏ ବାପା ତା’ର ସେମିତି କରନ୍ତି । ବୋଉ ଗାଳିଦେଲା ବେଳେ ବାପା ସିଗାରେଟ୍ ଟାଣି ଉପରକୁ ଧୂଆଁ ସୁର୍ ସାର୍ ଛାଡ଼ନ୍ତି । କିଛି କହନ୍ତି । ବୋଉ ଗର୍ଜ୍ଜନ କରି କରି ପୁଣି ପୂର୍ବାବସ୍ଥାକୁ ଫେରି ଆସେ ।

 

ବାପାଙ୍କ ଶେଷପଦକ ତା’ କାନରେ ପଡ଼ିଲା, ଯାଅ ଶୋଇବ । କାଲି ରାତି ପାହିଲେ ଝିଅକଥା ଆଗ ବୁଝାହେବ । ଲାଇଟି ଲିଭିଲା ।

 

(ତିନି)

 

ତା’ ପରଦିନ ଉଠୁ ଉଠୁ ସକାଳ ଆଠ । କଲେଜ କ’ଣ ପାଇଁ ଛୁଟି ଥାଏ । ସେଥିପାଇଁ ଭୋରୁ ଭୋରୁ ନିଦ ଭାଙ୍ଗିଥିଲେ ମଧ୍ୟ କାହିଁକି ଉଠିବା ପାଇଁ ମନ ହେଲା ନାହିଁ । ଝରକା ବାଟଦେଇ ତୁହାକୁ ତୁହା ପବନ ଦେଉଥାଏ । କଲେଜ ତ ବନ୍ଦ ଅଛି । ତର ତର କାହିଁକି ? ତା’ ପରଦିନ ରବିବାର ଲାଗ ଲାଗ ଦୁଇଦିନ ଛୁଟି । କବିତା ନିସ୍ତେଜରେ ଶୋଇପଡ଼ିଲା । କିଛି ସମୟ ପରେ ଝରକା ଦେଇ ସୂର୍ଯ୍ୟକିରଣ ଯେତେବେଳେ ତା’ ଆଖି ଉପରେ ପଡ଼ିଲା । ନିଦଟା ଚାଉଁକିନା ଭାଙ୍ଗିଗଲା । ବିଛଣାରେ ଶୋଇ ଟେବୁଲ୍ ଉପରକୁ ଚାହିଁଲା ଟେବୁଲ୍ ଘଣ୍ଟାରେ ଆଠଟା ବାଜିଛି । ତରବର ହୋଇ ଉଠିପଡ଼ି ବାଥ୍‍ରୁମ୍‍କୁ ଯାଇଁ ମୁହଁ ଧୋଇ ଆସି ଦାନ୍ତ ଘଷିଲା କବିତା । ତା’ ପରେ ରୋଷେଇ ଘରକୁ ପଶିଲା । ଦେଖିଲା ବୋଉ ଉପମା ତିଆରି କରୁଛି । ଚା’କେଟିଲରେ ଚା’ ତା’ ପାଇଁ ଥୁଆ ହୋଇଛି । ବୁବୁଲୁ ଯୋବ୍ରା ଯାଇଛି ମାଛ ପାଇଁ, ମହାନଦୀରେ ନୂଆ ପାଣି ପଡ଼ିଛି । ବଡ଼ ବଡ଼ ଇଲିଶି ମାଛ ପଡ଼ିଛନ୍ତି । ବାପା, ବୋଉ ଇଲିଶି ମାଛକୁ ଭଲ ପାଆନ୍ତି । ବାପା ସକାଳେ ବୁବୁଲୁକୁ କହୁଥିବା କଥା ସେ ଶୁଣି ପାରିଛି ।

 

ନେ ଚା’ଟା ପିଇଦେ । ମୁଣ୍ଡଟା କିମିତି ଅଛି ? ବୋଉ କପରେ ଚା’ ଢାଳୁ ଢାଳୁ କହିଲା । ବୋଉ ହାତରୁ ଚା’ କପ୍ ନେଇ କବିତା କହିଲା ସେମିତି ଧପ ଧପ ହେଉଛି । କମିନାହିଁ । ଏ ଚା’ ଭଲ ପଡ଼ୁନାହିଁ, ଚା’ ଗୁଣ୍ଡ ବଦଳି କରି ଆଣିବାକୁ କବିତା କହିଲା ।

 

ଏ ଚା’ ଗୁଣ୍ଡ ସରିଗଲା । ଆଜି ବାପାଙ୍କୁ କହିବି ଚୌଧୁରୀବଜାରରୁ ଭଲ ଚା’ ଆଣିବେ । ନେ ଉପମା ଟିକେ ଖାଇଦେ ।

 

ନାଁ, ବାପା କାହାନ୍ତି ?

 

କାଲି ରାତିରୁ ଯେ ତୋ’ ବାପାକୁ ନିଦ ନାହିଁ । ସକାଳୁ ଉଠି ଡାକ୍ତର ପାଖକୁ ଦୌଡ଼ିଛନ୍ତି-। ଡାକ୍ତର ଧରି ଆସିବେ । ତୋ’ ପାଇଁ ତାଙ୍କ ସହିତ ମୋର ଝଗଡ଼ା । ମୁଁ ଶୁଣିଛି । ତୁ କାହିଁକି ପାଟି କରୁଥିଲୁ ଯେ । ରାତି ଏଗାରଟାରେ କ’ଣ ଡାକ୍ତର ଆସିଥାନ୍ତେ ମୋ ପାଖକୁ । ତୁ ବାପାଙ୍କୁ ସରଳ ଦେଖି ସବୁବେଳେ ପାଟି କରୁଛୁ । ରାତି ଦଶଟାରେ ଟୁର୍‍ରୁ ଫେରି କିଏ କ’ଣ କୁଆଡ଼େ ଯାଆନ୍ତି । କାହିଁକି ପାଟି କରୁଥିଲୁ କହିଲୁ । ସେ କ’ଣ ଘରେ ବସିଛନ୍ତି । ସକାଳେ କହିଥିଲେ ହୋଇ ନ ଥା’ନ୍ତା-?

 

ତୁ ବୁଝିନୁ ଝିଅ । କାଲି ପାଟି କରିଥିବାରୁ ଆଜି ସକାଳୁ ସକାଳୁ ଡାକ୍ତର ପାଖକୁ ବାହାରି ପଡ଼ିଛନ୍ତି । ଯଦି ନ କହିଥା’ନ୍ତି ନା; ଆଉ ସାତ ଦିନ ରହିଯାଇ ଥା’ନ୍ତା । ବାଲେଶ୍ୱରରେ ଥିଲାବେଳେ ପାଟି କରିଥିଲି । କିନ୍ତୁ ହୋଇପାରିଲା ନାହିଁ । ଡାକ୍ତର ଆସି ପାରିଲା ନାହିଁ ବର୍ଷେ ଗଡ଼ିଗଲା । ଏହି ବର୍ଷକ ଭିତରେ ରୋଗଟା ଆଉ ଟିକେ ପୁରୁଣା ହୋଇଯାଇ ମୁଣ୍ଡରେ ବସା ବାନ୍ଧିଦେଲା । କଟକ ଆସିଛେ, ସୁବିଧା ଅଛି । ଡାକ୍ତର ଡାକି ନ ଦେଖାଇଲେ ଆଉ ସୁବିଧା ମିଳିବ ନାହିଁ । ବାପା ଯେଉଁ ହେଳା ଲୋକ, ଚାହୁଁ ଚାହୁଁ ପୁଣି ବର୍ଷେ ଗଡ଼ିଯିବ ଏବଂ ଆମର କଟକରୁ କୋରାପୁଟ ବଦଳି ହୋଇଯିବ । ରୋଗଟା ତୋର ସେମିତି ରହିଯିବ ।

 

ବୋଉର ଯୁକ୍ତିଯୁକ୍ତ କଥା ଉପରେ ଆଉ ଅଧିକ କଥା ନ କହି କବିତା ଡ୍ରଇଁରୁମ୍‍କୁ ଯାଇ ରେଡ଼ିଓ ଖୋଲିଲା । କେଉଁ ଏକ ଅଜଣା ହିନ୍ଦୀ ଫିଲିମ୍‍ର ସ୍ମୃତି ମଧୁର ଗୀତ ଭାସି ଆସିଲା ରେଡ଼ିଓ ଭିତରୁ । କବିତା କ୍ଷଣକ ପାଇଁ ସୋଫା ଉପରେ ବସି ଗୀତ ଶୁଣିଲା । ଇସ୍ କି ମଧୁର ଗୀତ ।

 

କିନ୍ତୁ ଗୀତ ଶେଷ ନ ହେଉଣୁ ବାପାଙ୍କର ପାଟି ସେ ତଳ ମହଲାରୁ ଶୁଣି ପାରିଲା । କାହା ସହିତ ଗପ କରୁଛନ୍ତି ? ବୋଧେ ଡାକ୍ତର ନେଇ ଆସିଲେ । ରେଡ଼ିଓ ବନ୍ଦ କରି ସିଡ଼ି ପାଖକୁ ଦୌଡ଼ିଗଲା । କିନ୍ତୁ ସିଡ଼ି ପାଖରେ ଛିଡ଼ାହୋଇ ସେ ଯାହା ଦେଖିଲା, ବିଶ୍ୱାସ କରିପାରିଲା ନାହିଁ, ତା’ ଆଖିରେ ଏମିତି ଏକ ଅଦ୍ଭୁତ ଦୃଶ୍ୟ ଦେଖିବ ବୋଲି । ହଠାତ୍ ଏପରି ଏକ ଦୃଶ୍ୟ ଦେଖି ଆଖି ତା’ର କ୍ଷଣକ ପାଇଁ ଝିଲି ମିଲି ହୋଇଗଲା, ଯେପରି ସୂର୍ଯ୍ୟକୁ ଚାହିଁଲେ ଆଖି ଝିଲି ମିଲି ହୋଇଯାଏ । ତା’ ବାପାଙ୍କ ସହିତ ଆସିଛନ୍ତି ସେହି ଡାକ୍ତର, ଯିଏ ସବୁଦିନେ ସେହି ପାଉଁଶିଆ ରଙ୍ଗ କୋଠାର ବାଲକୋନିରେ ଛିଡ଼ା ହୋଇ ତାଙ୍କ ଘର ଆଡ଼କୁ ଚାହୁଁଥିଲେ । ସେ ଆଶ୍ଚର୍ଯ୍ୟ ହେଲା । ଏହି ଡାକ୍ତରକୁ ସେ ପ୍ରଥମେ ଦେଖି ବିରକ୍ତିର ସୀମା ଭିତରେ ଓଲଟ ପାଲଟ ହୋଇ ଚିଡ଼ି ଚିଡ଼ି ହେଉଥିଲା, କ୍ରୋଧ ଓ ହିଂସା ଭିତରେ ଜଳି ଉଠୁଥିଲା, ଲୋକଟାର ଚରିତ୍ର ଉପରେ ନିନ୍ଦାବାଦ କରିଥିଲା । ଦୁଷ୍ଟ ଚରିତ୍ର । ଲଫଙ୍ଗାମାନଙ୍କ ସହିତ ତୁଳନା କରିଥିଲା ଏବଂ ତା’ର କେତେଦିନ ପରେ ସେ ଏଭଳି ପରିବର୍ତ୍ତନ ହୋଇଯାଇଥିଲା ଯେ, ଡାକ୍ତରକୁ ନ ଦେଖି ପାଗଳ ହୋଇ ଯାଇଥିଲା । ତା’କୁ ଦେଖିବା ପାଇଁ କେତେଦିନ କେତେରାତି ନିର୍ଲିପ୍ତ ଭାବରେ ବଡ଼ ବ୍ୟାକୁଳ ହୃଦୟରେ ସେହି ବାଲକୋନିକୁ ଚାହିଁଥିଲା । ବଡ଼ ମାନସିକ ଯନ୍ତ୍ରଣା ଭିତରେ କେତେଦିନ ଘାଣ୍ଟି ହୋଇ ନଥିଲା ସେ-? କାହିଁକି ଓ କେଜାଣି–ସେ ମୋଟେ ଜାଣି ପାରୁ ନଥିଲା । ସେହି ଡାକ୍ତର ବର୍ତ୍ତମାନ ନିଜ ପିତାଙ୍କ ସହିତ ନିଜ ଘରେ ଉପସ୍ଥିତ । ଡାକ୍ତରକୁ ଦେଖି ସେ ଏତେ ଉଲ୍ଲସିତ ହୋଇ ପଡ଼ିଲା ଯେ କ୍ଷଣକ ଭିତରେ ନିଜ ରୁମ୍‍କୁ ପଶିଆସି ଖଟ ଉପରେ ମୁହଁମାଡ଼ି ଶୋଇ ପଡ଼ିଲା । ସେ କ’ଣ ଭାବୁଥିଲା କିଛି ଜାଣି ପାରିଲା ନାହିଁ । ସେ ଭାବିଲା ସେ ସ୍ୱପ୍ନ ଦେଖୁନି ତ ? ତା’କୁ କେହି କୁହୁକ ରାଜ୍ୟରେ ଛାଡ଼ି ଦେଇନି ତ ?

 

ଆ–ମା, ଡାକ୍ତର ଆସିଛି । ଏ ଆମ ଚିହ୍ନା ଡାକ୍ତର । ସେହି ପାଉଁଶିଆ ରଙ୍ଗ କୋଠାର ବାଲକୋନିରେ ମୁଁ ଯାହାକୁ ଦେଖିଥିଲି ଏବଂ କହିଥିଲି ଚିହ୍ନିଲା ଚିହ୍ନିଲା ଭଳି ଜଣା ପଡ଼ୁଛି । ପ୍ରକୃତରେ ତା’କୁ ମୁଁ ଚିହ୍ନିଥିଲି । ଏ ଦାଶରଥି ମହାପାତ୍ରଙ୍କ ପୁଅ ସୁବ୍ରତ ମହାପାତ୍ର । E.N.T. ରେ ଏ Specialist ବାରିପଦା ଏହାଙ୍କ ଘର । ଏହାଙ୍କ ବାପା, ମୋର ବନ୍ଧୁ । ଅନେକ ଥର ଏହାଙ୍କ ଘରକୁ ମୁଁ ଯାଇଛି । ଆ–ମା ଲାଜ କ’ଣ କରୁଛୁ । ପିତାଙ୍କ ସ୍ନେହାଶୀଷ ବାଣୀ ଶୁଣି କବିତା ବାଧ୍ୟ ହୋଇ ସେ ଡାକ୍ତର ପାଖକୁ ଯାଇଥିଲା । କିନ୍ତୁ ଲାଜରେ ସେ ତାଙ୍କୁ ଭଲ ଭାବରେ ଚାହିଁ ପାରି ନ ଥିଲା । ଆବଶ୍ୟକ ଅନୁଯାୟୀ ଉତ୍ତର ଦେଇଥିଲା । ଯାହା ଚାହିଁଥିଲା ତେରଛେଇ, ତେରଛେଇ । ଦୂରରୁ ଦେଖି ଯେଉଁ ସୌନ୍ଦର୍ଯ୍ୟତାରେ ଅଭିଭୂତ ହୋଇ ପାଗଳ ଭଳି ହୋଇଯାଇଥିଲା, ପାଖରେ ସେହି ସୌନ୍ଦର୍ଯ୍ୟତାକୁ ଦେଖି ସେ ଏତେ ଆନନ୍ଦିତ, ଏବଂ ଏତେ ମୁଗ୍‍ଧ ହୋଇଗଲା ଯେ ତାହା କଳ୍ପନାତୀତ । କବିତା ଭାବି ପାରି ନ ଥିଲା ଡାକ୍ତର ସୌନ୍ଦର୍ଯ୍ୟତା ତା’ ପାଖରେ ଚିରସ୍ଥାୟୀ ହୋଇ ରହିଯିବ ବୋଲି । ଡାକ୍ତର ସହିତ ସୀତାନାଥବାବୁଙ୍କର ଘନିଷ୍ଠତା ଦିନକୁ ଦିନ ଖୁବ୍ ଦ୍ରୁତ ଗତିରେ ବଢ଼ି ଚାଲିଲା ଏବଂ ଏହା ଏଭଳି ପରିସ୍ଥିତି ସୃଷ୍ଟି କଲା ଯେ ସୀତାନାଥବାବୁ ଓ ତାଙ୍କ ସ୍ତ୍ରୀ ଡାକ୍ତରକୁ କ୍ଷଣେ ନ ଦେଖି ରହି ପାରିଲେ ନାହିଁ । ପ୍ରତି ପର୍ବପର୍ବାଣୀ ଓ ଭଲ ମନ୍ଦରେ ଡାକ୍ତର ଉପସ୍ଥିତିଟା ଏକାନ୍ତ ଆବଶ୍ୟକ ହୋଇ ପଡ଼ିଲା । ନଦୀର ସ୍ରୋତ ଓ ସମୟର ଗତି ଯେପରି ଅପେକ୍ଷା କରେନି, ସେହିଭଳି କବିତାର ସୁବ୍ରତ ସହିତ ବିବାହ ଆଉ ବେଶି ସମୟ ଅପେକ୍ଷା କଲାନି । ମାତ୍ର ଗୋଟିଏ ବର୍ଷପରେ କବିତାର ବିବାହ ସୁବ୍ରତ ସହିତି ସମ୍ପୂର୍ଣ୍ଣ ହେଲା । ଏହାର ଦୁଇମାସ ପରେ ଏକତ୍ର ଯେତେବେଳେ ଆସି ସେହି ପାଉଁଶିଆ ରଙ୍ଗ କୋଠାର ବାଲକୋନିକୁ ଚାହିଁଲେ ଉଭୟ ଖୁବ୍ ଜୋରରେ ହସି ଉଠିଲେ । ଭାବିଲେ ଅତୀତରେ ସେମାନେ କ’ଣ ନଥିଲେ ସତେ ! ଅତୀତ କଥାକୁ ନେଇ ଲାଜକୁଳି ଲତା ଭଳି କବିତା ସୁବ୍ରତ ଛାତି ଉପରେ ଆଉଜି ପଡ଼ି ଅନୁଭବ କରୁଥିଲା, ଅତୀତ ଆଜି ବାସ୍ତବତା ଭିତରକୁ ତା’କୁ ଟାଣି ଆଣିଛି । ସତରେ ଅତୀତରେ ସେ କ’ଣ ଏଇଆ ଚାହୁଁଥିଲା-?

 

ତା ୧୦ । ୭ । ୭୯

ରାତି ଘ ୧୦-୧୮ ମିନିଟ୍

ରାଉତରାୟ ଭବନ

Image